୩୦ ହଜାର ପ୍ୟାକେଟ୍‌ ନକଲି ସର୍ଫ ଏକ୍ସେଲ୍‌ ଜବତ

ବରେଇପାଲି ଓ କ୍ଷେତରାଜପୁରରୁ ମିଳିଲା ଭେଜାଲ୍‌ ମାଲ୍‌

ନିର୍ମାତା କମ୍ପାନିର ଅଭିଯୋଗ ପରେ ପୁଲିସ୍‌ ଚଢ଼ଉ, ୨ ଅଟକ

ସମ୍ବଲପୁର : ସମ୍ବଲପୁରରେ ବି ବିଛେଇ ହୋଇଛି ନକଲି ସାମଗ୍ରୀର ଜାଲ। ଶନିବାର ସଂଧ୍ୟାରେ ହୋଇଥିବା ଚଢ଼ଉ ଓ ବିପୁଳ ପରିମାଣର ନକଲି ସର୍ଫ ଏକ୍ସେଲ୍‌ ଜବତରୁ ଏହା ପ୍ରମାଣିତ ହୋଇଛି। ଖୋଦ୍ ସର୍ଫ ଏକ୍ସେଲ୍ ତିଆରି କରୁଥିବା କମ୍ପାନି ହିନ୍ଦୁସ୍ତାନ ୟୁନିଲିଭର୍‌ର ଅଭିଯୋଗ କ୍ରମେ ଚଢ଼ଉ କରି ସମ୍ବଲପୁର ପୁଲିସ୍‌ ୨ଟି ସ୍ଥାନରୁ ପ୍ରାୟ ୩୦ ହଜାର ପ୍ୟାକେଟ୍‌ ସର୍ଫ ଏକ୍ସେଲ୍‌ ଜବତ କରିଛି। ଏହି ଘଟଣାରେ ପୁଲିସ୍‌ ଜଣେ ଦୋକାନୀ ନରେଶ ଅଗ୍ରୱାଲ୍‌ ଏବଂ ସମ୍ବଲପୁରରେ ସର୍ଫ ଏକ୍ସେଲ୍‌ର ଜଣେ ଅଧିକୃତ ଷ୍ଟକିଷ୍ଟ ଆଶିଷ ଅଗ୍ରୱାଲ୍‌ଙ୍କୁ ଅଟକ ରଖିଛି।

ସମ୍ବଲପୁର ବଜାରରେ ନକଲି ସର୍ଫ ଏକ୍ସେଲ୍‌ ବିକ୍ରି ହେଉଥିବା ଖବର ପାଇ କମ୍ପାନିର ଲିଗାଲ୍‌ ଏଟର୍ନି ନୟନତାରା ଡେମିଙ୍କ ସମେତ କିଛି ଅଧିକାରୀ ସମ୍ବଲପୁର ଆସିଥିଲେ। ସେମାନେ ପରିଚୟ ଗୋପନ ରଖି ସହରର ବିଭିନ୍ନ ଦୋକାନରୁ ସର୍ଫ ଏକ୍ସେଲ୍‌ କିଣିଥିଲେ। କ୍ଷେତରାଜପୁର ଥାନା ଅନ୍ତର୍ଗତ ନରେଶ ଅଗ୍ରୱାଲ୍‌ଙ୍କ ଦୋକାନରୁ ଅସଲି ଭଳି ଦେଖା ଯାଉଥିବା ୧୦ ଟଙ୍କିଆ ଅବିକଳ ପାଉଚ୍‌ ପ୍ୟାକେଟ୍‌ ଭିତରେ ନକଲି ସର୍ଫ ଏକ୍ସେଲ୍ ଥିବାର ସଂଧାନ ପାଇଥିଲେ। ଏ ସଂପର୍କରେ ସେମାନେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ କ୍ଷେତରାଜପୁର ରେଳ କ୍ରସିଂ ନିକଟରେ ଥିବା ଉକ୍ତ ଦୋକାନ ଉପରେ ଚଢ଼ଉ କରି ୫ ବସ୍ତା ସର୍ଫ ଏକ୍ସେଲ୍‌ ପାଉଚ୍‌ ଜବତ କରିଥିଲା। ପ୍ରତି ବସ୍ତାରେ ୧୨୦ଟି ଲେଖାଏଁ ୧୦ ଟଙ୍କିଆ ପାଉଚ୍‌ ପ୍ୟାକେଟ୍‌ (ପ୍ରତି ପ୍ୟାକେଟ୍‌ରେ ୯୦ ଗ୍ରାମ୍‌ ସର୍ଫ) ରହିଥିଲା। ଉକ୍ତ ୫ ବସ୍ତା ବାହାରେ କିଛି ଖୋଲା ହୋଇଥିବା ପାଉଚ୍‌ ମାଳ ମଧ୍ୟ ଜବତ ହୋଇଥିଲା। ଉକ୍ତ ଦୋକାନୀଙ୍କୁ ପଚରାଉଚୁରା ପରେ ସେ ବରେଇପାଲି ନୂଆପଡ଼ାର ଷ୍ଟକିଷ୍ଟ ଆଶିଷ ଅଗ୍ରୱାଲ୍‌ଙ୍କଠାରୁ ଏହି ସାମଗ୍ରୀ ଆଣିଥିବା କହିଥିଲେ। ଏହାପରେ ପୁଲିସ୍‌ ସଦଳବଳେ ଅଇଁଠାପାଲି ଥାନା ନୂଆପଡ଼ାସ୍ଥିତ ଆଶିଷ ଅଗ୍ରୱାଲ୍‌ଙ୍କ ଗୋଦାମରେ ଚଢ଼ଉ କରି ୨୩୯ ବସ୍ତା ସର୍ଫ ଏକ୍ସେଲ୍ ପାଉଚ୍‌ ଓ ବସ୍ତା ବାହାରେ ଥିବା କିଛି ମାଳ ଖୋଲା ସର୍ଫ ଏକ୍ସେଲ୍ ପ୍ୟାକେଟ୍‌ ମଧ୍ୟ ଜବତ କରିଥିଲା। ମୋଟ ୨୪୪ ବସ୍ତାରୁ ୨୯,୨୮୦ଟି ୧୦ ଟଙ୍କିଆ ପ୍ୟାକେଟ୍‌ ମିଳିଥିଲା ବେଳେ ଖୋଲା ମାଳଗୁଡ଼ିକ ମିଶାଇଲେ ସେଗୁଡ଼ିକର ସଂଖ୍ୟା ପ୍ରାୟ ୩୦ ହଜାର ହେବ। ପ୍ରତି ପାଉଚ୍‌ର ଓଜନ ୯୦ ଗ୍ରାମ୍‌ ହୋଇଥିବାରୁ ମୋଟ ଜବତ ସର୍ଫର ଓଜନ ୨୭ କୁଇଣ୍ଟାଲ୍ ପାଖାପାଖି ହେବ। ପୁଲିସ୍‌ ଏହି ସମସ୍ତ ସର୍ଫ ଜବତ କରିଥିଲା ବେଳେ ପ୍ରତି ବସ୍ତାରୁ ଗୋଟିଏ ଲେଖାଏଁ ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଯିବ ବୋଲି ଅତିରିକ୍ତ ଏସ୍‌ପି ଅମରେଶ ପଣ୍ଡା ସୂଚନା ଦେଇଛନ୍ତି। ଏହାଛଡ଼ା ଏହି ନକଲି ସାମଗ୍ରୀ କେଉଁଠି ପ୍ରସ୍ତୁତ ହେଉଛି ଓ କିଭଳି ପ୍ୟାକିଂ କରାଯାଉଛି ତାଉପରେ ଅନୁସଂଧାନ କରାଯିବ ବୋଲି ଶ୍ରୀ ପଣ୍ଡା କହିଥିଲେ। ଶ୍ରୀ ପଣ୍ଡାଙ୍କ ନେତୃତ୍ବରେ ‌ଅଇଁଠାପାଲି ଓ କ୍ଷେତରାଜପୁର ପୁଲିସ୍‌ ମିଳିତଭାବେ ଚଢ଼ଉ କରି ଏହି ନକଲି ସାମଗ୍ରୀ ଜବତ କରିଥିଲେ। ‘ସମ୍ବାଦ ସହ କଥାବାର୍ତ୍ତା ବେଳେ ହିନ୍ଦୁସ୍ତାନ ୟୁନିଲିଭର୍‌ର ଲିଗାଲ୍ ଏଟର୍ନି ନୟନତାରା ଡେମି କହିଲେ ଯେ ଜାଲ୍‌ କାରବାର କରୁଥିବା ‌ବ୍ୟବସାୟୀ ମାନେ କମ୍ପାନିର ଅବିକଳ ପ୍ୟାକିଂରେ ନକଲି ସାମଗ୍ରୀ ଭରି ବିକ୍ରି କରୁଛନ୍ତି। ସମ୍ବଲପୁର ବଜାରରେ ଏଭଳି ଭେଜାଲ୍‌ ସର୍ଫ ମିଳୁଥିବା ଖବର ପାଇ ଆମେ ଏଠାକୁ ଆସି ଅଭିଯୋଗରେ ସତ୍ୟତା ଥିବା ଜାଣିବାକୁ ପାଇଥିଲୁ। ଏହାପରେ ପୁଲିସ୍‌ ସହାୟତାରେ ଏହି ଚଢ଼ଉ କରାଯାଇଛି ବୋଲି ନୟନତାରା କହିଛନ୍ତି।

ସମ୍ବନ୍ଧିତ ଖବର