ଢେଙ୍କାନାଳ: ପ୍ରଚଣ୍ଡ ଖରା ସାଙ୍ଗକୁ ଗରମ ଗୁଳୁଗୁଳି ଜନଜୀବନକୁ ଦୁର୍ବିଷହ କରିପକାଇଲାଣି। ରାଜ୍ୟ ସମେତ ଜିଲ୍ଲାରେ ଗ୍ରୀଷ୍ମପ୍ରକୋପ ଜାରି ରହିଛି। ଘରୁ ପଦାକୁ ବାହାରିଲେ ବିପଦ, ଚଲାବୁଲା କରୁଥିବା ବେଳେ ଲୋକେ ହଠାତ ଗଳିପଡ଼ୁଛନ୍ତି। ପ୍ରତିଦିନ ଚିକିତ୍ସାଳୟରେ ଅଂଶୁଘାତ ରୋଗୀଙ୍କ ସଂଖ୍ୟା ବଢ଼ିବଢ଼ି ଯାଉଛି। କାଳବୈଶାଖୀ ପ୍ରଭାବରେ ଗତକାଲି ରାତି ୯ଟାରେ ପ୍ରବଳ ବର୍ଷା ହୋଇଥିଲା। ଏହା ପରେ ମଧ୍ୟ ଆଜି ସକାଳୁ ଗୁଳିଗୁଳି ସହ ପ୍ରବଳ ଖରା ଯୋଗୁଁ ଲୋକେ ଅଣନିଶ୍ୱାସୀ ହୋଇପଡ଼ୁଛନ୍ତି। ଗତବର୍ଷ ଅପେକ୍ଷା ଚଳିତବର୍ଷ ଆକାଶରୁ ଅଗ୍ନିବର୍ଷା ହେବାପରି ଲାଗୁଛି।
ଖରାଗରମ ସହି ନପାରି ଲୋକମାନେ ଅଂଶୁଘାତର ଶିକାର ହେଉଛନ୍ତି। ଚଳିତବର୍ଷ ଜିଲ୍ଲାରେ ୩୧୪ ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଛି। ୨୦୨୧ ମସିହାରେ ଜଣେ ଓ ୨୦୨୨ରେ ଜଣଙ୍କର ଏଥିରେ ମୃତ୍ୟୁ ହୋଇଥିବା ବେଳେ ୨୦୨୩ରେ କାହାର ମୃତ୍ୟୁ ହୋଇ ନଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି।
ଅଂଶୁଘାତ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଉଟ୍ଡୋର ପାଖରେ ସ୍ୱତନ୍ତ୍ର ଭାବେ ୩ଟି ଉନ୍ନତମାନର ଅସ୍ଥାୟୀ ଶଯ୍ୟା ବିଶିଷ୍ଟ ଏଚ୍ଡିୟୁ କକ୍ଷ କରାଯାଇଛି। ସେଥିରେ ଏସି, ଓଆର୍ଏସ୍, ଥଣ୍ଡାପାଣି ଆଦିର ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ୪ ମହଲା ଭେଷଜ ବିଭାଗ ନିକଟରେ ଅଂଶୁଘାତ ରୋଗୀଙ୍କ ପାଇଁ ୬ଟି ସ୍ୱତନ୍ତ୍ର ବେଡ୍ ଥାଇ ଅନ୍ୟ ଏକ ସ୍ଥାୟୀ କକ୍ଷର ବ୍ୟବସ୍ଥା ହୋଇଛି। ଗୁରୁତର ରୋଗୀଙ୍କୁ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ସେଥିପାଇଁ ଜଣେ ଡାକ୍ତର, ଷ୍ଟାଫ୍ନର୍ସ, ଆଟେନ୍ଣ୍ଡାଣ୍ଟ ଓ ସୁଇପର ଆଦି ଦାୟିତ୍ୱରେ ରହିଛନ୍ତି।
ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦିଲୀପ କୁମାର ବିଶ୍ୱାଳ କୁହନ୍ତି ଯେ, ଅଂଶୁଘାତର ମୁକାବିଲା ପାଇଁ ଗ୍ରାମମାନଙ୍କରେ ଗ୍ରାମ କଲ୍ୟାଣ ସମିତି ଏବଂ ସହରାଞ୍ଚଳରେ ଜନ ଆରୋଗ୍ୟ ସମିତି ମାଧ୍ୟମରେ ଏବଂ ଲିଫଲେଟ୍, ମାଇକ୍ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଉଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ପ୍ରତ୍ୟେକ ସିଏଚ୍ସିରେ ଅଂଶୁଘାତ ରୋଗୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇ କର୍ମଚାରୀ ନିଯୁକ୍ତ କରାଯାଇଛି ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/summer.jpg)