ଡମ୍ବରୁଧର ନାୟକ
ସୁନ୍ଦରଗଡ଼: ବିକାଶ ନାଁରେ ଅବିଚାରିତ ଖଣି ଖନନ ଜୀବଜଗତ ପାଇଁ ବିପଦ ଡାକି ଆଣିଛି। ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍‌ରେ ମହାନଦୀ କୋଲ ଫିଲ୍ଡ ଲିମିଟେଡ (ଏମ୍‌ସିଏଲ୍‌) ସମେତ ଏନ୍‌ଟିପିସି ଡୁଲିଙ୍ଗା ଓ ଓସିପିଏଲ୍‌ କୋଇଲା ଖଣି ପ୍ରକଳ୍ପରେ ବ୍ୟାପକ ଜଙ୍ଗଲ କ୍ଷୟ ହେବା ଏହାର ଏକ ଜ୍ବଳନ୍ତ ଉଦାହରଣ। ଆଜି ସୁଦ୍ଧା ହଜାରେ ହେକ୍ଟର ଜଙ୍ଗଲ ଖଣିର ଆଁକୁ ଚାଲି ଯାଇଥିବାବେଳେ ଆଗକୁ ଆହୁରି ୩୧ ଶହ ହେକ୍ଟର ଧ୍ବଂସ ହେବ ବୋଲି ଆକଳନ କରାଯାଉଛି।
ସୂଚନା ଅନୁସାରେ, ହେମଗିର ବ୍ଲକ୍‌ରେ ଏମ୍‌ସିଏଲ୍‌, ଏନ୍‌ଟିପିସି ଓ ଓସିପିଏଲ୍‌ର ୬ଟି କୋଇଲା ଖଣି ପ୍ରକଳ୍ପରେ ପ୍ରାୟ ହଜ‌ାରେ ହେକ୍ଟର ଜଙ୍ଗଲ ଉଜୁଡ଼ିଯାଇଛି। ଏଥିରେ ସମୁଦାୟ ୭୪,୨୨୪ଟି ବୃକ୍ଷ କଟାଯାଇଥିବା ରିପୋର୍ଟ ରହିଛି। ଏମ୍‌ସିଏଲ୍‌ର ବସୁନ୍ଧରା ପୂର୍ବ ଖୋଲାମୁହଁ କୋଇଲା ଖଣି ପାଇଁ ୨୧.୫୯ ହେକ୍ଟର ଜଙ୍ଗଲ ଜମି ନଷ୍ଟ ହୋଇଥିଲା। ସେହିପରି ଏମ୍‌ସିଏଲ୍‌ର ବସୁନ୍ଧରା ପଶ୍ଚିମ ଖୋଲାମୁହଁ କୋଇଲା ଖଣିରେ ୧୪୯.୫ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଥିବାବେଳେ କୁଲଡ଼ାରେ ୨୨୭.୮୯ ହେକ୍ଟର ଜଙ୍ଗଲ ଧ୍ବଂସ ହୋଇଛି। ଏମ୍‌ସିଏଲ୍‌ର ଅନ୍ୟ ଏକ କୋଇଲା ଖଣି ଗର୍ଜନବାହାଲରେ ୮୮.୮୮୯ ହେକ୍ଟର ଜଙ୍ଗଲ ଧ୍ବଂସପ୍ରାୟ ଅବସ୍ଥାରେ ରହିଛି।

Advertisment

ଅନ୍ୟପଟେ ଏନ୍‌ଟିପିସି ଡୁଲୁଙ୍ଗା କୋଇଲା ଖଣି ପ୍ରକଳ୍ପରେ ୩୦୪.୭୫ ହେକ୍ଟର ଓ ମନୋହାପୁର ଓସିପିଏଲ୍‌ କୋଇଲା ଖଣିରେ ୨୭୬.୬୫୫ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଛି। ଏହାର ପ୍ରତିବଦଳରେ ୧୯୩୬ ହେକ୍ଟର ଜମିରେ ମୋଟ ୩,୮୭,୨୫୪ ସଂଖ୍ୟକ ଚାରାରୋପଣ କରାଯାଇ କ୍ଷତିପୂରକ ବନୀକରଣ କରାଯାଇଥିବା ଦର୍ଶାଯାଇଛି। କିନ୍ତୁ, ବାସ୍ତବ କଥା ହେଲା, ଚାରାରୋପଣ କେବଳ କାଗଜପତ୍ରରେ କରାଯାଇଛି। ପ୍ରତିବର୍ଷ ଲକ୍ଷ ଲକ୍ଷ ଚାରା ଲଗାଯାଉଥିବା ଦର୍ଶାଯାଇଥିଲେ ମଧ୍ୟ ଗୋଟେ, ଦୁଇଟି ସ୍ଥାନ ବ୍ୟତୀତ ଅନ୍ୟସବୁ ସ୍ଥାନରେ ଗଛର ଚିହ୍ନବର୍ଣ୍ଣ ନାହିଁ। ଉଦ୍‌ବେଗର ବିଷୟ ହେଲା, ଆଗକୁ ଏହି ଅଞ୍ଚଳରେ ପ୍ରସ୍ତାବିତ ୧୮ଟି ଖଣି ଖୋଳାହେଲା ପରେ ଆହୁରି ବହୁଗୁଣ ଜଙ୍ଗଲ ନଷ୍ଟ ହେବ। ରିପୋର୍ଟ ଅନୁସାରେ, ସିଆରମାଲ ପ୍ରକଳ୍ପରେ ୩୪୯.୭୦୯ ହେକ୍ଟର ଜଙ୍ଗଲ ନଷ୍ଟ ହେବାକୁ ଥିବାବେଳେ ୟୁଏମ୍‌ପିପି ମୀନାକ୍ଷୀ ଏ, ମୀନାକ୍ଷୀ ବି, ମୀନାକ୍ଷୀ ପଶ୍ଚିମ ଓ ଡିପସାଇଡ୍‌ ମୀନାକ୍ଷୀ ପ୍ରକଳ୍ପରେ ୪ ଶହ ହେକ୍ଟର, ବେଦାନ୍ତ ଷ୍ଟେରେଲାଇଟ୍‌ ବିଜାହାନ ପ୍ରକଳ୍ପରେ ୬୦୮.୬୪ ହେକ୍ଟର ଓ ଆଦାନୀର ଜାମକାନି ପ୍ରକଳ୍ପରେ ୨୧୨ ‌ହେକ୍ଟର ଜଙ୍ଗଲକୁ ମିଶାଇ ମୋଟ ୩୧୦୦.୩୦୭ ହେକ୍ଟର ଜଙ୍ଗଲ ଖଣି ଗର୍ଭରେ ଲୀନ ହୋଇଯିବ। ସେହିପରି ପ୍ରସ୍ତାବିତ କୋଇଲା ଖଣି ପ୍ରକଳ୍ପ ମଧ୍ୟରେ ବନପତ୍ରା ପ୍ରକଳ୍ପରେ ୮.୩୬ ବର୍ଗ କିଲୋମିଟର, ବୁଡ଼ାଝରିଆ ପ୍ରକଳ୍ପରେ ୭.୪୯ ବର୍ଗ କିମି, ବୁଡ଼ାପାହାଡ଼ ପ୍ରକଳ୍ପରେ ୬.୦୭ ବର୍ଗ କିମି, ଚତୁର୍ଦ୍ଦାରା ପ୍ରକଳ୍ପରେ ୩.୮୮ ବର୍ଗକିମି, ଛତାବର ପ୍ରକଳ୍ପରେ ୧୧.୩୨ ବର୍ଗକିମି, ଡିପସାଇଡ୍‌ ଛତାବର ପ୍ରକଳ୍ପରେ ୨୨.୬୯ ବର୍ଗ କିମି, ରାମ୍ଫିଆ ପ୍ରକଳ୍ପରେ ୭.୫୧ ବର୍ଗକିମି, ଡିପସାଇଡ୍‌ ରାମ୍ଫିଆ ପ୍ରକଳ୍ପରେ ୫.୨୨ ବର୍ଗ କିମି, ଘୋଘରପାଲି ଓ ଡିପସାଇଡ୍‌ ପ୍ରକଳ୍ପରେ ୧୪.୩୯ ବର୍ଗ କିମି, ହେମଗିର-୧ ପ୍ରକଳ୍ପରେ ୨୫.୫୧ ବର୍ଗ କିମି, ହେମଗିର-୨ରେ ୨୨.୯୮ ବର୍ଗ କିମି, ପ୍ରଜାପରା ପ୍ରକଳ୍ପରେ ୫.୮୨ ବର୍ଗକିମି, ଡିପସାଇଡ୍‌ ପ୍ରଜାପରା ପ୍ରକଳ୍ପରେ ୫.୮୨ ବର୍ଗ କିମି, ରୋହିଣି ପ୍ରକଳ୍ପରେ ୩୫.୬୩ ବର୍ଗକିମି, ଟାଙ୍ଗରଡିହି ପ୍ରକଳ୍ପରେ ୧୯.୪୫ ବର୍ଗ କିମି, ଟାଙ୍ଗରଡିହି ପୂର୍ବ ପ୍ରକଳ୍ପରେ ୨୫.୯୬ ବର୍ଗ କିମି, ଉସ୍ତାଲି ପ୍ରକଳ୍ପରେ ୨୭.୧୫ ବର୍ଗକିଲୋମିଟର ଜଙ୍ଗଲ ନଷ୍ଟ ହେବ ବୋଲି କୁହାଯାଉଛି। ଏହାହେଲେ ସୁନ୍ଦରଗଡ଼ ବନଖଣ୍ଡର ଏକ ବିଶାଳ ସବୁଜ କ୍ଷେତ୍ର ଗର୍ଜନପାହାଡ଼ ଓ ଧନୁବାଉଁଶ ସମ୍ପୂର୍ଣ୍ଣ ଧ୍ବଂସ ପାଇଯିବ।