ବାଚସ୍ପତିଙ୍କ ଭୂମିକା ନିରପେକ୍ଷ ରହୁନାହିଁ: ସିଂଘଭି

ମହତାବ ସ୍ମାରକୀ ବକ୍ତୃତା

କଟକ : ଭାରତରେ ପ୍ରତି ଏକ ନିୟୁତ ଲୋକ ସଂଖ୍ୟାରେ ୧୯ ଜଣ ବିଚାରପତି ଅଛନ୍ତି। ୨୪ଟି ହାଇକୋର୍ଟରେ ୪୦୬ଟି ବିଚାରପତି ପଦବି ଖାଲିପଡିଥିବା ବେଳେ ନିମ୍ନ ଅଦାଲତଗୁଡିକରେ ୫ ହଜାର ୭୪୮ଟି ବିଚାରପତି ପଦବି ଖାଲି ପଡିଛି। ଫଳରେ ନ୍ୟାୟିକ ବ୍ୟବସ୍ଥାରେ ବହୁ ସମସ୍ୟା ସୃଷ୍ଟି ହେଉଥିବାବେଳେ ଦେଶରେ ଏବେ ୩ କୋଟିରୁ ଅଧିକ ମାମଲା ପଡି ରହିଛି।

ଡକ୍ଟର ହରେକୃଷ୍ଣ ମହତାବ ଫାଉ‌େଣ୍ଡସନ ପକ୍ଷରୁ କଟକର ସାରଳା ଭବନରେ ଆୟୋଜିତ ୩୦ତମ ମହତାବ ସ୍ମାରକୀ ବକ୍ତୃତାରେ ‘ଭାରତୀୟ ଗଣତନ୍ତ୍ରର ସାମ୍ବିଧାନିକ ସ୍ତମ୍ଭ’ ଶୀର୍ଷକ ପ୍ରସଙ୍ଗରେ ଏଭଳି ମତପୋଷଣ କରିଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥ‌ା ରାଜ୍ୟସଭା ସାଂସଦ ଅଭିଷେକ ମନୁସିଂଘଭି। ଶ୍ରୀ ସିଂଘଭି କହିଛନ୍ତି ଯେ ଜଣେ ବିଚାରପତି ଅବସରଗ୍ରହଣ କରିବାର ଦୁଇମାସ ପୂର୍ବରୁ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେବା ପ୍ରକ୍ରିୟା ଆରମ୍ଭ ହେବା ଅଆବଶ୍ୟକ। ନିମ୍ନ ଅଦାଲତ ଗୁଡିକରେ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୨୨ ହଜାର ୪୭୪ ଥିବା ବେଳେ ଏବେ ମାତ୍ର ୧୬ହଜାର ୭୨୬ ଜଣ ବିଚାରପତି ଅଛନ୍ତି। ତେଣୁ ନ୍ୟାୟିକ ବ୍ୟବସ୍ଥାରେ ସୁଧାର ଆଣିବା ସହ ଗ୍ରାମ ନ୍ୟାୟାଳୟ ଉପରେ ଗୁରୁତ୍ବ ଦିଆଯିବା ଆବଶ୍ୟକ।

ଅନ୍ୟପଟେ ସଂସଦୀୟ ବ୍ୟବସ୍ଥା ଉପରେ ମତ ରଖି ଶ୍ରୀ ସିଂଘଭି କହିଛନ୍ତି ଯେ ସଂସଦରେ ବାଚସ୍ପତିଙ୍କ ଭୂମିକା ନିରପେକ୍ଷ ନୁହେଁ। ବାଚସ୍ପତି ବି ରାଜନୈତିକ ଦଳର ହୋଇଥିବାରୁ ବିତର୍କ ଏବଂ ଗୃହ ପରିଚାଳନାରେ ସ୍ବଚ୍ଛତା ରହୁ ନାହିଁ। ଯୁକ୍ତରାଜ୍ୟରେ ବାଚସ୍ପତି ନିର୍ବାଚନ ସର୍ବସମ୍ମତି କ୍ରମେ ହୋଇଥିବା ବେଳେ ଭାରତରେ ମଧ୍ୟ ସେହି ଢାଞ୍ଚାରେ ବାଚସ୍ପତି ଚୟନ କରିବାକୁ ଶ୍ରୀ ସିଂଘଭି ପରାମର୍ଶ ଦେଇଛନ୍ତି। ଗଣମାଧ୍ୟମର ଭୂମିକା ଉପରେ ମତ ରଖି ଶ୍ରୀ ସିଂଘଭି କହିଛନ୍ତି ଯେ ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ଗଣମାଧ୍ୟମ ତାର ଭୂମିକା ଠିକ ଭାବେ ତୁଲାଉ ନାହିଁ। ଦେଶରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଖବର କାଗଜ ଏବଂ ୫୧୫ଟି ଟିଭି ଚ୍ୟାନେଲ ଥିବାବେଳେ ବୈଦ୍ୟୁତିକ ଗଣମାଧ୍ୟମଗୁଡିକ ଟିଆରପି ପଛରେ ଗୋଡାଉଛନ୍ତି ବୋଲି ଶ୍ରୀ ସିଂଘଭି ମତ ରଖିଛନ୍ତି।

କାର୍ଯ୍ୟକ୍ରମରେ ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ତଥା କଟକ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ ସ୍ବାଗତ ଭାଷଣ ଦେଇଥିଲେ। ମଣିପୁର ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟବିଚାରପତି ଜଷ୍ଟିସ ଲକ୍ଷ୍ମୀକାନ୍ତ ମହାପାତ୍ର ସଭାପତିିତ୍ବ ଅଭିଭାଷଣ ରଖିଥିବା ‌ବେଳେ ଲୋକରଞ୍ଜନ ମହତାବ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର