ରାଜ୍ୟ ବାହାରୁ ଭଦ୍ରକୁ ଆସିବେ ୩୨ ହଜାର ଶ୍ରମିକ 

ଭଦ୍ରକ: ଭଦ୍ରକ ଜିଲ୍ଲାକୁ ୩୨ ହଜାର ପ୍ରବାସୀ ଓଡ଼ିଆ ଫେରିବେ ବୋଲି ନିଜର ନାମ ଅନ୍ ଲାଇନରେ ପଂଜୀକରଣ କରିଛନ୍ତି। ଏଇ ଲୋକମାନେ ଜିଲ୍ଲାକୁ ‌କିଭଳି ଫେରିବେ ଓ ସେମାନଙ୍କୁ କିଭଳି ଭାବେ ସଂଗରୋଧ କରାଯାଇ ରଖାଯିବ ତାହା ଉପରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଇ ପ୍ରବାସୀ ଓଡ଼ିଆଙ୍କ ଭଦ୍ରକ ଫେରିବା ପରେ କିଭଳି ପରିସ୍ଥିତିକୁ ମୁକାବିଲା କରାଯିବ ତାହା ଉପରେ ମଧ୍ୟ ତୀକ୍ଷ୍ମ ନଜର ରଖାଯାଇଛି।

ଜିଲ୍ଲାରେ ୭ ବ୍ଲକର ମୋଟ ୨୧୮ଟି ପଞ୍ଚାୟତକୁ ଫେରିବା ପାଇଁ ୩୦ ହଜାର ୫୫୬ ଜଣ ସେମାନଙ୍କ ନାମ ଅନ୍ ଲାଇନରେ ରେଜିଷ୍ଟ୍ରେସନ କରିଥିବା ବେଳେ ଜିଲ୍ଲାର ୨ଟି ମୁନିସିପାଲଟି ଓ ୨ଟି ଏନଏସି ଅଞ୍ଚଳର ୭୯ ୱାର୍ଡକୁ ଫେରିବା ପାଇଁ ୧୭୭୪ ଜଣ ଲୋକ ସେମାନଙ୍କର ନାମ ପଂଜିକରଣ କରିଛନ୍ତି। ଏସବୁକୁ ମିଶାଇ ମୋଟ ୩୨ ହଜାର ୧୩୦ ଜଣ ନାମ ପଂଜୀକରଣ କରିଛନ୍ତି। ଏଇ ଲୋକ ଫେରିବା ପରେ ଏମାନଙ୍କର ସୁରକ୍ଷା ଦାୟିତ୍ୱ ଜିଲ୍ଲାର ୫ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଉପରେ ନ୍ୟସ୍ତ କରାଯାଇଛି।

ସେଥିପାଇଁ ବୈଠକରେ ନିଷ୍ପତ୍ତି କରାଯାଇଛି। ଭଦ୍ରକ ବ୍ଲକ ଓ ପୌରାଞ୍ଚଳ ଦାୟିତ୍ୱ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ଶ୍ୟାମଭକ୍ତ ମିଶ୍ରଙ୍କୁ ଦିଆଯାଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ) ଅରୁଣ ମହାପାତ୍ରଙ୍କୁ ଚାନ୍ଦବାଲି ବ୍ଲକ ଓ ଏନଏସି ଓ ତିହିଡି ବ୍ଲକ ଅଞ୍ଚଳର ଦାୟୀତ୍ବ ଦିଆଯାଇଛି। ଧାମନଗର ବ୍ଲକ ଓ ଏନଏସି ଓ ଭଣ୍ଡାରିପୋଖରୀ ବ୍ଲକ ପାଇଁ ଉପଜିଲ୍ଲାପାଳ ପୀତାମ୍ବର ସାମଲଙ୍କୁ ଦାୟୀତ୍ବ ଦିଆଯାଇଛି। ବାସୁଦେବପୁର ବ୍ଲକ ଓ ପୌରାଞ୍ଚଳ ପାଇଁ ପିଡି ଡିଆରଡିଏ ମଧୁସୂଦନ ଦାସଙ୍କୁ ଦାୟୀତ୍ବ ଦିଆଯାଇଛି। ବନ୍ତ ବ୍ଲକ ପାଇଁ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡାଙ୍କୁ ଦାୟୀତ୍ବ ଦିଆଯାଇଛି।

ଜିଲ୍ଲାରେ ଯେତେବେଳେ ଏତେ ସଂଖ୍ୟକ ଲୋକ ବାହାର ରାଜ୍ୟରୁ ଭଦ୍ରକ ଜିଲ୍ଲାକୁ ପ୍ରବେଶ କରିବେ ଏହାକୁ ନେଇ ପ୍ରଶାସନକୁ ଅଡୁଆ ପରିସ୍ଥିତିରେ ପଡିବାକୁ ପଡିବ। ସେଥିପାଇଁ ପ୍ରଶାସନ ପକ୍ଷରୁ ଏହାର ମୁକାବିଲା ପାଇଁ ଆଗୁଆ ପକ୍ଷେପ ନିଆଯିବା ପାଇଁ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବେଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳଙ୍କ ସମ୍ମିଳନୀ ପ୍ରେଅକୋଷ୍ଠରେ ଅନୁଷ୍ଠିତ ଏଇ ବୈଠକରେ ଜିଲ୍ଲାର କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବା ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗଦେଇଥିଲେ।

ବାହାରୁ ଫେରିବାକୁ ଥିବା ଲୋକମାନଙ୍କୁ ସ୍ବତନ୍ତ୍ର ବସ୍ କିମ୍ବା ଟ୍ରେନ ଯୋଗେ ଅଣାଯିବ କି କଣ ତାହା ଉପରେ କିଛି ନିଷ୍ପତ୍ତି ହୋଇ ନାହିଁ। ତେବେ‌ ଏମାନେ ଫେରିବା ଚିଶ୍ଚିତ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଏମାନଙ୍କର ସମସ୍ତ ପ୍ରକାରର ତଦାରଖ କରିବେ ବୋଲି ଜଣାପଡିଛି। ଏମାନେ ଓଡ଼ିଶା ଫେରିବା ପରେ ଏମାନଙ୍କୁ ନିଜ ନିଜ ପଞ୍ଚାୟତ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କ୍ବାରେଣ୍ଟାଇନ୍ କେନ୍ଦ୍ରରେ ରଖାଯିବ। ଏମାନଙ୍କର ସମସ୍ତ ପ୍ରକାର ଖାଇବା ପିଇବା ବ୍ୟବସ୍ଥା ସରକାର କରିବେ। କେବଳ ସେତିକି ନୁହେଁ, ଏମାନଙ୍କର ରକ୍ତ ନମୁନା ପରିକ୍ଷା କରିବା ପରେ ୧୪ ଦିନ କ୍ବାରେଣ୍ଟାଇନ୍ କେନ୍ଦ୍ରରେ ସଂଗରୋଧଭାବେ ରଖାଯିବା ନେଇ ନିଷ୍ପତ୍ତି କରାଯାଇଛି।

ସମ୍ବନ୍ଧିତ ଖବର