ଭୁବନେଶ୍ବର: ଫେବ୍ରୁଆରି ବଢ଼ିଲାଣି ତାତି। ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି ତାପମାତ୍ରା। ଆଜି ୩୧ ସହରର ତାପମାତ୍ରା ୩୦ ଡିଗ୍ରି ଉପରେ ରହି‌ଥିଲା। ପାରଳାଖେମୁଣ୍ଡିରେ ସର୍ବୋଚ୍ଚ ୩୫.୬ ଡିଗ୍ରି ରହିଥିବା ବେଳେ ଝାରସୁଗୁଡ଼ାରେ ୩୫.୨ ଡିଗ୍ରି ‌ରେକର୍ଡ କରାଯାଇଛି। ଭୁବନେଶ୍ବରରେ ଆଜି ତାପମାତ୍ରା ୩୩.୬ ଡିଗ୍ରି ରହିଥିଲା। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଅଞ୍ଚଳରେ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବା ନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। 

Advertisment

ପଶ୍ଚିମ ଓଡ଼ିଶାରେ ତାପମାତ୍ରା ବଢିବା ନେଇ ଆକଳନ କରାଯାଇଛି। ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର, ସୋନପୁର, ନୂଆପଡ଼ା ଜିଲ୍ଲାରେ ୩୦ ରୁ ୩୪ ଡିଗ୍ରି ତାପମାତ୍ରା ରହିବ। ଦକ୍ଷିଣ ଓଡ଼ିଶାରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି। ତାପମାତ୍ରା ବୃଦ୍ଧି ସହ ଘନ କୁହୁଡି ମଧ୍ୟ ଅସ୍ତବ୍ୟସ୍ତ କରିବାକୁ ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ଭିତରେ ଘନ କୁହୁଡି ପାଇଁ ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଏଥିରେ ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଢେଙ୍କାନାଳ, ଅନୁଗୁଳ, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, କେଉଁଝର, ମୟୂରଭଞ୍ଜ ରହିଛି। ୩ ତାରିଖ ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ମିଟର ରହିବ ବୋଲି ଆକଳନ କରାଯାଇଛି।