ଦୁର୍ଗମ ଅଂଚଳରେ ବଢ଼ିଛି ବେଆଇନ ଗଂଜେଇ ଚାଷ, ଦଲାଲ ମାଧ୍ୟମରେ ବାହାର ରାଜ୍ୟକୁ ହେଉଛି ଚାଲାଣ

ଭୁବନେଶ୍ୱର: ରାଜ୍ୟରେ ବେଆଇନ୍‌ ଭାବେ ଗଂଜେଇ ଚାଷ ବଢ଼ିଚାଲିଛି। କୋରାପୁଟ, ମାଲକାନଗିରି, ନବରଂଗପୁର, କନ୍ଧମାଳ, ବୌଦ୍ଧ ଜିଲ୍ଲାର ଦୁର୍ଗମ ଅଂଚଳରେ ଗଂଜେଇ ଚାଷ ହେଉଥିବା ବେଳେ ଏଗୁଡ଼ିକ ନୂଆଦିଲ୍ଲୀ, ମୁମ୍ବାଇ ସମେତ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼, ଗୁଜୁରାଟ, ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ ପହଂଚୁଛି। ସେହିପରି ଓଡ଼ିଶାରୁ ବିହାର ଓ ଉତ୍ତରପ୍ରଦେଶକୁ ଗଂଜେଇ ଚାଲାଣ ହେଉଛି। ଅବକାରୀ ବିଭାଗ ଓ ପୁଲିସ ବିଭାଗର ଚଢ଼ାଉ ପରେ ମଧ୍ୟ ଗଂଜେଇ ଚୋରାଚାଲାଣ ରାକେଟ ସକ୍ରିୟ ଅଛନ୍ତି।

ଓଡ଼ିଶା ପୁଲିସ ୨୦୧୦ରୁ ୨୦୧୯ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୩୧୧୮ କୁଇଣ୍ଟାଲ ଗଂଜେଇ ଜବତ କରିଛି। ପୁଲିସ ୨୦୧୦ରେ ୭୩ କୁଇଣ୍ଟାଲ, ୨୦୧୧ରେ ୨୦୮ କୁଇଣ୍ଟାଲ, ୨୦୧୨ରେ ୧୦୭ କୁଇଣ୍ଟାଲ, ୨୦୧୩ରେ ୩୭୧ କୁଇଣ୍ଟାଲ, ୨୦୧୪ରେ ୨୮୮ କୁଇଣ୍ଟାଲ, ୨୦୧୫ରେ ୧୯୮ କୁଇଣ୍ଟାଲ, ୨୦୧୬ରେ ୪୨୮ କୁଇଣ୍ଟାଲ, ୨୦୧୭ରେ ୩୦୪ କୁଇଣ୍ଟାଲ, ୨୦୧୮ରେ ୫୨୩ କୁଇଣ୍ଟାଲ ଓ ୨୦୧୯ରେ ୬୧୮ କୁଇଣ୍ଟାଲ ଗଂଜେଇ ଜବତ କରିଛି।

ସବୁଠାରୁ ବଡ଼ କଥା ହେଲା ଯେ, ଗଂଜେଇ ଚୋରାଚାଲାଣ ବିଗତ ୩ ବର୍ଷର ରେକର୍ଡକୁ ଅତିକ୍ରମ କରିଛି। ଚଳିତ ବର୍ଷ ନଭେମ୍ବର ୩୦ ତାରିଖ ଯାଏଁ ୧୨୯୨ କୁଇଣ୍ଟାଲ ଗଂଜେଇ ଜବତ ହୋଇଛି। ଏଥିରୁ କୋରାପୁଟ ଜିଲ୍ଲା ପୁଲିସ ସର୍ବାଧିକ ୫୨୮ କୁଇଣ୍ଟାଲ ଜବତ କରିଛି। ସେଥିପାଇଁ ଡିଜିପି କୋରାପୁଟ ଏସ୍‌ପିଙ୍କୁ ପ୍ରଶଂସା କରିଛନ୍ତି। ଗଂଜେଇ ଚାଲାଣକୁ ରୋକିବାରେ ମାଲକାନଗିରି ଓ ଗଜପତି ପୁଲିସ ମଧ୍ୟ ବଡ଼ ଭୂମିକା ତୁଲାଇଛନ୍ତି।

ସମ୍ବନ୍ଧିତ ଖବର