୩୧ତମ ଚଳଚ୍ଚିତ୍ର ପୁରସ୍କାର ଘୋଷିତ : ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ପୁରସ୍କାର, ‘କାଲିର ଅତୀତ’ ଶ୍ରେଷ୍ଠ ଚଳଚ୍ଚିତ୍ର

ଭୁବନେଶ୍ବର: ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ପ୍ରଯୋଜକ ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ପୁରସ୍କାର ପ୍ରଦାନ କରାଯିବ । ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଶ୍ରୀ ମହାପାତ୍ରଙ୍କୁ ଜୀବନବ୍ୟାପୀ ସାଧନା ଲାଗି  ଜୟଦେବ ପୁରସ୍କାରରେ ସମ୍ମାନିତ କରାଯିବ । ସମାରୋହରେ ଜୟଦେବ ସମ୍ମାନ ପାଇଁ ମିଳିବ ୨ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ। ୨୦୧୯ ମସିହା ଲାଗି ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ଶୁକ୍ରବାର ଘୋଷଣା ହୋଇଛି। ଆଜି ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏ ସଂକ୍ରାନ୍ତରେ ଘୋଷଣା କରାଯାଇଛି।

ନୀଳମାଧବ ପଣ୍ଡାଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘କାଲିର ଅତୀତ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ  ମନୋନୀତ  କରାଯାଇଛି। ଏଥିସହ ନୀଳମାଧବ ପଣ୍ଡାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମୋହନ ସୁନ୍ଦରଗ‌ୋସ୍ବାମୀ ପୁରସ୍କାର ମଧ୍ୟ ମିଳିବ। ସେହିପରି ଚଳଚ୍ଚିତ୍ର  ‘ଖୁସି’ରେ ଅଭିନୟ ଲାଗି ସରୋଜ ପରିଡ଼ାଙ୍କୁ ଶ୍ରେଷ୍ଠ ଅଭିନେତା ଓ  କାବ୍ୟା କିରଣଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଲାଗି ଚୟନ କରାଯାଇଛି । ଅନ୍ୟପକ୍ଷରେ ୮ମ ରାଜ୍ୟ ଟେଲି ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି ଓ  ‘କାଳିଆ କରୁଛି ଲୀଳା’‌ ଶ୍ରେଷ୍ଠ ଟେଲି ଫିଲ୍ମ ଭାବେ ମନୋନୀତ ହୋଇଛି। ସମାରୋହରେ ଏହି ପୁରସ୍କାର ପାଇଁ ୫୦ ହଜାର ଟଙ୍କା ଓ ମାନପତ୍ର ପାଇବେ ନୀଳମାଧଵ ପଣ୍ଡା।

ସୂଚନାଯୋଗ୍ୟ, ଜୟଦେବ ପୁରସ୍କାର ବିଜେତା ଘନଶ୍ୟାମ ମହାପାତ୍ର ୧୯୩୩ ମସିହା ଜାନୁଆରି ୧ ତାରିଖରେ ଢେଙ୍କାନାଳରେ ଜନ୍ମଗ୍ରହଣ କରିଥିଲେ। ସେ ରେଭେନ୍ସା କଲେଜରେ ପାଠ ପଢ଼ିଥିଲେ। କଲେଜରେ ପାଠ ପଢ଼ିବା ସମୟରେ ନାଟକ ପ୍ରତି ଆକର୍ଷିତ ହୋଇଥିଲେ।  ପରେ ସେ ଡକ୍ୟୁମେଣ୍ଟାରି ଫିଲ୍ମ ନିର୍ମାଣ କରିବାରେ ନିଜକୁ ନିୟୋଜିତ କରିଥିଲେ। ୨୨ ବର୍ଷ ବୟସରେ ସେ ବାଙ୍ଗାଲୋରସ୍ଥିତ ଏସ୍‌ ଜେ ପଲିଟେକ୍‌ନିକ୍‌ରୁ ସିନେମାଟୋଗ୍ରାଫିରେ ଡିପ୍ଲୋମା ହାସଲ କରିଥିଲେ।  ସିନେମାଟୋଗ୍ରାଫି ପାଠ୍ୟକ୍ରମରେ ସେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୬୦ ମସିହାଠାରୁ ସେ ଦୀର୍ଘ ୪୭ ବର୍ଷ ଧରି ଚଳଚ୍ଚିତ୍ର ଶିଳ୍ପ ସହିତ ଜଡ଼ିତ ଅଛନ୍ତି। ଶ୍ରୀ ମହାପାତ୍ର ବହୁ ଉଚ୍ଚମାନରେ ଡକ୍ୟୁମେଣ୍ଟାରି ଫିଲ୍ମ ନିର୍ମାଣ କରି ପୂର୍ବରୁ ବହୁଭାବେ ସମ୍ମାନିତ ଓ ପୁରସ୍କୃତ ହୋଇଛନ୍ତି। ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଡକ୍ୟୁମେଣ୍ଟାରି ଫିଲ୍ମ ହେଉଛି ‘ମା ଓ ଶିଶୁ’। ୧୯୬୨ ମସିହାରେ ନିର୍ମିତ ତାଙ୍କର ପ୍ରଥମ ଡକ୍ୟୁମେଣ୍ଟାରି ଫିଲ୍ମ  ଓଡ଼ିଶା ସରକାରଙ୍କ ଦ୍ବାରା ଶ୍ରେଷ୍ଠ ଡକ୍ୟୁମେଣ୍ଟାରି ପୁରସ୍କାର ଲାଭ କରିଥିଲା।

୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୯

-ଶ୍ରେଷ୍ଠ ଚଳଚ୍ଚିତ୍ର: କାଲିର ଅତୀତ (ପ୍ରଯୋଜକ: ନୀଳମାଧବ ପଣ୍ଡା)
-ଶ୍ରେଷ୍ଠ ନିର୍ଦ୍ଦେଶକ: ନୀଳମାଧବ ପଣ୍ଡା (କାଲିର ଅତୀତ)
-ଶ୍ରେଷ୍ଠ ଅଭିନେତା: ସରୋଜ ପରିଡ଼ା (ଖୁସି)
-ଶ୍ରେଷ୍ଠ ଅଭିନେତ୍ରୀ: କାବ୍ୟା କିରଣ (ଖୁସି)
-ଶ୍ରେଷ୍ଠ କାହାଣୀ: କପିଳେଶ୍ୱର ପ୍ରସାଦ ମହାପାତ୍ର (ଶଲାବୁଢ଼ାର ବଦ୍‌ଲା)
-ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ: ବୈଦ୍ୟନାଥ ଦାସ (ନାୟକର ନାଁ ଦେବଦାସ୍‌)
-ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ: ସ୍ୱୟମ୍‌ ପାଢ଼ୀ (ଭିଜା ଭିଜା ପ୍ରେମ ଛିଟା…ଦେଖା ହେଲା ପ୍ରେମ ହେଲା)
-ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା: ଦୀପ୍ତିରେଖା ପାଢ଼ୀ (ଏ କେଉଁ ଋତୁ ଏ କେଉଁ ରାସ୍ତା…ଫ୍ରମ୍‌ ମିଟୁ ଇଉ)
-ଶ୍ରେଷ୍ଠ ଚିତ୍ରଗହ୍ରଣ: ରବୀନ୍ଦ୍ର ବେହେରା (ବାବୁ ଭାଇଜାନ୍‌)
-ଶ୍ରେଷ୍ଠ ସଂପାଦନା: ରାଜେଶ ଦାସ (ଖୁସି)
-ଶ୍ରେଷ୍ଠ ଗୀତିକାର: ଅରୁଣ ମନ୍ତ୍ରୀ (ଭିଜେଇ ଦେଇ ଯା ଥରେ… ବାପା ତୁମେ ଭାରି ଦୁଷ୍ଟ)
-ଶ୍ରେଷ୍ଠ ଚିତ୍ରନାଟ୍ୟ: ସନ୍ତୋଷ ନାରାୟଣ ଦାଶ (ବାବୁ ଭାଇଜାନ୍‌)
-ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା: ବବି ମିଶ୍ର (ବାବୁ ଭାଇଜାନ୍‌)
-ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ: ଅଞ୍ଜନା ଦାଶ (ବାପା ତୁମେ ଭାରିଦୁଷ୍ଟ)
-ଶ୍ରେଷ୍ଠ ହାସ୍ୟ କଳାକାର: ତ୍ରିଭୂବନ ପଣ୍ଡା (ଗୋଲମାଲ୍‌ ଲଭ୍‌)
-ଶ୍ରେଷ୍ଠ ଶିଶୁ କଳାକାର: ଐଶ୍ୱର୍ଯ୍ୟା ମିଶ୍ର (ଖୁସି)
-ଶ୍ରେଷ୍ଠ କଳା ନିର୍ଦ୍ଦେଶକ: କଳିଙ୍ଗ କେଶରୀ ନାୟକ (କାଲିର ଅତୀତ)
-ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ: ଚନ୍ଦ୍ର ଶେଖର ଶର୍ମା (ଶଲାବୁଢ଼ାର ବଦ୍‌ଲା)
-ସ୍ୱତନ୍ତ୍ର ଜୁରୀ ପୁରସ୍କାର: ଅଭିନେତା: ରୋହିତ୍‌ ରାଜ୍‌ (କୋଟିଏରେ ଗୋଟିଏ ମନ)
-ଶ୍ରେଷ୍ଠ ଶିକ୍ଷାଭିତ୍ତିକ ଶିଶୁ ଚଳଚ୍ଚିତ୍ର: ସୁବ୍ରତ କୁମାର ରଥ(ବାଜି) ଓ ଅଭିଷେକ କୁମାର (ଫ୍ରମ୍‌ ସଂଜୁ)
-ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର: ପ୍ରଯୋଜକ: ଆଶୁତୋଷ ପଟ୍ଟନାୟକ (ଶ୍ରୀକ୍ଷେତ୍ରର ସହିଯାତ)
-ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର: ପ୍ରଯୋଜକ ସ୍ୱରାଜ ମିଶ୍ର ଓ ନିର୍ଦ୍ଦେଶକ ବନମାଳୀ ରଣା (ରସଗୋଲା)

୮ମ ଟେଲି ପୁରସ୍କାର

-ଶ୍ରେଷ୍ଠ ଚଳଚ୍ଚିତ୍ର: କାଳିଆ କରୁଛି ଲୀଳା
-ଶ୍ରେଷ୍ଠ ପ୍ରଯୋଜକ: ଦୋବାଶିଷ ପାତ୍ର (କାଳିଆ କରୁଛି ଲୀଳା)
-ଶ୍ରେଷ୍ଠ ନିର୍ଦ୍ଦେଶକ: ଡି. ଅଶ୍ୱିନୀ ଗଡ଼ନାୟକ (କାଳିଆ କରୁଛି ଲୀଳା)
-ଶ୍ରେଷ୍ଠ ଟେଲି ଧାରାବାହିକ: ସରଗମ୍‌
-ଶ୍ରେଷ୍ଠ ଟେଲି ଧାରାବାହିକ ନିର୍ଦ୍ଦେଶକ: ଚଣ୍ଡୀ ପରିଜା (ସରଗମ୍‌)
-ଶ୍ରେଷ୍ଠ ଅଭିନେତା: ଦେବାଶିଷ ପାତ୍ର (କାଳିଆ କରୁଛି ଲୀଳା)
-ଶ୍ରେଷ୍ଠ ଅଭିନେତ୍ରୀ: ଲିପ୍ସା ମିଶ୍ର (ରଙ୍ଗିଲା ବୋହୂ)
-ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା: ଜୀବନ ପଣ୍ଡା (କାଳିଆ କରୁଛି ଲୀଳା)
-ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ: ମଧୁସ୍ମିତା ପ୍ରଧାନ (ରଙ୍ଗିଲା ବୋହୂ)
-ଶ୍ରେଷ୍ଠ ହାସ୍ୟଭିନେତା:ଶଙ୍କର୍ଷଣ ପ୍ରଧାନ (ରଙ୍ଗିଲା ବୋହୂ)
-ଶ୍ରେଷ୍ଠ ଶିଶୁ କଳାକାର: ପ୍ରସିଦ୍ଧି ନାୟକ (ରଙ୍ଗିଲା ବୋହୂ)

ସମ୍ବନ୍ଧିତ ଖବର