୩୦ଟି ଜିଲ୍ଲାରେ ଗଠନ ହୋଇଛି ଖାଉଟି ସୁରକ୍ଷା ପରିଷଦ

ଅଦାଲତ ଅବମାନନା ମାମଲାରେ ସରକାରଙ୍କ ସତ୍ୟପାଠ

କଟକ: ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଖାଉଟି ସୁରକ୍ଷା ପରିଷଦ ଗଠନ କରାଯାଇଛି। ଖାଉଟିଙ୍କୁ ଅଧିକାର ସଂପର୍କରେ ସଚେତନ କରିବାକୁ ବିଭିନ୍ନ ବେସରକାରୀ ସଂସ୍ଥାର ସହଯୋଗ ନିଆଯାଉଛି। ଉପଭୋକ୍ତା ସଂଘ ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ସାନି ସତ୍ୟପାଠରେ ଏହା ଦର୍ଶାଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ବି.କେ.ଯାଦବ ହାଇକୋର୍ଟଙ୍କ ଆଦେଶ ପାଳନରେ ବିଳମ୍ବ ପାଇଁ ସତ୍ୟପାଠ ମାଧ୍ୟମରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିବା ସହିିତ ଏଭଳି ତଥ୍ୟ ଦେଇଛନ୍ତି। ପ୍ରତି ଜିଲ୍ଲାକୁ ଏଥି ପାଇଁ ୧୦ ହଜାର ଟଙ୍କା ଲେଖାଏଁ ଟଙ୍କା ଦିଆଯାଇଥିବା ନେଇ ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି। ଖାଉଟି ସୁରକ୍ଷା ପରିଷଦର ବୈଠକ ଆୟୋଜନ ସହିତ ବୈଠକ ପରିଚାଳନା ବାବଦରେ ଏହି ଅର୍ଥ ଖର୍ଚ୍ଚ ହେବ। ସରକାରଙ୍କ ସତ୍ୟପାଠ ପରେ ଏହି ମାମଲାରେ ଆବେଦନକାରୀ ଓଡ଼ିଶା ଉପଭୋକ୍ତା ସଂଘ ଦୁଇ ସପ୍ତାହ ଭିତରେ ପ୍ରତିଜବାବ ଦାଖଲ କରିବେ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ର, ବିରଜା ପ୍ରସନ୍ନ ବଳ, ଅରୁଣ କୁମାର ସାହୁ ଓ ପ୍ରଶାନ୍ତ ପଣ୍ଡା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର