ଅନ୍‌ଲାଇନ୍‌ ଶିକ୍ଷାଦାନରେ ୩୧.୦୯% ଛାତ୍ରଛାତ୍ରୀ ଉପକୃତ

ଭୁବନେଶ୍ୱର : କୋଭିଡ୍‌ ପାଇଁ ସ୍କୁଲ୍‌ ଏ ପର୍ଯ୍ୟନ୍ତ ଖୋଲି ନାହିଁ। ଅନ୍‌ଲାଇନ୍ ମାଧ୍ୟମରେ ଶିକ୍ଷା ଦାନ ଜାରି ରହିଛି। ତେବେ ରାଜ୍ୟର ସରକାରୀ ସ୍କୁଲ୍‌ଗୁଡ଼ିକରେ ଅନ୍‌ଲାଇନ୍‌ ଶିକ୍ଷାଦାନରୁ ମାତ୍ର ୩୧.୦୯ ପ୍ରତିଶତ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି। କେବଳ ଖୋର୍ଦ୍ଧା ଜିଲ୍ଲାକୁ ବାଦ୍ ଦେଲେ କୌଣସି ଜିଲ୍ଲାରେ ୫୦% ଛାତ୍ରଛାତ୍ରୀଙ୍କ ପାଖରେ ଅନ୍‌ଲାଇନ୍‌ ଶିକ୍ଷାଦାନ ପହଞ୍ଚି ପାରୁ ନାହିଁ। ବିଧାନସଭାରେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏମିତି ତଥ୍ୟ ଦେଇଛନ୍ତି।

ଶିକ୍ଷାଦାନରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ସମ୍ପର୍କରେ ମନ୍ତ୍ରୀ ତାଙ୍କ ଉତ୍ତରରେ ଆହୁରି ଦର୍ଶାଇଛନ୍ତି ଯେ ମୋବାଇଲ୍‌ ଫୋନ୍ ଓ‌ ନେଟ୍‌ୱର୍କ ସମସ୍ୟା ଯୋଗୁ ଯେଉଁ ଛାତ୍ରଛାତ୍ରୀ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି, ସେମାନଙ୍କ ପାଇଁ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରାଯାଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଜଣାଇ ଦିଆଯାଇଛି। ଏହା ବାଦ୍ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦୂରଦର୍ଶନ ମାଧ୍ୟମରେ ଶିକ୍ଷାଦାନ ପାଇଁ ଭିଡିଓ ଲେସନ୍ ପ୍ରସ୍ତୁତ କରାଯାଉଛି। ସ୍ମାର୍ଟ ଫୋନ୍ ଉପଲବ୍ଧ ଥିବା ପିଲାମାନଙ୍କ ସହ ସହପାଠୀମାନେ ଓଡ଼ିଶା ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ଓ ଅନ୍‌ଲାଇନ୍‌ କ୍ଲାସ୍‌ରେ ସାମିଲ୍‌‌ ହେବା ପାଇଁ ଉତ୍ସାହିତ କରାଯାଉଛି। ଫିଚର୍‌ ଫୋନ୍ ଥିବା ପିଲାମାନଙ୍କୁ ଶିକ୍ଷକମାନେ ନିୟମିତ କଲ୍‌କରି ଘରେ ଶିକ୍ଷା କାର୍ଯ୍ୟରେ ସହାୟତା କରିବାକୁ ପରାମର୍ଶ ଦିଆଯାଇଛି। ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସୋମବାରରୁ ଶୁକ୍ରବାର ଦୈନିକ ୨ ଘଣ୍ଟା ଟିଭି ମାଧ୍ୟମରେ ଶିକ୍ଷାଦାନ ଦିଆଯାଉଥିଲା ବେଳେ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦୈନିକ ଏକ ଘଣ୍ଟା ଶିକ୍ଷା ଦିଆଯାଉଛି। ସେହିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଗତ ସେପ୍ଟେମ୍ବର ୨୮ ତାରିଖରୁ ସୋମବାରରୁ ଶୁକ୍ରବାର ସକାଳ ୧୦ଟାରେ ରେଡିଓ ପାଠଶାଳା ମାଧ୍ୟମରେ ଶିକ୍ଷାଦାନ କରାଯାଉଛି।

ସମ୍ବନ୍ଧିତ ଖବର