ଭୁବନେଶ୍ବର : କୋଭିଡ୍ ସମୟରେ ୟୁଟ୍ୟୁବ୍ ମାଧ୍ୟମରେ ରାଜ୍ୟର ହାରାହାରି ୩୩.୫୨% ପିଲା ଶିକ୍ଷା ଗ୍ରହଣ କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲାର ପ୍ରଥମରୁ ୮ମ ଶ୍ରେଣୀ ମଧ୍ୟରେ ୩୫ ହଜାର ୬୬୨ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୮ ହଜାର ୯୭୧ ଜଣ ୟୁଟ୍ୟୁବ୍ ଦେଖିଛନ୍ତି। ଯାହାକି ୫୩.୨୦%। ୯ମ ଓ ଦଶମ ଶ୍ରେଣୀର ୧୦ ହଜାର ୫୫୨ ପିଲାଙ୍କ ମଧ୍ୟରୁ ୫୨୫୨ ଜଣ ପଢ଼ିଛନ୍ତି। ଏବାବଦରେ କୌଣସି ଅର୍ଥ ଖର୍ଚ୍ଚ କରାଯାଇ ନାହିଁ। ସେହିପରି ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ଥିବା ୧ ଲକ୍ଷ ୪୯ ହଜାର ୮୧୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୯ ହଜାର ୮ ଜଣ ୟୁଟ୍ୟୁବ୍ ଦେଖିଛନ୍ତି। ୯ମ ଓ ଦଶମ ଶ୍ରେଣୀର ୪୫ ହଜାର ୧୩୯ ପିଲାଙ୍କ ମଧ୍ୟରୁ ମାତ୍ର ୯୫୧୨ ଜଣ ୟୁଟ୍ୟୁବ୍ ଦେଖି ପଢ଼ିଛନ୍ତି। ଏବାବଦରେ ୪୬ ହଜାର ୮୦୦ ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି।
୧୨୦୪ ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ ସିଓଆର ମିଳିଛି
ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରୁଥିବା ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସଂଖ୍ୟା ୧୯୬୯। ସେଥିମଧ୍ୟରୁ ୨୦୨୦-୨୧ ଶିକ୍ଷାବର୍ଷରେ ୧୨୦୪ଟି ବିଦ୍ୟାଳୟ ସିଓଆର ହାସଲ କରିଛନ୍ତି। ୩୮୯ଟି ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ହାଇସ୍କୁଲସ୍ତରରେ ସରକାରଙ୍କଠାରୁ ଏନ୍ଓସି ପାଇଛନ୍ତି। ବିନା ସରକାରୀ ଅନୁମତିରେ ଚାଲୁଥିବା ଘରୋଇ ବିଦ୍ୟାଳୟଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗତ ନଭେମ୍ବର ୨୦ ତାରିଖରେ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଥିବା ନେଇ ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।
ହାଇସ୍କୁଲରେ ୪୫୨୦ ବିଜ୍ଞାନ, ୧୮୮୬ ସଂସ୍କୃତ ଶିକ୍ଷକ ନାହାନ୍ତି
ରାଜ୍ୟର ଥିବା ହାଇସ୍କୁଲରେ ୧୭୧୦୪ଟି ମଞ୍ଜୁରପ୍ରାପ୍ତ ବିଜ୍ଞାନ ଶିକ୍ଷକ ପଦବି ଥିବାବେଳେ ଏଥିରୁ ଏବେ ୪୫୨୦ଟି ଖାଲି ପଡ଼ିଛି। ସେହିପରି ମଞ୍ଜୁରପ୍ରାନ୍ତ ୭୮୧୭ଟି ସଂସ୍କୃତ ଶିକ୍ଷକ ପଦବି ଥିବାବେଳେ ଏଥିରୁ ୧୮୮୬ଟି ଖାଲି ପଡ଼ିଛି। ଅର୍ଥାତ୍ ଅଧିକାଂଶ ସ୍କୁଲରେ ଆବଶ୍ୟକୀୟ ବିଜ୍ଞାନ ଓ ସଂସ୍କୃତ ଶିକ୍ଷକ ନାହାନ୍ତି। ଏପରିକି କେତେକ ସ୍କୁଲର ଅନ୍ୟ ବିଷୟର ଶିକ୍ଷକ ଏହି ସବୁ କ୍ଲାସ୍ ନେଉଛନ୍ତି।
ସେହିପରି ରାଜ୍ୟର ୧୬୨୦ଟି ପ୍ରାଥମିକ ବିଦ୍ୟାଳୟରେ ଓ ୪୬ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି। ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି।
୨୦୨୨-୨୩ରେ ୬୩ଟି ନୂତନ ଆଦର୍ଶ ବିଦ୍ୟାଳୟ
ଏବେ ସୁଦ୍ଧା ରାଜ୍ୟରେ ୨୫୦ଟି ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି। ଭୁବନେଶ୍ବରର ଅନ୍ଧାରୁଆଠାରେ ଏକ ସ୍ବତନ୍ତ୍ର ଆଦର୍ଶ ବିଦ୍ୟାଳୟ ଖୋଲିବା ପାଇଁ ପ୍ରସ୍ତୁତି ଚାଲିଛି। ଏଥିସହ ୨୦୨୨-୨୩ ଆର୍ଥିକ ବର୍ଷରେ ୬୩ଟି ନୂତନ ଆଦର୍ଶ ବିଦ୍ୟାଳୟ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିରେ ଅନୁଗୁଳ ଜିଲ୍ଲାରେ ୫ଟି, ଗଜପତିରେ ୭, ବରଗଡ଼, ଢେଙ୍କାନାଳ ଓ ସୁନ୍ଦରଗଡ଼ରେ ୪ଟି ଲେଖାଏ, ବଲାଙ୍ଗୀରରେ ୧୧, ପୁରୀରେ ୯, କଟକରେ ୬, ଦେବଗଡ଼, ବାଲେଶ୍ବର, ବୌଦ୍ଧ, ଭଦ୍ରକରେ ୩ଟି ଲେଖାଏ, ଖୋର୍ଧା ଓ ନୟାଗଡ଼ରେ ଦୁଇଟି ଲେଖାଏ, କେନ୍ଦ୍ରାପଡ଼ା, ସମ୍ବଲପୁର ଓ ସୋନପୁରରେ ଗୋଟିଏ ଲେଖାଏ ରହିଛି। ବିଧାୟକ ସୌଭିକ୍ ବିଶ୍ବାଳଙ୍କ ଏକ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ଏହା କହିଛନ୍ତି।
ମିଶ୍ରଣ ହେବ ୭୭୫୦ ସ୍କୁଲ
୧୦ କିମ୍ବା ୧୦ରୁ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ରାଜ୍ୟରେ ୧୮୪୧ଟି ବିଦ୍ୟାଳୟକୁ ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ବନ୍ଦ କରାଯାଇଛି। ତେବେ ଅଭିଭାବକଙ୍କ ଅନୁରୋଧ ତଥା ଭୌଗୋଳିକ ଅବସ୍ଥାନ ଆଦି ବିଷୟକୁ ବିଚାରକୁ ନେଇ ବନ୍ଦ କରାଯାଇଥିବା ସ୍କୁଲକୁ ପୁନଃ ଖୋଲିବା ବିଷୟ ସମ୍ପୃକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କଠାରୁ ତଥ୍ୟ ମଗାଯାଇଛି। ଯାହାକି ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ୨୦୨୦ ମାର୍ଚ୍ଚ ୧୧ରେ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟରେ ସମୁଦାୟ ୭୭୫୦ଟି ବିଦ୍ୟାଳୟକୁ ମିଶ୍ରଣ କରିବା ଲାଗି ସରକାରଙ୍କ ଅନୁମୋଦନ ମିଳିଥିବା ବିଧାୟକ ନାଉରୀ ନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।