କଟକ ସହରରେ ନିଷିଦ୍ଧ ନିଶା : ୩,୧୯୯ କଫ ସିରପ୍‌ ବୋତଲ ଜବତ, ୨ ଗିରଫ

କଟକ : ଦେଶରେ ନିଷିଦ୍ଧ ହୋଇଥିବା କୋରେକ୍ସ କଫ୍‌ ସିରପ ମିଳୁଛି କଟକ ସହରରେ। ଏଥିରେ ନାଇଟ୍‌-୧୦ ନିଶା ଟାବଲେଟ୍‌ ମିଶ୍ରଣ କରାଯାଇ ସହରରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ବିକ୍ରି କରାଯାଉଥିଲା। ଏଭଳି କାରବାରର ପର୍ଦ୍ଦାଫାସ କରିଛି ମର୍କତନଗର ଥାନା ପୁଲିସ। ଏହି ଘଟଣାରେ ପୁଲିସ ଦୁଇ ଜଣ ଚୌଦ୍ବାର ଥାନା ଓଟିଏମ୍‌ ଦୁର୍ଗା ବଜାରର କୁଳମଣି ମିଶ୍ର ଓରଫ କୁଲୁ(୪୦) ଏବ˚ ତଳ ବଜାରର ଦିଲ୍ଲୀପ କୁମାର ସାହୁ(୪୨)ଙ୍କୁ ଗିରଫ କରିଛି। ପୁଲିସ ଉଭୟଙ୍କ ନିକଟରୁ ମୋଟ ୩,୧୯୯ କଫ ସିରପ୍‌ ବୋତଲ ଜବତ କରିଛି। ଜବତ କଫ ସିରପର ମୂଲ୍ୟ ୪ ଲକ୍ଷ ୧୫ ହଜାର ୮୭୦ ଟଙ୍କା ହୋଇଥିବା ବେଳେ ପୁଲିସ ଦୁଇ ଅଭିଯୁକ୍ତଙ୍କ ନିକଟରୁ ଏକ ବାଇକ ଏବ˚ ୫୦ଟି ନାଇଟ-୧୦ ଟାବଲେଟ୍‌ ଜବତ କରିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, କଟକ ସହରରେ ନିଷିଦ୍ଧ କଫ ସିରପ୍‌ ପ୍ରସ୍ତୁତି ଓ ବିକ୍ରି ଚାଲିଥିବା ସମ୍ପର୍କରେ ମର୍କତନଗର ଥାନା ପୁଲିସ ଖବର ପାଇଥିଲା। ଗଲା ୩୧ ତାରିଖ ଭୋର ପ୍ରାୟ ୩ଟା ୫ରେ ନରାଜରୁ ସିଡିଏ ଆଡ଼କୁ ଜଣେ ବ୍ୟକ୍ତି ନକଲି କଫ ସିରପ୍‌ ନେଇ ଏକ ବାଇକରେ ଆଣୁଥିବା ସ˚କ୍ରାନ୍ତରେ ମର୍କତନଗର ଥାନା ପୁଲିସ ଖବର ପାଇଥିଲା। ପୁଲିସ ଟିମ୍‌ ପହଞ୍ଚି ଚଢ଼ାଉ କରି କୁଳମଣି ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କୁ କାବୁ କରିଥିଲା। ତାଙ୍କ ନିକଟରୁ ୬୫ ବୋତଲ ସିରପ୍‌ ଏବ˚ ୫୦ଟି ନାଇଟ-୧୦ ଟାବଲେଟ୍‌ ଜବତ ହୋଇଥିଲା। କୁଳମଣିଙ୍କୁ ପଚରାଉଚରା କରିବା ପରେ ସହଯୋଗୀ ଦିଲ୍ଲୀପ କୁମାର ସାହୁ ସମ୍ପର୍କରେ ଖବର ପାଇଥିଲା। ଚୌଦ୍ବାର ତଳବଜାରରେ ଥିବା ‘ଚିକିତ୍ସା’ ନାମକ ଔଷଧ ଦୋକାନର ମାଲିକ ଦିଲ୍ଲୀପ ବୋଲି ଜଣାପଡ଼ିଥିଲା। ଏହାପରେ ପୁଲିସ୍‌ ଟିମ୍‌ ଦିଲ୍ଲୀପଙ୍କ ଘରେ ଚଢ଼ାଉ କରିଥିଲେ। ପାଇଖାନା ନିକଟରୁ ୨୬ କାଟୁନ୍‌ ସିରପ୍‌ ମିଳିଥିଲା। ଦିଲ୍ଲୀପ ନିଜ ଘରେ କୋରେକ୍ସରେ ନାଇଟ୍‌-୧୦ ଟାବଲେଟ୍‌ ମିଶାଇ କୁଳମଣି ଭଳି ପ୍ରାୟ ୧୦ରୁ ଅଧିକ ଏଜେଣ୍ଟଙ୍କ ମାଧ୍ୟମରେ ବଜାରକୁ ଛାଡ଼ୁଥିଲେ। କୁଳମଣି ନିକଟରୁ ନିର୍ଦ୍ଦିଷ୍ଟ ସମୟରେ ସ୍କୁଲ ଓ କଲେଜ୍‌ ପିଲା ଆସି ଏହି ନିଶା କିଣୁଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ମୁଖ୍ୟତଃ ଏହି କୋରେକ୍ସ କଫ ସିରପ୍‌ ବଲାଙ୍ଗୀର କିମ୍ବା ସମ୍ବଲପୁର ଅଞ୍ଚଳରୁ ଆସୁଥିବା ପୁଲିସ ସନ୍ଦେହ କରୁଛି। ସେହି ଜିଲ୍ଲାରେ ଏଭଳି କାରବାର ବ୍ୟାପକ ପରିମାଣରେ ଚାଲିଥିବାରୁ ମାଷ୍ଟରମାଇଣ୍ତ ଉକ୍ତ ଜିଲ୍ଲାରେ ଥିବା ପୁଲିସ ସୁରାକ୍‌ ପାଇଛି।

ସମ୍ବନ୍ଧିତ ଖବର