ମଧ୍ୟାହ୍ନ ଭୋଜନ ଖାଇ ୩୨ ଛାତ୍ରଛାତ୍ରୀ ଅସୁସ୍ଥ ମାମଲା: ୧.୬୦ ଲକ୍ଷ କ୍ଷତିପୂରଣ ଦେବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍‌ ବ୍ଲକ୍‌ ନହଙ୍ଗ ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ଆର୍ତ୍ତେଶ୍ବର ଉପ୍ରା ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ସଁବାଳୁଆ ପଡ଼ିଥିବା ଖାଦ୍ୟ ଖାଇ ୩୨ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହେବା ମାମଲାରେ ୧,୬୦,୦୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚଆରସି) । ୨୦୧୬ ନଭେମ୍ବର ୧୬ ତାରିଖର ଏହି ଘଟଣା। ମାମଲାର ତଦନ୍ତ ଓ କ୍ଷତିପୂରଣ ଦାବି କରି ସୁପ୍ରିମକୋର୍ଟର ଓକିଲ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଏନ୍‌ଏଚଆରସିରେ ପିଟିସନ୍‌ ଦାଖଲ କରିବାପରେ ଏନ୍‌ଏଚଆରସି ଏହି ମାମଲାରେ ରିପୋର୍ଟ ତଲବ କରିଥିଲେ। ଉକ୍ତ ଘଟଣାରେ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ଅବହେଳା ‌ଯୋଗୁଁ ଛାତ୍ରଛାତ୍ରୀମାନେ କଷ୍ଟ ଭୋଗିଥିବା ଯୋଗୁଁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବାପାଇଁ ଜାତୀୟ ମାନବାଧିକାର ଆୟୋଗ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୮ ସପ୍ତାହ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କୁ କ୍ଷତିପୂରଣ ଅର୍ଥ ପୈଠ ନେଇ ପ୍ରମାଣ ପଠାଇବାପାଇଁ ମୁଖ୍ୟ ଶାସନ ସଚିବଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର