କରୋନା କବଳରେ ଶିକ୍ଷାନୁଷ୍ଠାନ, ଭବାନୀପାଟଣାରେ ପ୍ରଗତି କଲେଜରେ ୩୨ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ

ଭବାନୀପାଟଣା: ରାଜ୍ୟର ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନରେ ଏବେ ମାଡିଚାଲିଛି ମହାମାରୀ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଥିବା ପ୍ରଗତି କଲେଜରୁ ଏକାଥରକେ ୩୨ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ ସିଡିଏମଓ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ତେବେ ଏକାଥରକେ ଗୋଟିଏ ଶିକ୍ଷାନୁଷ୍ଠାନରୁ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ସଂକ୍ରମିତ ଚିହ୍ନଟ ହେବା ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇଛି । ଅନ୍ୟପଟେ ଆଜି କଳାହାଣ୍ଡି ଜିଲ୍ଲାରୁ ସମୁଦାୟ ୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ କେସିଙ୍ଗାରୁ ୩ଜଣ, ନର୍ଲାରୁ ୩ ଜଣ, ପରଲାରୁ ୨ଜଣ, ଧର୍ମଗଡରୁ ୩ଜଣ ,ଜୁନାଗଡରୁ ୩ଜଣ, ଭବାନୀପାଟଣାରୁ ୪ଜଣ ଓ ପ୍ରଗତି କଲେଜର ୩୨ଜଣ ଛାତ୍ରଛାତ୍ରୀ ପଜିଟିଭ ଅଛନ୍ତି |

ଏହା ପୂର୍ବରୁ ମଧ୍ୟ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀମାନେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ଦେଖିବାକୁ ମିଳିଥିଲା । ବିଶେଷ କରି ରାଉରକେଲା ଏନଆଇଟିର ଏକାଧିକ ଛାତ୍ରଛାତ୍ରୀ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ସେହିପରି ଗୋଟିଏ ଦିନ ପୂର୍ବରୁ ଖୋର୍ଦ୍ଧା ଆଇଆଇଟିରୁ ଆଉ ଦୁଇ ନୂଆ ସଂକ୍ରମିତ ଚିହ୍ନଟ ହେବା ସହିତ ମୋଟ କୋଭିଡ୍ ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିଲା । ତେବେ ଦେଶରେ କୋଭିଡର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବାବେଳେ ଛାତ୍ରଛାତ୍ରୀମାନେ ସଂକ୍ରମତ ଚିହ୍ନଟ ହେବା ଚିନ୍ତାର ବିଷୟ ପାଲଟିଛି ।

ସମ୍ବନ୍ଧିତ ଖବର