ଗଂଜାମରେ ଏକତୃତୀୟାଂଶ ଲୋକଙ୍କ ଠାରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି : ଡା. ସଂଘମିତ୍ରା ପତି

ଭୁବନେଶ୍ୱର: ଗଂଜାମ ଜିଲ୍ଲାରେ ଏକ ତୃତୀୟାଂଶ ଲୋକଙ୍କ ଠାରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ନିକଟରେ ବ୍ରହ୍ମପୁରରେ ଶେଷ ହୋଇଥିବା  ସିରୋ (ସେରୋଲୋଜିକାଲ) ସର୍ଭେରୁ ଏହା ଜଣାପଡ଼ିଛି। ଆରଏମ୍‌ଆରସି ନିର୍ଦ୍ଦେଶିକା  ଡା.ସଂଘମିତ୍ରା ପତି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।  ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡା. ପତି କହିଛନ୍ତି, ବ୍ରହ୍ମପୁରରେ ଗତ ୩ରୁ ୭ ତାରିଖ ମଧ୍ୟରେ ସିରୋ ସର୍ଭେ କରାଯାଇଥିଲା ଏବଂ ଏହାର ପୁର୍ଣ୍ଣାଙ୍ଗ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି।

ଡା. ପତି କହିଛନ୍ତି, ବ୍ରହ୍ମପୁରରେ ସିରୋ ସର୍ଭେ ପାଇଁ ୫ଟି ଟିମ ନିୟୋଜିତ ଥିଲେ। ଲୋକଙ୍କର ଠାରୁ ରାଣ୍ଡମ ସାମ୍ପଲ୍ ସଂଗ୍ରହ କରାଯାଇଥିଲା। ୫ଟି ବସ୍ତି ଓ ସମ୍ବେଦନଶୀଳ ଅଂଚଳରୁ ମଧ୍ୟ ନମୁନା ସଂଗ୍ରହ କରାଯାଇଥିଲା। ମୋଟ ୨୮୩୦ ଆଣ୍ଟିବଡ଼ି ଟେଷ୍ଟିଂ କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ, ୩୧ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇସାରିଛି। କିଛି ଓ୍ଵାର୍ଡରେ ୭୦ ଓ କିଛି ଓ୍ଵାର୍ଡରେ ୬୦ ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ୪ଟି ଓ୍ଵାର୍ଡରେ ୫୦ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ସେ କହିଛନ୍ତି, ୪ ସପ୍ତାହ ତଳର ସ୍ଥିତି ଏବେ ଜଣାପଡୁଛି। ଦ୍ୱିତୀୟ ରାଉଣ୍ଡରେ ଆହୁରି ଭଲ ଖବର ମିଳିବ ବୋଲି ଆଶା କରାଯାଉଛି। ଆଜିର ସ୍ଥିତି ଜାଣିବା ପାଇ ଆଗାମୀ ଦିନରେ ଦ୍ୱିତୀୟ ସିରୋ ସର୍ଭେ କରିବାକୁ ପଡ଼ିପାରେ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆମେ ବିଭିନ୍ନ ଜିଲ୍ଲାରେ ସିରୋ ସର୍ଭେ କରିଛୁ। ପ୍ରଥମେ ପୁରୀ ଓ ପରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ସିରୋ ସର୍ଭେ କରାଯାଇଥିଲା। ବ୍ରହ୍ମପୁର ସିରୋ ସର୍ଭେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସହଯୋଗରେ ହୋଇଥିଲା। ଏଥି ପାଇଁ ବ୍ରହ୍ମପୁର ମହାନଗର ନିଗମ, ବ୍ରହ୍ମପୁର ମେଡିକାଲ କଲେଜ ଓ ଆରଏମ୍‌ଆରସିର ମିଳିତ ଭାବେ କରାଯାଇଥିଲା। ଏଥିରେ କୋଭିଡ ଯୋଦ୍ଧାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଆରଏମ୍‌ଆରସି ନିର୍ଦ୍ଦେଶିକା ଡା. ପତି ଗଣମାଧ୍ୟମକୁ କହିଛନ୍ତି, କଟକ ଜିଲ୍ଲା ବଡ଼ମ୍ବା ଓ ନରସିଂହପୁରରେ ଏବେ ସିରୋ ସର୍ଭେ ଚାଲିଛି। ସେହିପରି ଆଗାମୀ ଦିନରେ କଟକ ସହର, ଗଜପତି ଓ ରାଉରକେଲାରେ ସିରୋ ସର୍ଭେ କରାଯିବ।

ସମ୍ବନ୍ଧିତ ଖବର