ତେଲକୋଇ ରେଞ୍ଜରେ ବୁଲୁଛନ୍ତି ୩୧ ହାତୀ

ନଷ୍ଟ କଲେଣି ୫୦ ଏକରରୁ ଊର୍ଦ୍ଧ୍ବ ଧାନ ଫସଲ

ତେଲକୋଇ: ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଚାଷୀ କ୍ଷେତରେ ସୁନାର ଫସଲ ଫଳାଇଛି। ଅମଳ କରିବାକୁ ବାହାରିବା ବେଳକୁ ଦାଉ ସାଧୁଛନ୍ତି ହାତୀପଲ। ବିଲରେ ଲହଡ଼ି ମାରୁଥିବା ପାଚିଲା ଧାନ ହାତୀ ମୁହଁରେ ଯାଉଥିବାରୁ ଚାଷୀକୁଳ ଚିନ୍ତାରେ ପଡ଼ି ଯାଇଛନ୍ତି। ଏଭଳି ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ରେ। ତେଲକୋଇ ‌ରେଞ୍ଜରେ ୩୧ଟି ହାତୀ ବୁଲୁଥିବା ବେଳେ ହାତୀପଲ ମାସକ ମଧ୍ୟରେ ୫୦ ଏକରରୁ ଊର୍ଦ୍ଧ୍ବ ଜମିରେ ଫସଲ ନଷ୍ଟ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ବନ ବିଭାଗର ସୂଚନା ଅନୁଯାୟୀ, ତେଲକୋଇ ରେଞ୍ଜରେ ଦୁଇଟି ଦଳରେ ୩୧ଟି ହାତୀ ବୁଲୁଛନ୍ତି। ଗୋଟିଏ ଦଳରେ ୨୩ଟି ଏବଂ ଅନ୍ୟଟିରେ ୮ଟି ହାତୀ ଅଛନ୍ତି। ଉଭୟ ପଲରେ ୭ଟି ଦନ୍ତା, ୧୪ଟି ମାଈ ଓ ୧୦ଟି ଛୁଆହାତୀ ରହିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଦୁଇଟି ହାତୀପଲ ମାସେ ହେଲା ଚାଷୀଙ୍କ ନିଦ ହଜାଇ ଦେଇଛନ୍ତି। ଦିନବେଳା ହାତୀପଲ ନିକଟସ୍ଥ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି। ଚାଷଜମିରେ ପଶି ପାଚିଲା ଧାନ ଖାଇବା ସହ ଦଳିଚକଟି ନଷ୍ଟ କରିଦେଉଛନ୍ତି। ବର୍ତ୍ତମାନ ଧାନ ପାଚି ସାରିଥିବା ବେଳେ ଚାଷୀମାନେ ଅମଳ କରିବା ପାଇଁ ସଜବାଜ ହେଉଛନ୍ତି। ଏହା ପୂର୍ବରୁ ହାତୀପଲ ବିଲରେ ପଶି ଛାରଖାର କରିଦେଉଛନ୍ତି। ସ୍ଥିତି ଏମିତି ଯେ, କ୍ଷୁଦ୍ର ଓ ଭାଗଚାଷୀଙ୍କ କ୍ଷେତ୍ରରେ ବର୍ଷକ ପାଇଁ ଚାଉଳ ଯୋଗାଡ଼ କରିବା କଷ୍ଟକର ହେଉଛି। ହାତୀପଲ ମାସକ ମଧ୍ୟରେ ବନବିହାରୀପୁର, ମଲଣ୍ଡା, ଆକୁଳ, ଭୀମକାଣ୍ଡ, ଗୋପୀନାଥପୁର, ବନ୍ଧନଝରୀ, ବାଲେଶ୍ବର, ଦୁଲ୍ଲଭପୁର, କୁଲାଡେରା, ପଡ଼ାଙ୍ଗ, କୃଷ୍ଣପୁର, କରମଙ୍ଗି, ଶିରିଗିଡ଼ା, କୁଣ୍ଢେଇହତା, ନମକାନୀ, ବିମଳା, ରାଣୀବେଡ଼ା, ରାଇସୁଆଁ, କନ୍ତଲେଇ, ଖଜୁରିଆ, ପୁରୁଷୋତ୍ତମପୁର, ଖୁଣ୍ଟାପଡ଼ା, କାଳିମା, କାନ୍ତଲସୁଆ, ଗୋଳାଗାଡ଼ିଆ ଗ୍ରାମର ଶତାଧିକ ଚାଷୀଙ୍କ ୫୦ ଏକରରୁ ଊର୍ଦ୍ଧ୍ବ ଜମିର ଫସଲ ଉଜାଡ଼ି ସାରିଲେଣି। ହାତୀଙ୍କ ଗତିବିଧି ନିୟନ୍ତ୍ରଣ କରିବା ପାଇଁ ବନ ବିଭାଗର ହାତୀ ସ୍କ୍ବାଡ୍‌ ଥିବା ବେଳେ ଚାଷୀମାନେ ରାତି ଉଜାଗର ରହି ନିଆଁ ଜାଳି, ବାଜା ବଜାଇ ନିଜ ଫସଲକୁ ସୁରକ୍ଷା ଦେଉଥିବା ଦେଖିବାକୁ ମିଳୁଛି।

ଅନ୍ୟପକ୍ଷରେ ଫସଲ କ୍ଷୟକ୍ଷତି ସମ୍ପର୍କରେ ଅଭିଯୋଗ କଲେ କ୍ଷୟକ୍ଷତି ଆକଳନ କରିବା ପାଇଁ ବନ ବିଭାଗ କର୍ମଚାରୀମ‌ାନେ ବିଳମ୍ବରେ ପହଞ୍ଚୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ସେହିପରି ସରକାରଙ୍କ ପକ୍ଷରୁ ଦିଆଯାଉଥିବା କ୍ଷତିପୂରଣ ‘ସମୁଦ୍ରକୁ ଶଙ୍ଖେ’ ପରି ହେଉଥିବାରୁ ଅନେକ ଚାଷୀ କ୍ଷତିପୂରଣ ପାଇଁ ଆବେଦନ କରୁନାହାନ୍ତି। ବନ ବିଭାଗ ହାତୀପଲଙ୍କୁ ଅନ୍ୟତ୍ର ଘଉଡ଼ାଇବା ସହ ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ କରିବା ଏବଂ କ୍ଷତିପୂରଣ ରାଶି ବୃଦ୍ଧି କରିବାକୁ ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର