୩୨ ଜଣ ଶିଳ୍ପୀ ପାଇଲେ ଏକାଡେମି ପୁରସ୍କାର : ଶ୍ୟାମାମଣି, ଉପେନ୍ଦ୍ରଙ୍କୁ କବି ସମ୍ରାଟ ସମ୍ମାନ ପ୍ରଦାନ

‘ପ୍ରତିଭାମାନେ ଆମ ସଂସ୍କୃତି ଓ କଳାର ବ୍ରାଣ୍ଡ୍‌ ଆମ୍ବାସଡର’

ଭୁବନେଶ୍ବର : କଳା ଜଗତକୁ ଜୀବନବ୍ୟାପୀ ସାଧନାର ସ୍ବୀକୃତି ସ୍ବରୂପ ଆଜି ପ୍ରଦାନ କରାଯାଇଛି ଓଡ଼ିଶା ସଂଗୀତ ନାଟକ ଏକାଡେମି ପୁରସ୍କାର। ୨୦୧୭-୧୮ ବର୍ଷ ପାଇଁ ବିଶିଷ୍ଟ ଓଡ଼ିଶୀ ଓ ପାରମ୍ପରିକ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀ ଏବଂ ୨୦୧୮-୧୯ ପାଇଁ ବିଶିଷ୍ଟ ଦାସକାଠିଆ ଶିଳ୍ପୀ ଗଂଜାମ ଜିଲ୍ଲାର ଉପେନ୍ଦ୍ର କୁମାର ପାଣିଗ୍ରାହୀଙ୍କୁ ଏକାଡେମିର ସର୍ବୋଚ୍ଚ ସମ୍ମାନ ‘କବି ସମ୍ରାଟ ଉପେନ୍ଦ୍ର ଭଂଜ’ ସମ୍ମାନ ପ୍ରଦାନ କରାଯାଇଛି। ଉଭୟଙ୍କୁ ୧ ଲକ୍ଷ ଟଙ୍କାର ଅର୍ଥରାଶି ସହ ତାମ୍ରଫଳକ ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଧିତ କରାଯାଇଛି। ଏଥିସହ କଳାର ବିଭିନ୍ନ କ୍ଷେତ୍ରରେ ୧୫ଟି ବିଭାଗରେ ୨ ବର୍ଷ ପାଇଁ ୩୨ ଜଣ ଶିଳ୍ପୀଙ୍କୁ ‘ଏକାଡେମି ପୁରସ୍କାର’ ପ୍ରଦାନ କରାଯାଇଛି। ୫୦ ହଜାର ଟଙ୍କାର ଅର୍ଥରାଶି ସହ ତାମ୍ରଫଳକ ଓ ଅଙ୍ଗବସ୍ତ୍ର ଦେଇ ୩୨ ଜଣ ଶିଳ୍ପୀଙ୍କୁ ସମ୍ମାନିତ କରାଯାଇଛି।

ସଂଗୀତ ନାଟକ ଏକାଡେମି ପୁରସ୍କାର ଘୋଷଣା ପରଠୁ ସମାଲୋଚନା ଓ ବିତର୍କ ଲାଗି ରହିଥିବା ବେଳେ ତରବରିଆ ଭାବେ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଂଜକଳା ଏକାଡେମି ପରିସରରେ ରାଜ୍ୟସ୍ତରୀୟ ଗୀତିନାଟ୍ୟ ଉତ୍ସବ ଆୟୋଜିତ ମଞ୍ଚରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥି‌ଲେ। ସେ କହିଲେ, ପୁରସ୍କୃତ ପ୍ରତିଭାମାନେ ଆମ କଳା ଓ ସଂସ୍କୃତିର ବ୍ରାଣ୍ଡ୍‌ ଆମ୍ବାସଡର। ସେମାନେ ହିଁ ଓଡ଼ିଶା ମାଟିର ସାଂସ୍କୃତିକ ଗାରିମାକୁ ବିଶ୍ବବିଦିତ କରିପାରିବେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏକାଡେମି ପୁରସ୍କାରକୁ ନେଇ ଚାଲିଥିବା ବିବାଦ ସମ୍ପର୍କରେ ସୂଚନା ଦେଇ କହିଲେ, ବିପଣିକୁ ଯିବା ଓ ସବୁ ଭଲ ଜିନିଷ ଚୟନ କରି ଆଣିବା ସମ୍ଭବ ନୁହେଁ। ତେବେ ପୁରସ୍କାର ଚୟନରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ କରାଯାଇଛି। ଏହି ଅବସରରେ ବିଭାଗୀୟ ନିର୍ଦେଶକ ବିଜୟ କୁମାର ନାୟକ ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଚିବ ବିଜୟ କୁମାର ଜେନା ଉପସ୍ଥିତ ଥିଲେ। ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପୁରସ୍କାରକୁ ନେଇ ଅନିୟମିତତ‌ାର ସ୍ବର ଉଠିଥିବାରୁ ଏହି ଅବସରରେ ଅପ୍ରୀତିକର ସ୍ଥିତି ଉପୁଜିବା ଆଶଙ୍କା ନେଇ କିଛି ବାଉନ୍‌ସରଙ୍କୁ ଭଂଜ କଳାମଣ୍ଡପ ଫାଟକ ନିକଟରେ ନିୟୋଜିତ କରାଯାଇଥିଲା।

୨୦୧୭-୧୮ ପାଇଁ ଏକାଡେମି ପୁରସ୍କାର ପାଇଲେ
ଓଡ଼ିଶୀ କଣ୍ଠ ସଂଗୀତ : ଶାନ୍ତିଲତା ଛୋଟରାୟ, ଭୁବନେଶ୍ବର
ହିନ୍ଦୁସ୍ଥାନୀ କଣ୍ଠ ସଂଗୀତ : ଅଳକା ଚାନ୍ଦ, ରାଉରକେଲା
ଯନ୍ତ୍ର ସଂଗୀତ(ତାରବାଦ୍ୟ) : ରବିଶଙ୍କର ପ୍ରଧାନ, କଟକ
ଯନ୍ତ୍ର ସଂଗୀତ (ଆନଦ୍ଧ ବାଦ୍ୟ) : କାଳନ୍ଦୀ ଚରଣ ପରିଡ଼ା, ପୁରୀ
ସୁଗମ ସଂଗୀତ : ଡ. ସୁଧା ମିଶ୍ର, ଭୁବନେଶ୍ବର
ଲୋକବାଦ୍ୟ : ଆଲୋକ ପ୍ରକାଶ ଦାସ, ବଲାଙ୍ଗିର
ଲୋକସଂଗୀତ : ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, କେନ୍ଦୁଝର
ନାଟ୍ୟ ରଚନା : ହେମେନ୍ଦ୍ର ମହାପାତ୍ର, ବାଲେଶ୍ବର
ଅଭିନୟ (ପୁରୁଷ) : ବୃନ୍ଦାବନ ବାରିକ, ଭଦ୍ରକ
ଅଭିନୟ (ନାରୀ) : ବିଦ୍ୟୁତପ୍ରଭା ପଟ୍ଟନାୟକ, ଭୁବନେଶ୍ବର
ନିର୍ଦେଶନା : ପ୍ରସନ୍ନ ମିଶ୍ର, ଭୁବନେଶ୍ବର
ମଞ୍ଚକଳା : ଅନ୍ତର୍ଯ୍ୟାମୀ ପଣ୍ଡା, ଭୁବନେଶ୍ବର
ଓଡ଼ିଶୀ ନୃତ୍ୟ : ବ୍ରଜକିଶୋର ମଲ୍ଲିକ, ଭୁବନେଶ୍ବର
ଲୋକନୃତ୍ୟ : ନୀଳକଣ୍ଠ ତରେଇ, ଗଞ୍ଜାମ
ଲୋକନାଟ୍ୟ : କେଶରଞ୍ଜନ ପ୍ରଧାନ, ବରଗଡ଼
ଗୀତିକବିତା : ମୀନାକ୍ଷି ଦେବୀ, କଟକ

୨୦୧୮-୧୯ ପାଇଁ ଏକାଡେମି ପୁରସ୍କାର ପାଇଲେ
ଓଡ଼ିଶୀ କଣ୍ଠ ସଂଗୀତ : ସୀମାଞ୍ଚଳ ଦାସ, ଗଞ୍ଜାମ
ହିନ୍ଦୁସ୍ଥାନୀ କଣ୍ଠ ସଂଗୀତ : ହରିହର ରଥ, ଭୁବନେଶ୍ବର
ଯନ୍ତ୍ରସଂଗୀତ (ତାରବାଦ୍ୟ) : ରମେଶ ଚନ୍ଦ୍ର ଦାସ, କେନ୍ଦ୍ରାପଡ଼ା
ଯନ୍ତ୍ର ସଂଗୀତ(ଆନଦ୍ଧ ବାଦ୍ୟ): ରାଧାକାନ୍ତ ନନ୍ଦ, କଟକ
ସୁଗମ ସଂଗୀତ : ଗୀତା ଦାଶ, ଭୁବନେଶ୍ବର
ଲୋକବାଦ୍ୟ : ସନ୍ତୋଷ ସୁନା, ସମ୍ବଲପୁର
ଲୋକସଂଗୀତ : ବିଥିକା ଚାଟାର୍ଜୀ, ବଲାଙ୍ଗିର
ନାଟ୍ୟ ରଚନା : ଡ. ସୁଧାଂଶୁ ନାୟକ, ଭଦ୍ରକ
ଅଭିନୟ (ପୁରୁଷ) : ନିରଂଜନ ସାହୁ, ଭୁବନେଶ୍ବର
ଅଭିନୟ (ନାରୀ) : ଲକ୍ଷ୍ମୀପ୍ରିୟା ମିଶ୍ର, ପୁରୀ
ନିର୍ଦେଶନା : ହରେନ୍‌ ସାହୁ, ଭୁବନେଶ୍ବର
ମଞ୍ଚକଳା : ସଂଗ୍ରାମ‌ କେଶରୀ ମହାରଣା, ଖୋର୍ଧା
ଓଡ଼ିଶୀ ନୃତ୍ୟ : ମୀରା ଦାସ, କଟକ
ଲୋକନୃତ୍ୟ : ମାଗୁଣି ଜେନା, ପୁରୀ
ଲୋକନାଟ୍ୟ : ବିଜୟ କୁମାର ବହଳି, ଭଦ୍ରକ
ଗୀତିକବିତା : ବଦ୍ରି ମିଶ୍ର, ପୁରୀ

ସମ୍ବନ୍ଧିତ ଖବର