ରାଉରକେଲା: ଅସାବଧାନତା ହେଉ ଅବା ବିଭିନ୍ନ କାରଣରୁ ରେଳଲାଇନରେ ଯାଉଛି ଅନେକଙ୍କ ମୂଲ୍ୟବାନ ଜୀବନ। କିଏ ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ମୃତ୍ୟୁବରଣ କରୁଛନ୍ତି ତ ଅନ୍ୟ କିଏ ଟ୍ରେନ୍ ଲାଇନରେ ଶୋଇ ଜୀବନ ହାରୁଛନ୍ତି। କାହାର ଟ୍ରେନ୍ ଧକ୍କାରେ ଜୀବନ ଯାଉଛି। ପୁଣି ଅନ୍ୟ କିଏ ଚଳନ୍ତା ଟ୍ରେନ୍ରୁ ପଡି ଅବା ବନ୍ଦଥିବା ରେଳଫାଟକ ଅତିକ୍ରମ କଲାବେଳେ ଟ୍ରେନ୍ ଧକ୍କାରେ ମୃତ୍ୟୁବରଣ କରୁଛନ୍ତି।
ରେଳ ବିଭାଗ ପକ୍ଷରୁ ପ୍ରତିବର୍ଷ ସୁରକ୍ଷାକୁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ବନ୍ଦ ଥିବା ରେଳଫାଟକ ସମୟରେ ରେଳ ଲାଇନ ଅତିକ୍ରମ ନ କରିବାକୁ ସଚେତନତା କରାଯାଉଛି। ନିୟମ ପାଳନ କରୁ ନଥିବାରୁ ଅନେକଙ୍କ ଟ୍ରେନ୍ ଧକ୍କାରେ ଜୀବନ ଯାଉଛି। ଗତ କିଛି ବର୍ଷ ତଳେ ବ୍ରାହ୍ମଣୀ ପୋଲ ରେଳ ଲାଇନ ଉପରେ ଚାଲି ଚାଲି ଯାଉଥିବାବେଳେ ଟ୍ରେନ୍ ଧକ୍କାରେ ଝାଡ଼ଖଣ୍ଡର ଏକ ପରିବାର ୪ରୁ ଅଧିକ ସଦସ୍ୟଙ୍କର ମୃତ୍ୟୁ ହୋଇଥିଲା। ସେମିତି ରାଉରକେଲା ବାସନ୍ତୀକଲୋନି ମାଲଗୋଦାମ, କୁକୁଡାଗେଟ୍, କଲୁଙ୍ଗାରେ ରେଳଫାଟକ ଅତିକ୍ରମ କରୁଥିବାବେଳେ ଅନେକଙ୍କର ମୃତ୍ୟ ହୋଇଛି।
ଏମିତି ଭାବେ ଦକ୍ଷିଣ ପୂର୍ବ ରେଳବାଇ ହାଓ୍ବଡା-ମୁମ୍ବାଇ ମୁଖ୍ୟ ମାର୍ଗ ଓ ପୂର୍ବତଟ ରେଳବାଇ ଅଧୀନ ରେଳ ଲାଇନରେ ମାସକୁ ୩୫ ଅର୍ଥାତ୍ ଦିନକୁ ଜଣେରୁ ଅଧିକ ଲୋକଙ୍କ ଜୀବନ ଯାଉଛି। ରାଉରକେଲା ରେଳବାଇ ଏସ୍ପିଙ୍କ ଅଧୀନସ୍ଥ ୮ଟି ଥାନାରେ ବିଗତ ୧୦୫ ମାସରେ ୩ ହଜାର ୧୩୪ ଜଣଙ୍କର ମୃତ୍ୟୁ ହୋଇଥିବା ସଂକ୍ରାନ୍ତରେ ମାମଲା ରୁଜୁ ହୋଇଛି। ସର୍ବାଧିକ ୮୭୧ ମୃତ୍ୟୁବରଣ କରିଛନ୍ତି ରାଉରକେଲା ଓ ବନ୍ଧମୁଣ୍ଡା (ରାଉରକେଲା) ରେଳବାଇ ଥାନା ଅଧୀନରେ। ଅର୍ଥାତ୍ ହାୱଡା- ମୁମ୍ବାଇ ମୁଖ୍ୟ ରେଳ ମାର୍ଗରେ। କୋରାପୁଟରେ ୧୦୨ ଜଣଙ୍କର ଜୀବନ ଯାଇଛି। ଝାରସୁଗୁଡାରେ ମୃତ୍ୟୁ ସଂଖ୍ୟା ୪୮୦ ରହିଥିବାବେଳେ ସମ୍ବଲପୁରରେ ରହିଛି ୪୨୯।
ବଲାଙ୍ଗୀରରେ ୩୬୦ ଜଣଙ୍କର ଜୀବନ ଯାଇଥିବାବେଳେ ଟିଟିଲାଗଡରେ ୩୧୨ ଓ ରାୟଗଡାରେ ୩୦୧ ଜଣଙ୍କର ମୃତ୍ୟୁ ହୋଇଛି। ଗତ ୨୦୧୩ରେ ୪୧୭ଟି ମାମଲା ରୁଜୁ ହୋଇଥିଲା। ୨୦୧୪ରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୪୨୦ରେ ପହଞ୍ଚିଥିଲା। ୨୦୧୫ରେ ୩୯୫, ୨୦୧୬ରେ ୩୯୩, ୨୦୧୭ରେ ୩୬୯, ୨୦୧୯ରେ ୩୫୫ ଜଣଙ୍କର ଜୀବନ ଯାଇଛି। ୨୦୧୯ରେ ରେଳ ଲାଇନରେ ୩୨୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୨୦ରେ ଏହି ସଂଖ୍ୟା ହ୍ରାସ ପାଇ ୨୩୮ରେ ରହିଥିଲା। ୨୦୨୧ ସେପ୍ଟେମ୍ବର ୨୧ ତାରିଖ ସୁଦ୍ଧା ମୋଟ ୨୧୯ ଜଣଙ୍କର ମୃତ୍ୟୁ ହୋଇଛି।