ବ୍ରହ୍ମପୁର: ସାରା ଦେଶ କରୋନା ମହାମାରୀ ସହ ଲଢ଼େଇ କରୁଛି। ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଉପରେ ରୋକ୍ ଲାଗିପାରୁ ନାହିଁ। ସଂକ୍ରମଣକୁ ରୋକିବା ପାଇଁ ପ୍ରଭାବଶାଳୀ ଟିକା କି ଔଷଧ ବାହାରିପାରିନି। ଏଦିଗରେ ଗବେଷଣା ଜାରି ରହିଛି। ହେଲେ ପ୍ଲାଜ୍ମା ଥେରାପିି ସାଂପ୍ରତିକ ପରିସ୍ଥିତିରେ କରୋନା ଆକ୍ରାନ୍ତଙ୍କ ପାଇଁ ସଞ୍ଜୀବନୀ ପାଲଟିଛି ବୋଲି କହିଲେ ଜମାରୁ ଅତ୍ୟୁକ୍ତି ହେବନି। କରୋନାରୁ ସୁସ୍ଥ ବ୍ୟକ୍ତିଙ୍କ ପ୍ଲାଜ୍ମା ଦ୍ବାରା ଅନେକ ରୋଗୀ ଏବେ ନୂଆ ଜୀବନ ପାଉଛନ୍ତି। ଖାଲି ଏତିକି ନୁହେଁ, ଏହା ମଧ୍ୟରେ କିଏ ୩ ଥର ତ ଆଉ କିଏ ୨ଥର ଲେଖାଏଁ ପ୍ଲାଜ୍ମା ଦାନ କରିସାରିଲେଣି। ଗୋଟିଏ ୟୁନିଟରେ ୨ଜଣ ସଂକ୍ରମିତ ସୁସ୍ଥ ହୋଇପାରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟରେ ପ୍ଲାଜମା ଥେରାପିର ପ୍ରସାର ଲକ୍ଷ୍ୟରେ ଅଗଷ୍ଟ ୫ ତାରିଖରୁ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲରେରେ ପ୍ଲାଜମା ବ୍ୟାଙ୍କ ଆରମ୍ଭ ହୋଇଛି। ଆଜି ସୁଦ୍ଧା ଏଠାରେ ୩୦୫ ଜଣ ବ୍ୟକ୍ତି ପ୍ଲାଜ୍ମା ଦାନ କରିସାରିଲେଣି। ଦକ୍ଷିଣଓଡ଼ିଶାର ଗଞ୍ଜାମ, ଗଜପତି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରୁ ସୁସ୍ଥ ବ୍ୟକ୍ତି ମାନେ ଆଜି ପ୍ଲାଜ୍ମା ଦାନ କରଛନ୍ତି। ଏହାମଧ୍ୟରେ ୧୩ଜଣ ସୁସ୍ଥ ବ୍ୟକ୍ତି ୨ ଥର ଲେଖାଏଁ ପ୍ଲାଜ୍ମା ଦାନ କରିସାରିଥିବା ବେଳେ ଜଣେ ବ୍ୟକ୍ତି ୩ ଥର ଦାନ କରିଛନ୍ତି। ରାଜ୍ୟର ବିଭିନ୍ନ କୋଭିଡ଼୍ ଚିକିତ୍ସାଳୟକୁ ଏଠାରୁ ପ୍ଲାଜ୍ମା ପ୍ରେରଣ କରାଯାଇଛି। ବିଭିନ୍ନ କୋଭିଡ଼୍ ହସ୍ପିଟାଲକୁ ୬୬୭ ୟୁନିଟ୍ ପ୍ରେରଣ କରାଯାଇଛି। ଏମ୍କେସିଜି କୋଭିଡ଼୍ ହସ୍ପିଟାଲକୁ ୨୬୭ ୟୁନିଟ୍, ଅଶ୍ବିନୀ କୋଭିଡ଼୍ ହସ୍ପିଟାଲକୁ ୨୨୨ ୟୁନିଟ୍, ଟାଟା କୋଭିଡ଼୍ ହସ୍ପିଟାଲକୁ ୧୭୨ ୟୁନିଟ୍, ଭୁବନେଶ୍ବର ସମ୍ କୋଭିଡ଼୍ ହସ୍ପିଟାଲକୁ ୨ଟି, ମାଲକାନଗିରି କୋଭିଡ଼୍ ହସ୍ପିଟାଲକୁ ୨ଟି, କଟକ ସ୍ଥିତ ସୃଷ୍ଟି ଓ ସନ୍ କୋଭିଡ଼୍ ହସ୍ପିଟାଲକୁ ଗୋଟିଏ ଲେଖାଏଁ ୟୁନିଟ୍ ପ୍ଲାଜମା ପ୍ରେରଣ କରାଯାଇଛି। ଏହା ଦ୍ବାରା ବହୁ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି
ଡା. ସୁସ୍ମିତା ବେହେରା, ସହକାରୀ ଅଧ୍ୟାପିକା ଏମ୍କେସିଜି ମେଡ଼ିକାଲ, ନୋଡ଼ାଲ୍ ଅଫିସର, ପ୍ଲାଜମା ବ୍ୟାଙ୍କ୍
ପ୍ଲାଜମା ହେଉଛି ରକ୍ତର ଏକ ହଳଦିଆ ତରଳ ପଦାର୍ଥ। ରକ୍ତରେ ଆରବିସି, ଡବ୍ଲ୍ୟୁବିସି, ପ୍ଲେଟଲେଟ୍ ଓ ପ୍ଲାଜମା ରହିଥାଏ। ପ୍ଲାଜମା ଥେରାପି ଦ୍ବାରା ବହୁ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇପାରୁଛନ୍ତି। ପ୍ଲାଜମା ଥେରାପି କରୋନା ଚିକିତ୍ସାର ଏକ ବଳିଷ୍ଠ ଉପାୟ। ଶରୀର କୌଣସି ଭୂତାଣୁ କିମ୍ବା ଜୀବାଣୁ ସଂସ୍ପର୍ଶରେ ଆସି ଶରୀରରେ ରୋଗ ପ୍ରତିଶେଧକ ଶକ୍ତି ବୃଦ୍ଧି ହୋଇଥାଏ। କରୋନା ସଂକ୍ରମିତ ବ୍ୟକ୍ତି ସମ୍ପୂର୍ଣ୍ଣରୁ ସୁସ୍ଥ ହେବାର ୪ ସପ୍ତାହ ଅର୍ଥାତ୍ ୨୮ ଦିନ ପରେ ପ୍ଲାଜମା ଦାନ କରିପାରିବେ। ଏଥିପାଇଁ ବିଭିନ୍ନ ନିୟମ ମଧ୍ୟ ରହିଛି। ମୁଖ୍ୟତଃ ୧୮ ବର୍ଷରୁ ୬୫ ବର୍ଷୀୟ ବ୍ୟକ୍ତି ପ୍ଲାଜ୍ମା ଦାନ କରିପାରିବେ। ସେମାନଙ୍କ ଓଜନ ୫୦ କିଲୋଗ୍ରାମରୁ ଅଧିକ ରହିବା ଆବଶ୍ୟକ। କିନ୍ତୁ ଗର୍ଭବତୀଙ୍କ ସମେତ ମଧୁମେହ, କ୍ୟାନ୍ସର, ଓ କ୍ୟାନ୍ସରରୁ ସୁସ୍ଥ ହୋଇଥିବା ବ୍ୟକ୍ତି, କିଡ଼ନି, ହାର୍ଟ, ଫୁସଫୁସ୍ ଓ ଲିଭରଜନିତ ରୋଗୀ ପ୍ଲାଜମା ଦାନ କରିପାରିବେ ନାହିଁ। କରୋନା ସଂକ୍ରମଣରୁ ଆରୋଗ୍ୟ ହେବାର ୪ ସପ୍ତାହ ପରେ ପ୍ଲାଜମା ଦାନ ପାଇଁ ଇଚ୍ଛୁକଙ୍କୁ ହିମୋଗ୍ଲୋବିନ୍, ହେମାଟାକ୍ରିଟ୍, ପ୍ଲେଟେଲେଟ୍, ହେପାଟାଇଟିସ୍ ବି ଓ ସି, ମ୍ୟାଲେରିଆ, ସିଫିଲିସ୍, ଏଚ୍ଆଇଭି ୧ ଓ ୨ ପରୀକ୍ଷା, ପ୍ରୋଟିନ୍, ବ୍ଲଡ଼ ଗ୍ରୁପ୍ ନିରୁପଣ ସହ ଆଣ୍ଟିବଡ଼ି ସ୍କ୍ରିନିଂ ଓ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ଡକାଯାଇଥାଏ। ଏଥିରେ ମୁଖ୍ୟତଃ ଏସ୍ଏଆରଏସ୍ କୋଭିଡ଼୍ ଆଇଜିଜି ପରିମାଣ ମଧ୍ୟ ଯାଞ୍ଚ କରାଯାଇଥାଏ। ସମସ୍ତ ପରୀକ୍ଷଣ ସରିବା ପରେ ଉକ୍ତ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରି ପ୍ଲାଜମା ଦାନ ପାଇଁ ଡକାଯାଇଥାଏ। ଗୋଟିଏ ବ୍ୟକ୍ତି ୧୫ ଦିନ ବ୍ୟବଧାନରେ ଥରେ ପ୍ଲାଜମା ଦାନ କରିପାରିବେ। ସେମାନଙ୍କ ଠାରୁ ୪୦୦ ଏମ୍ଏଲ୍ ପ୍ଲାଜମା ସଂଗ୍ରହ କରାଯାଇଥାଏ। ପ୍ଲାଜମା ଦାନ କରଥିବା ବ୍ୟକ୍ତିଙ୍କ ଶରୀରରେ ୪୮ ଘଣ୍ଟାରେ ପୁଣି ପ୍ଲାଜମା ତିଆରି ହୋଇଯାଇଥାଏ। ଏଥିପାଇଁ ଆବଶ୍ୟକ ପାଣି ପିଇବାକୁ ପଡ଼େ। ଏହି ପ୍ଲାଜମାକୁ ମଡ଼ରେଟ୍ ଟୁ ସିଭିୟର୍ କୋଭିଡ଼୍ ରୋଗୀଙ୍କୁ ସଠିକ୍ ସମୟ, ସଠିକ୍ ବ୍ୟକ୍ତି ଓ ସଠିକ୍ ପରିମାଣରେ ପ୍ରଦାନ କରାଇଥାଏ। ସଂକ୍ରମିତ ବ୍ୟକ୍ତିଙ୍କୁ ପ୍ଲାଜ୍ମା ଥେରାପି ପରେ ଅମ୍ଳଜାନର ଆବଶ୍ୟକତା କମିବା ସହ ସେମାନେ ଶୀଘ୍ର ସୁସ୍ଥ ମଧ୍ୟ ହୋଇଥାନ୍ତି। ଏଥିସହ ପ୍ଲାଜମା ପ୍ରଦାନ ଦାନ ନିରାପଦ ଅଟେ। ଏଣୁ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ମାନେ କରୋନା ରୋଗୀଙ୍କ ଅମୂଲ୍ୟ ଜୀବନ ବଞ୍ଚାଇବାକୁ ଆଗେଇ ଆସିବା ଦରକାର।
ଏନ୍.ଡମ୍ବୁରୁ ରେଡ୍ଡୀ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ
କରୋନା ରୋଗରେ ଆକ୍ରାନ୍ତ ହେଲେ ସେଥିରୁ ସୁସ୍ଥ ହେବାର ଚିନ୍ତା ରହିଥାଏ। ଏହି ଅନୁଭୂତି ମୋର ରହିଛି। ତେଣୁ ମହାମାରୀରୁ ସୁସ୍ଥ ହୋଇ ଫେରିବା ପରେ ପ୍ଲାଜମା ପ୍ରଦାନ ମୋର ଆଗ୍ରହ ବଢ଼ିଥିଲା। ପ୍ଲାଜମା ଦ୍ବାରା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇପାରୁଥିବାରୁ ଗୋଟିଏ ଥର ପ୍ଲାଜମା ପ୍ରଦାନ କରିଥିଲି। ଏହା ପରେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ ପରେ ପୁଣି ପ୍ଲାଜ୍ମା ଦାନ କରିଛି। ଏବେ ୩ ଥର ପ୍ଲାଜ୍ମା ଦେଇଥିବା ବେଳେ ଆଗକୁ ମଧ୍ୟ ପ୍ରଦାନ କରିବି। ବହୁ ମାତ୍ରାରେ ସଂକ୍ରମିତ ବ୍ୟକ୍ତି ରହିଥିବା ବେଳେ ସେମାନେ ଆସି ପ୍ଲାଜମା ଦାନ କରିବା ଦରକାର।