ରାଜ୍ୟରେ ଦିନକରେ ୩୨ ହଜାର ନମୁନା ପରୀକ୍ଷା

୨୩ ହଜାର ରାପିଡ୍‌ ଆଣ୍ଟିଜେନ୍, ୮ହଜାର ଆର୍‌ଟି-ପିସିଆର୍

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୩୨ହଜାର ୫୩ କୋଭିଡ୍‌ ନମୁନା ପରୀକ୍ଷା ହୋଇଛି। ଗତ ୧୦ତାରିଖରେ ରାଜ୍ୟରେ ୨୩ହଜାରରୁ ଅଧିକ ପରୀକ୍ଷା ହୋଇଥିଲା। ମାତ୍ର ୨୪ଘଣ୍ଟାରେ ଆହୁରି ୯ହଜାର ଅଧିକ ନମୁନା ପରୀକ୍ଷା ହୋଇଛି। ତେବେ ଏଥିରେ ୨୩ହଜାର ରାପିଡ୍‌ ଆଣ୍ଟିଜେନ୍ କିଟ୍‌ରେ ପରୀକ୍ଷା ହୋଇଥିବା ବେଳେ ୮ହଜାର ଆରଟି-ପିସିଆର ଓ ମାତ୍ର ଶହେରୁ ଅଧିକ ଟ୍ରୁନାଟ୍‌ରେ ପରୀକ୍ଷା କରାଯାଇଛି। ଆଗକୁ ରାଜ୍ୟରେ କୋଭିଡ୍‌ ପରୀକ୍ଷା ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି।

ରାଜ୍ୟରେ ଏବେ ସରକାରୀ ଓ ଘରୋଇକୁ ମିଶାଇ ସମୁଦାୟ ୫୫ଟି ଲ୍ୟାବ୍ ରହିଛି। ୮୪୪୦ ଆରଟି-ପିସିଆର ପରୀକ୍ଷାରେ ଆରଏମ୍‌ଆରସିରେ ୧୮୦୩, ଏସ୍‌ସିବିରେ ୧୭୧୩, ଆଇଏନ୍‌ଡିଏନ୍ଏ ୧୦୨୬, ଆଇଏଲଏସ୍‌ରେ ୯୭୧ଓ ଆଇସିଏଫ୍‌ଏମ୍‌ଡିରେ ୬୭୩ ନମୁନା ପରୀକ୍ଷା ହୋଇଛି। ସେହିପରି ରାପିଡ୍‌ ଆଣ୍ଟିଜେନ୍‌ରେ ଗଞ୍ଜାମରେ ୩୫୬୨, ମୟୂରଭଞ୍ଜ ୨୪୬୫, ସମ୍ବଲପୁର ୧୪୪୮, କେନ୍ଦ୍ରାପଡ଼ା ୧୦୮୬, ନବରଙ୍ଗପୁର ୧୦୪୦, କେନ୍ଦୁଝର ୧୦୦୮ ଓ ଅନ୍ୟନ୍ୟ ଜିଲ୍ଲାରେ ଏହି ପରୀକ୍ଷା ହୋଇଛି। ତେବେ ଟ୍ରୁନାଟ୍‌ରେ ମାତ୍ର ୧୨୩ ନମୁନା ପରୀକ୍ଷା କରାଯାଇଛି। ଆଗକୁ ରାଜ୍ୟରେ ଦିନକୁ ୧ଲକ୍ଷ କୋଭିଡ୍‌ ନମୁନା ପରୀକ୍ଷା କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ସୂଚନା ଦେଇଛନ୍ତି ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦେଶକ ଅଜୟ ପରିଡ଼ା। ଶ୍ରୀ ପରିଡ଼ା କହିଛନ୍ତି, ରାପିଡ୍‌ ଆଣ୍ଟିଜେନ୍ କିଟ୍‌ରେ ପରୀକ୍ଷା ଅଧିକ ବଢ଼ିବ। ରାଜଧାନୀର ବିଭିନ୍ନ ୱାର୍ଡରେ ପରୀକ୍ଷା କରାଯିବ। ପୂର୍ବରୁ କେବଳ ଲକ୍ଷଣ ଥିବା ଲୋକଙ୍କ ପରୀକ୍ଷା କରାଯାଉଥିଲା। ଏବେ ଅଧିକ ପରୀକ୍ଷା ହେଉଥିବା ବେଳେ କମ୍ ପଜିଟିଭ୍ ଚିହ୍ନଟ ହେଉଛନ୍ତି ବୋଲି ଶ୍ରୀ ପରିଡ଼ା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର