ସୁନ୍ଦରଗଡ଼ର ୩୧ ଖୋଲା ମଳ ମୁକ୍ତ ଗାଁ ଘୋଷଣା ଫଳକରେ, ଲୋକେ ଏବେ ବି ଯାଉଛନ୍ତି ଖୋଲାପଡ଼ିଆ

ସୁନ୍ଦରଗଡ଼: ସ୍ବଚ୍ଛ ଭାରତ ଅଭିଯାନରେ ଗାଁ ପରିବେଶକୁ ସ୍ବଚ୍ଛ ଓ ନିର୍ମଳ ରଖିବାକୁ ଲୋକଙ୍କୁ ୧୨ ହଜାର ଟଙ୍କାରେ ବ୍ୟକ୍ତିଗତ ଶୌଚାଳୟ ସବୁ ଯୋଗାଇ ଦେଇଥିଲେ ସରକାର। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ୧୬୭୯ ଗାଁକୁ ଏହି ଅଭିଯାନରେ ସାମିଲ କରାଯାଇଥିଲା। ଏହା ମଧ୍ୟରେ ୩୧ ଗାଁକୁ ଖୋଲା ମଳତ୍ୟାଗ ମୁକ୍ତ ଗାଁ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଏସ୍ଥିତିରେ ସୁନ୍ଦରଗଡ଼ ଜିଲ୍ଲାରେ ୨୦୧୮ ନଭେମ୍ବର ୨୦ରୁ ୧୬୭୯ ଗାଁକୁ ଏହି ଅଭିଯାନରେ ସାମିଲ କରି ସେଥିମଧ୍ୟରୁ ୩୧ ଗାଁକୁ ଖୋଲା ମଳତ୍ୟାଗ ମୁକ୍ତ ଗାଁ ଘୋଷଣା କରାଯାଇଛି।

ବାଲିଶଙ୍କରା ବ୍ଲକର ୮୫ଟି ଗାଁରୁ ୩ଟି ଗାଁ, ବଣାଇଁଗଡ଼ ବ୍ଲକର ୧୦୩ଟି ଗାଁରୁ ଗୋଟିଏ ଗାଁ, ହେମଗିର ବ୍ଲକର ୧୩୬ଟି ଗାଁରୁ ୯ଟି, କୁତ୍ରା ବ୍ଲକର ୫୪ ଗାଁରୁ ଗୋଟିଏ, ସବଡେଗା ବ୍ଲକର ୬୦ ଗାଁରୁ ୧୩, ଟାଙ୍ଗରପାଲି ବ୍ଲକର ୭୩ଟି ଗାଁରୁ ୪ଟି ଗାଁକୁ ଖୋଲା ମଳ ତ୍ୟାଗ ମୁକ୍ତ ଗାଁ ଘୋଷଣା କରାଯାଇଛି। ଏହିକ୍ରମରେ ଗାଁ ମୁଣ୍ଡରେ ଲଗାଇ ଦିଆଯାଇଛି ଖୋଲା ମଳମୁକ୍ତ ଗାଁ ସୂଚନା ଥିବା ଗୋଟିଏ ଗୋଟିଏ ଫଳକ। କିନ୍ତୁ ବାସ୍ତବତା ଏହାର ସମ୍ପୂର୍ଣ୍ଣ ବିପରୀତ। ସରକାରୀ ନଥିପତ୍ର ଓ ସୂଚନାଫଳକରେ ହିଁ ସୀମିତ ରହିଛି ଏହି ଅଭିଯାନ। ବହୁ ଗାଁରେ ପାଇଖାନା ତିଆରି ନକରି ଯୋଜନାର ଅର୍ଥ ହଡ଼ପ କରି ନିଆଯାଇଛି। ଏପରିକି ଅନେକ ଜାଗାରେ ପୁରୁଣା ପାଇଖାନାକୁ ନୂଆ ଦେଖାଇ ବିଲ୍ କରି ନିଆଯାଇଥିବାର ଗମ୍ଭୀର ଅଭିଯୋଗ ରହିଛି। ଯେଉଁ ସବୁ ଗାଁରେ ଊଣାଅଧିକ ପାଇଖାନା ତିଆରି ହୋଇଛି, ଠିକାଦାର ଲାଭ ପାଇଁ କେଉଁଠି ଅଳ୍ପ ଗାତ ଖୋଳି ୨ଟି ଟାଙ୍କି ଥୋଇ ଦେଇଛି ତ କେଉଁଠି ଦେଢ଼, ଦୁଇ ଫୁଟ ଉଚ୍ଚର କାନ୍ଥ ଯୋଡ଼ି ଛାଡ଼ି ଦେଇଛି। ପ୍ରାୟ ଅଧିକାଂଶ ଶୌଚାଳୟ ଖୋଲାମେଲା ପଡ଼ିଥିବା ବେଳେ ନିର୍ମାଣର କିଛି ଦିନ ମଧ୍ୟରେ ସେସବୁ ଭାଙ୍ଗିରୁଜି ଯାଇଛି। ସୂଚନାଯୋଗ୍ୟ, ଯୋଜନାର ସଫଳ ରୂପାୟନକୁ ଆଖି ବୁଜି କେବଳ ସରକାରଙ୍କ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ପ୍ରଶାସନ ଜୋର୍ ଲଗାଇ ଦେଇଥିବା ବେଳେ କେଉଁଠି ଶୌଚାଳୟ ଗାଏବ ହୋଇଗଲା ତା କେଉଁଠି ଲୋକଙ୍କ ବ୍ୟବହାରରେ ଆସିଲା ନାହିଁ।

ତେବେ ୨୦୧୮ରେ ତତ୍କାଳୀନ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଜିଲ୍ଲାର ୧୭ଟି ବ୍ଲକର ୧୭ଟି ଗାଁକୁ ସମ୍ପୂର୍ଣ୍ଣ ଖୋଲା ମଳ ମୁକ୍ତ ଗାଁ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଥିଲା। ହିତାଧିକାରୀଙ୍କ ସହ ବିଡିଓ, ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ସମସ୍ତେ ଦିନରାତି କାମରେ ମାତିଥିଲେ। ୧୭ଟି ଗାଁ ହେମଗିର ବ୍ଲକର ଆଁକେଲବିରା ପଞ୍ଚାୟତର ବଡ଼ଘୁମୁରା, ଲେଫ୍ରିପଡ଼ା ବ୍ଲକର ଗିରିଙ୍ଗକେଲା ପଞ୍ଚାୟତ ଅନ୍ତର୍ଗତ କରାଡେଗା, ଟାଙ୍ଗରପାଲି ମେଘଡେଗା ପଞ୍ଚାୟତର ବୁଡ଼ାବାହାଲ, ସବଡେଗା ଡମକୁଡ଼ା ପଞ୍ଚାୟତର ଡୁମକୁଡ଼ା, ବାଲିଶଙ୍କରା ତଳସରା ପଞ୍ଚାୟତର ରାଉଳଡେଗା, ବଡ଼ଗାଁ ତୁଡ଼ାଲଗା ପଞ୍ଚାୟତର କଟେଇମୁଣ୍ତା, କୁତ୍ରା ଟୁନମୁରା ପଞ୍ଚାୟତର ଟୁନମୁରା, ରାଜଗାଙ୍ଗପୁର ଅଲଣ୍ତା ପଞ୍ଚାୟତର ତିଲେଇମାଲ, କୁଆରମୁଣ୍ତା ଜଲଙ୍ଗବିରା ପଞ୍ଚାୟତର ଜଲଙ୍ଗବିରା, ନୂଆଗାଁ ଲୁକୁମବେଡ଼ା ପଞ୍ଚାୟତର କୋୟାମୁଣ୍ତା, ବିଶ୍ରା ସନ୍ତୋଷପୁର ପଞ୍ଚାୟତର କରଗାବାହାଲ, ଲାଠିକଟା ବଲାଣି ପଞ୍ଚାୟତର ବଲାଣି, ଲହୁଣିପଡ଼ା କଲେଇପୋଷ ପଞ୍ଚାୟତର କଲେଇପୋଷ, ଗୁରୁଣ୍ତିଆ ଭାଲୁଡୁଙ୍ଗରି ପଞ୍ଚାୟତର କଁଟାବାହାଲ, ବଣାଇ କେନ୍ଦ୍ରିକଲାର ପଞ୍ଚାୟତର ଅଲେଖପୁର, କୋଇଡ଼ା ଗୋପନା ପଞ୍ଚାୟତର ଗୋପନା ଗାଁକୁ ଖୋଲା ମଳମୁକ୍ତ ଗାଁ ଅଭିଯାନର ପଥଦର୍ଶୀ ପ୍ରକଳ୍ପ (ପାଇଲଟ୍ ପ୍ରୋଜେକ୍ଟ) ଭାବେ ନିଆଯାଇଥିଲା। ୨୦୧୮ ନଭେମ୍ବର ୨୦ ତାରିଖ ସୁଦ୍ଧା ସମସ୍ତ ହିତାଧିକାରୀଙ୍କୁ ପାଇଖାନା ଯୋଗାଇ ଦେବାକୁ ତାରିଖ ଧାର୍ଯ୍ୟ କରି ଦେଇଥିଲେ ଜିଲ୍ଲାପାଳ। କିନ୍ତୁ କୌଣସି ଗୋଟିଏ ଗାଁ ମଧ୍ୟ ଖୋଲା ମଳମୁକ୍ତ ଗାଁ ହୋଇପାରିଲା ନାହିଁ। ଏବେ ସେହି ୧୭ଟି ଗାଁ ସମେତ ୩୧ଟି ଗାଁକୁ ପ୍ରଶାସନ ଖୋଲା ମଳତ୍ୟାଗ ମୁକ୍ତ ଗାଁ ଘୋଷଣା କରିଛି। କିନ୍ତୁ ସେ ସବୁ ଗାଁ ମୁଣ୍ଡରେ ଲାଗିଥିବା ପ୍ରକଳ୍ପ ସୂଚନା ଫଳରେ ସୀମିତ ରହିଥିବା ବେଳେ ଗାଁର ଅଧିକାଂଶ ଲୋକେ ଏବେ ବି ଶୌଚ ପାଇଁ ପୂର୍ବ ପରି ପଡ଼ିଆ, ବନ୍ଧହୁଡ଼ା, ନଦୀପଠାକୁ ଯାଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର