ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ ବୁଧବାର ଏକ ଗାଈର ଅସ୍ତ୍ରୋପଚାର କରାଯାଇ ପ୍ରାୟ ୩୦କେଜି ଓଜନର ପଲିଥିନ୍ ଅବଶେଷ ବାହାର କରାଯାଇଥିବା ଜଣାପଡ଼ିଛି। ଅସ୍ତ୍ରୋପଚାର ପରେ ମଧ୍ୟ ଗାଈଟି ଚିକିତ୍ସାଧୀନ ଅଛି, ତା’ର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ନେଇ ସିଡିଭିଓ ମନୋଜ କୁମାର ସାହୁ ପ୍ରକାଶ କରିଛନ୍ତି।

Advertisment

ସୂଚନା ମୁତାବକ, ଗତ ୩୧ତାରିଖ ସକାଳେ ବିଜିପୁର ପେଟ୍ରୋଲ ପମ୍ପ ନିକଟରେ ଏକ ଗାଈ (ଆନୁମାନିକ ବୟସ ୧୦-୧୧ବର୍ଷ)) ଯନ୍ତ୍ରଣାରେ ଛଟପଟ ହେଉଥିବା ଖବର ପାଇ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟର ଡାକ୍ତର ସେଠାରେ ପହଁଚିଥିଲେ। ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରି ପ୍ରାଥମିକ ଚିକିତ୍ସା କରି ଫେରି ଆସିଥିଲେ। କିନ୍ତୁ ଦ୍ବିପ୍ରହରରେ ପୁଣିଥରେ ଗାଈଟି ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିନଥିବା ଖବର ମିଳିବାରୁ, ସିଡିଭିଓଙ୍କ ପରାମର୍ଶକ୍ରମେ ଆମ୍ବୁଲାନ୍ସ ଯୋଗେ ଗାଈଟିକୁ ଚିକିତ୍ସାଳୟକୁ ନିଆଯାଇ ସାଲାଇନ୍ ଆଦି ଦିଆଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ପେଟରେ ଯନ୍ତ୍ରଣାରୁ ସେ ଛଟପଟ ହେଉଥିଲା। ପରୀକ୍ଷା ନିରୀକ୍ଷାରୁ ସେ ଗର୍ଭବତୀ ନଥିବା ଜଣାପଡ଼ିଥିଲା। ତେଣୁ ପେଟରେ ପଲିଥିନ୍ ଥିବା ନେଇ ଡାକ୍ତର ସତ୍ୟ ନାରାୟଣ କର ସନ୍ଦେହ କରିଥିଲେ। ଆଜି ସକାଳେ ତା’ର ପେଟରେ ଅସ୍ତ୍ରୋପଚାର କରିବାରୁ, ପ୍ରଚୁର ପରିମାଣର ପଲିଥିନ୍ ଅବ‌େଶଷ ବାହାରିଥିଲା। ଯାହାର ଓଜନ ଆନୁମାନିକ ୨୫-୩୦କେଜି ହେବ। ସଫଳ ଅସ୍ତ୍ରୋପଚାର ପରେ ଗାଈକୁ ମୁଖ୍ୟ ଚିକିତ୍ସାଳୟରେ ରଖାଯାଇ ଚିକିତ୍ସା ଜାରି ରହିଛି। ତେବେ ଜିଲ୍ଲାର ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ହୋଇଥିଲେ ମଧ୍ୟ ଏଠାରେ ଅଲ୍ଟ୍ରା ସାଉଣ୍ଡ ମେସିନ୍ ଟିଏ ନାହଁ। ସେଥିପାଇଁ ଗାଈଟିର ପ୍ରକୃତ ସ୍ବାସ୍ଥ୍ୟ ସମସ୍ୟା ଜାଣିବାକୁ ଡାକ୍ତରଙ୍କୁ ୨ଦିନ ଲାଗିଯାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ସହରରରେ ପଲିଥିନ୍‌ ବ୍ୟବହାରକୁ ନିଷେଧ କରାଯାଇଛି। କିନ୍ତୁ ବେଧଡ଼କ ପଲିଥିନ୍‌ର ବହୁଳ ବ୍ୟବହାର ହେଉଛି। ଯେକୌଣସି ଡମ୍ପିଂୟାର୍ଡକୁ ଦେଖିଲେ, ଏହା କେବଳ କାଗଜକଲମ ଏବଂ ଘୋଷଣାରେ ସୀମିତ ରହିଥିବା ସ୍ପଷ୍ଟ ଅନୁମେୟ ହେଉଛି। କୁଢ଼କୁଢ଼ ପଲିଥିନ୍ ଜରିରେ ଭର୍ତ୍ତି ଆବର୍ଜନା ପଡ଼ି ରହୁଛି। ଆଉ ସେଥିରୁ ଗାଈଗୋରୁମାନେ ଖାଦ୍ୟ ଅ‌େନ୍ବଷଣ କରୁଥିବା ଦେଖିବାକୁ ମିଳୁଛି। ପଲିଥିନ୍ ଜରିରେ ଭର୍ତ୍ତି ନଷ୍ଟ ହୋଇଯାଇଥିବା ପନିପରିବା ତା’ର ଚୋପା, ବାସି ଖାଦ୍ୟ, ଫଳମୂଳ ଆଦି ପଡ଼ି ରହୁଛି। ତା’କୁ ଗାଈଗୋରୁମାନେ ଖାଦ୍ୟଭାବେ ଭକ୍ଷଣ କରି ଅସୁସ୍ଥ ହୋଇପଡ଼ୁଛନ୍ତି। ତେଣୁ ସହରବାସୀ ଏନେଇ ସଚେତନ ହୋଇ ଖାଦ୍ୟପଦାର୍ଥ ଗୁଡ଼ିକ ପଲିଥିନ୍‌ ଜରିରେ ଭର୍ତ୍ତି ନକରି କାଗଜରେ ଗୁଡ଼ାଇ ଅବା ଖୋଲାରେ ନେଇ ଆବର୍ଜନା କୁଣ୍ଡରେ ପକାଇଲେ ଏଭଳି ସମସ୍ୟାକୁ ଏଡ଼ାଇ ହେବ ବୋଲି ଥିବା ପଶୁ ବିଶେଷଜ୍ଞଙ୍କ ମତ।