ପୁରୀକୁ ଗଡ଼ିବ ୩୧୫ ସ୍ବତନ୍ତ୍ର ଟ୍ରେନ୍‌: ୧୫ହଜାର ତୀର୍ଥଯାତ୍ରୀଙ୍କ ପାଇଁ ବିଶ୍ରାମ ସେଡ୍‌

ପଡ଼ୋଶୀ ରାଜ୍ୟରୁ ପୁରୀକୁ ଗଡ଼ିବ ଟ୍ରେନ୍‌

ଭୁବନେଶ୍ୱର: ରଥଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଜୁଲାଇ ୬ରୁ ୧୯ ମଧ୍ୟରେ ପୁରୀକୁ ଓ ପୁରୀରୁ ୩୧୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ହୋଇଛି। ଚଳିତବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ଦୁଇ ଦିନ ଧରି ପାଳନ ହେଉଥିବାରୁ ଓଡ଼ିଶାର ବିଭିନ୍ନ ସ୍ଥାନ ସହ ପଡ଼ୋଶୀ ରାଜ୍ୟରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଚଳିତ ବର୍ଷ ନୂତନ ଭାବେ ବାଦାମପାହାଡ଼, ରାଉରକେଲା, ବାଲେଶ୍ୱର, ସୋନପୁର ଓ ଦଶପଲ୍ଲାଠାରୁ ସ୍ୱତନ୍ତ୍ର ଟ୍ରେନ୍ ପୁରୀକୁ ଚାଲିବ। ଏହାବ୍ୟତୀତ ସାନ୍ଧ୍ୟ ଦର୍ଶନ, ବାହୁଡା ଯାତ୍ରା, ସୁନାବେଶ, ଅଧରପଣା ପାଇଁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ପୂର୍ବତଟ ରେଳପଥ ଯୋଜନା କରିଛି। ଛତିଶଗଡ଼ର ରାୟପୁର ଓ ଜଗଦଲପୁରରୁ, ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଓ ପଲାସାରୁ ଏବଂ ପଶ୍ଚିମବଙ୍ଗରୁ ସ୍ୱତନ୍ତ୍ର ଟ୍ରେନ ପୁରୀକୁ ଚାଲିବ। ଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ରଥଯାତ୍ରା ସମୟ ମଧ୍ୟରେ କିଛି ଦୂରଦୂରାନ୍ତର ସ୍ୱତନ୍ତ୍ର ଟ୍ରେନ୍‌ରେ ସଂରକ୍ଷିତ ଶ୍ରେଣୀ ଯୋଗାଇବାକୁ ଆବଶ୍ୟକ ପଦକ୍ଷେପ ନେଇଛି। ରଥଯାତ୍ରା ସମୟରେ ଯାତ୍ରୀଙ୍କ ପରିସେବା ସୁଦୃଢ଼ କରିବା ଉପରେ ମଧ୍ୟ ପୂର୍ବତଟ ରେଳପଥ ଗୁରୁତ୍ୱାରୋପ କରିଛି।

ତୀର୍ଥଯାତ୍ରୀ ତଥା ଭକ୍ତଙ୍କ ପାଇଁ ଉତ୍ତମ ସୁବିଧା ଯୋଗାଇବାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବତଟ ରେଳପଥକୁ ପରାମର୍ଶ ଦେଇଛନ୍ତି। ପୂର୍ବତଟ ରେଳପଥ ଯାତ୍ରୀ ଭିଡ଼ ପରିଚାଳନା, ଟ୍ରେନ୍ ସୂଚନା ପ୍ରଣାଳୀ/ଅନୁସନ୍ଧାନ କାଉଣ୍ଟର, ଭିଡିଓ ୱାଲ୍ ପ୍ରଦର୍ଶନ, ଅତିରିକ୍ତ ଟିକେଟ୍ ବୁକିଂ କାଉଣ୍ଟର ଓ ମୋବାଇଲ୍ ଟିକେଟ୍ କାଉଣ୍ଟର, ୧୫ ହଜାର ତୀର୍ଥଯାତ୍ରୀ ବିଶ୍ରାମ ନେବା ଭଳି ତୀର୍ଥଯାତ୍ରୀ ଅପେକ୍ଷା କ୍ଷେତ୍ର/ସେଡ୍‌ ନିର୍ମାଣ କରିବାକୁ ସ୍ଥିର ହୋଇଛି। ଏହାବ୍ୟତୀତ ସୁରକ୍ଷା ବ୍ୟବସ୍ଥା, କ୍ୟାଟରିଂ ସେବା, ମେଡିକାଲ ସୁବିଧା ଓ ଆମ୍ବୁଲାନ୍ସ, ଯାତ୍ରୀ, ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ବିଦ୍ୟୁତ୍ ଯୋଗାଣ, ଜଳ ଯୋଗାଣ, ପରିଷ୍କାର ପରିଚ୍ଛନ୍ନତା, ନିରାପତ୍ତା, ପାନୀୟ ଜଳ ଓ ପର୍ଯ୍ୟାପ୍ତ ଶୌଚାଳୟ ଯୋଗାଇବା ଦିଗରେ ମଧ୍ୟ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ପୁରୀ ରେଳ ଷ୍ଟେସନରେ ରଥଯାତ୍ରା ବ୍ୟବସ୍ଥା ଯାଞ୍ଚ କରି ତୀର୍ଥଯାତ୍ରୀଙ୍କୁ ଦିଆଯାଉଥିବା ସୁବିଧାଗୁଡ଼ିକ ସମ୍ପର୍କରେ ଅବଗତ ହେବା ସହିତ ରଥଯାତ୍ରାର କାର୍ଯ୍ୟସୂଚୀର ବହୁ ପୂର୍ବରୁ ଯାତ୍ରୀ ସୁବିଧା ଉପଲବ୍ଧ କରାଇବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆଦିଲ୍ଲୀଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଆଜି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ସାକ୍ଷାତ କରିବା ଅବସରରେ ୩୧୫ ସ୍ବତନ୍ତ୍ର ଟ୍ରେନ୍‌ ଚଳାଇବା ଓ ୧୫ ହଜାର ତୀର୍ଥଯାତ୍ରୀଙ୍କ ପାଇଁ ବିଶ୍ରାମ ସେଡ୍‌ ନିର୍ମାଣ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର