‘ଫନି’ ବାତ୍ୟାରେ ଫସଲ ନଷ୍ଟ ନେଇ ସରକାରଙ୍କ ପ୍ରାଥମିକ ଆକଳନ, ଲକ୍ଷେ ହେକ୍ଟର ଜମିରେ ୩୩% ଫସଲ କ୍ଷତି

ଭୁବନେଶ୍ବର : ‘ଫନି’ ବାତ୍ୟାର କ୍ଷତଭରଣା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସରକାର ପୁନରୁଦ୍ଧାର କାର୍ଯ୍ୟ କରିଚାଲିଛନ୍ତି। ଫସଲ କ୍ଷୟକ୍ଷତିର ପ୍ରାଥମିକ ଆକଳନ ରିପୋର୍ଟ ଆଜି ସରକାର ପ୍ରକାଶ କରିଛନ୍ତି। ୧୪ଟି ପ୍ରଭାବିତ ଜିଲ୍ଲାରେ ମୋଟ୍ ୧ ଲକ୍ଷ ୫୨ ହଜାର ୯୮୫ ହେକ୍ଟର ଜମିରେ ଫସଲ ନଷ୍ଟ ହେବା ନେଇ ସରକାର ଆକଳନ କରିଛନ୍ତି। ଫସଲ କ୍ଷତିଭରଣା ପାଇଁ ରିଲିଫ କୋର୍ଡ଼ ଅନୁଯାୟୀ ଆର୍ଥିକ ସହାୟତା ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ସେହିପରି ଟେଲିଫୋନ୍ ସେବା ପୁନଃଅବସ୍ଥାପିତ କରିବା ପାଇଁ ସରକାର କେତେଟି ମୁଖ୍ୟ ଟେଲିକମ୍ କମ୍ପାନିଙ୍କ ରାଜ୍ୟସ୍ତରୀୟ ମାଷ୍ଟର ସୁଇଚିଂ ସେଣ୍ଟରକୁ ବିଦ୍ୟୁତ ଯୋଗାଇବାରେ ସଫଳତା ପାଇଛନ୍ତି। ଅଧିକ ପ୍ରଭାବିତ ହୋଇଥିବା ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିିଲ୍ଲାରେ ମହାମାରି ରୋକିବାକୁ ଏନସିଡିସି ଟିମଙ୍କୁ ପଠାଇବା ସହ ଏସବୁ ଜିଲ୍ଲାକୁ ପର୍ଯ୍ୟାପ୍ତ ପରିମାଣର ରିଲିଫ ସାମଗ୍ରୀ ଯଥା ଚୁଡ଼ା, ଗୁଡ଼ ଓ ଚାଉଳ ପଠାଯାଇଛି ବୋଲି ସରକାର ସୂଚନା ଦେଇଛନ୍ତି।

ପୁନରୁଦ୍ଧାର କାର୍ଯ୍ୟ ଅଗ୍ରଗତି ନେଇ ଗୁରୁବାର ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂହ କହିଛନ୍ତି, ପ୍ରଭାବିତ ଜିଲ୍ଲାରେ ଜଳଯୋଗାଣ ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ୧୪ଟି ଜିଲ୍ଲାରେ ଫସଲ କ୍ଷୟକ୍ଷତି ନେଇ ସରକାର ପ୍ରାଥମିକ ଆକଳନ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ବାତ୍ୟା ଯୋଗୁଁ ୧ ଲକ୍ଷ ୨୧ ହଜାର ୯୬୧ ହେକ୍ଟର ଜମିରେ ୩୩%ରୁ ଅଧିକ ଫସଲ ନଷ୍ଟ ହୋଇଛି। ସେଥିରେ ୩୬ ହଜାର ୮୯୮ ହେକ୍ଟର ଜଳସେଚିତ ଜମି ଥିବାବେଳେ ୭୨ ହଜାର ୭୮୬ ହେକ୍ଟର ଅଣଜଳସେଚିତ ଜମି ସାମିଲ ଅଛି। ସେହିପରି ୧୨ ହଜାର ୨୭୭ ହେକ୍ଟର ଜମିରେ ପାରମ୍ପରିକ କୃଷି ଫସଲ ନଷ୍ଟ ହୋଇଛି। ବିଶେଷକରି ବାତ୍ୟା ଯୋଗୁଁ ନଡ଼ିଆ, ଆମ୍ବ, କଦଳୀ, କାଜୁ, ପାନବରଜ ବହୁ ମାତ୍ରାରେ ନଷ୍ଟ ହୋଇଛି। ଫସଲ ନଷ୍ଟ ବାବଦରେ ସହାୟତା ପାଇଁ ମୋଟ ୧୪୫ କୋଟି ୪୫ ଲକ୍ଷ ଟଙ୍କା ପ୍ରାଥମିକ ଆକଳନ ହୋଇଥିବା ଶ୍ରୀ ସିଂହ ସୂଚନା ଦେଇଛନ୍ତି। କ୍ଷୟକ୍ଷତିର ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବାକୁ ଏବେ ବି ରାଜସ୍ବ ଓ କୃଷି ଅଧିକାରୀମାନେ ମିଳିତଭାବେ କାର୍ଯ୍ୟ କରୁଛନ୍ତି।

ଟେଲିଫୋନ୍ ସେବା ପୁନରୁଦ୍ଧାର ନେଇ ଶ୍ରୀ ସିଂହ ସୂଚନା ଦେଇ କହିଛନ୍ତି, ବିଏସଏନଏଲ, ଜିଓ ଭଳି ବଡ଼ ଟେଲିଫୋନ ସେବା ପ୍ରଦାନକାରୀ କମ୍ପାନିଙ୍କ ରାଜ୍ୟ ସ୍ତରୀୟ ମାଷ୍ଟର ସୁଇଚିଂ ସେଣ୍ଟରକୁ ଆଜି ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ ଯୋଗାଇ ଦେଇଛନ୍ତି। ସେଥିରେ ବିଏସଏନଏଲର ୨ଟି, ଜିଓର ୨ଟି, ଏୟାରଟେଲର ୧ଟି, ଭୋଡ଼ାଫୋନର ୧ଟି ସାମିଲ ଅଛି। ଏସଏମଏସସି ତଳକୁ ଥିବା ବେସ ସୁଇଚିଂ ସେଣ୍ଟରଗୁଡ଼ିକରେ ଡିଜେଲ ଜେନେରେଟର ସେଟ୍ ଠିକଠାକ କାମକରୁଛି। ଏବେସୁଦ୍ଧା ବିଏସଏନଏଲର ୭ଟି ବେସ ସୁଇଚିଂ ସେଣ୍ଟର କାର୍ଯ୍ୟକ୍ଷମ ହୋଇଥିବାବେଳେ ଭୋଡ଼ାଫୋନର ୭ଟି, ଜିଓର ୫୬ଟି ବେସ ସୁଇଚିଂ ସେଣ୍ଟର କାର୍ଯ୍ୟ କରିବା ଆରମ୍ଭ କରିଛି। ବେସ ସୁଇଚିଂ ପରେ ଥିବା ମୋବାଇଲ ବିଟିଏସ ଟାଵାରକୁ ଏବେସୁଦ୍ଧା ମାତ୍ର ୩୨% ବିଦ୍ୟୁତ ଯୋଗାଇ ଦିଆଯାଇପାରିଛି। ମୋଟ୍ ୪ ହଜାର ୫୪୩ଟି ବିଟିଏସ ଟାଵାରରୁ ୧୪୫୦ଟି ଟାଵାରକୁ ବିଦ୍ୟୁତ ସଂଯୋଗ ମିଳିଥିବାରୁ ଏବେ ବି ମୋବାଇଲରେ କଥା ହେବାବେଳେ ଠିକ ଭାବେ ସଂଯୋଗ ରହିବା ନେଇ ସମସ୍ୟା ଦେଖାଦେଉଛି। ଆସନ୍ତାକାଲି ସୁଦ୍ଧା ଆହୁରି ଅଧିକ ଟାଵାରକୁ ବିଦ୍ୟୁତ ସଂଯୋଗ ସେସୁ କର୍ତ୍ତୃପକ୍ଷ ଯୋଗାଇ ଦେବେ। ଏେବ ବି ଟେଲିଫୋନ ସେବା ପାଇଁ ଯେ କୌଣସି ସେବା ପ୍ରଦାନକାରୀ କମ୍ପାନିକୁ ନିଜ ମୋବାଇଲରେ ଚୟନ କରି ଟେଲିଫୋନ୍ ସେବା ପାଇପାରିବେ ବୋଲି ସୂଚନା ଓ ଲୋକସମ୍ପର୍କ ସଚିବ କହିଛନ୍ତି।

ସ୍ବାସ୍ଥ୍ୟସେବା ଯୋଗାଇବାରେ ସରକାର ସଫଳତା ପାଇଛନ୍ତି। ‘ଫନି’ରେ ଅଧିକ ପ୍ରଭାବିତ ହୋଇଥିବା ୫ଟି ଜିଲ୍ଲାରେ ମୋଟ ୭୦୩ଟି ମେଡିକାଲ ରିଲିଫ ସେଣ୍ଟର (ଏମଆରସି ) କାର୍ଯ୍ୟ କରିଛି। ୩୭୧ଜଣ ଗର୍ଭବତୀଙ୍କର ପ୍ରସୂତି ହୋଇଥିବାବେଳେ ୧୦ ହଜାର ୫୪୪ଟି ଆହତଙ୍କ ଉପଚାର କରାଯାଇଛି। ସେହିପରି ପୁରୀ, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣରେ ଓଆରଏସ, ବ୍ଲିଚିଂ ପାଉଡର, ସାପ କାମୁଡ଼ା ଇଂଜେକସନ୍, ଆଣ୍ଟି ବାୟୋଟିକ୍ସ, ପାରାସିଟାମଲ ବଟିକା ସହ ପାଣିକୁ ବିଶୋଧନ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ହାଲୋଜିନ ବଟିକା ଯୋଗାଇ ଦିଆଯାଇଛି। ମହାମାରୀ ରୋକିବାକୁ ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ କଣ୍ଟ୍ରୋଲ (ଏନସିଡିସିର) ୧୪ ଜଣିଆ ସଦସ୍ୟ ବିଶିଷ୍ଟ ଟିମକୁ ପୁରୀ ପଠାଯାଇଛି।

ରିଲିଫ ସାମଗ୍ରୀ ଯୋଗାଣ ନେଇ ଶ୍ରୀ ସିଂହ କହିଛନ୍ତି, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାକୁ ୩ ହଜାର ୪୫୮ କୁଇଣ୍ଟାଲ ଚୁଡ଼ା ସହିତ ୫୮୭ କୁଇଣ୍ଟାଲ ଗୁଡ଼ ପଠାଯାଇଛି। ସେହିପରି ଏସବୁ ଜିଲ୍ଲାକୁ ସମାନ ଭାବେ ୧ ଲକ୍ଷ ୨୭ ହଜାର ୭୮ କୁଇଣ୍ଟାଲ ଚାଉଳ ରିଲିଫ ବାବଦରେ ଆବଣ୍ଟନ କରାଯାଇଛି। ଅନ୍ୟ ପ୍ରଭାବିତ ଜିଲ୍ଲା ଭିତରେ କଟକରୁ ୧ ଲକ୍ଷ ୫୨ ହଜାର ୩୦୯ କୁଇଣ୍ଟାଲ ଚାଉଳ ଆବଣ୍ଟନ ହୋଇଥିବାବେଳେ, କେନ୍ଦ୍ରାପଡ଼ାକୁ ୯୭ ହଜାର ୧୩୦ କୁଇଣ୍ଟାଲ, ଜଗତସିଂହପୁର ଜିଲ୍ଲାକୁ ୭୦ ହଜାର ୬୮୧ କୁଇଣ୍ଟାଲ ଚାଉଳ ଯୋଗାଇ ଦିଆଯାଇଛି। ରାଜ୍ୟରେ ଯଥେଷ୍ଟ ପରିମାଣର ଚାଉଳ ଗଚ୍ଛିତ ଅଛି। ଆଉ କୌଣସି ବି ପରିସ୍ଥିତିରେ ପାଣିରେ ଓଦା ହୋଇଥିବା ଚାଉଳ କିମ୍ବା ଖରାପ ଚାଉଳ ରିଲିଫ କିମ୍ବା ଖାଉଟି ବଣ୍ଟନରେ ନଦେବାକୁ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟତୁ ଭିତ୍ତିଭୂମିର ପୁନରୁଦ୍ଧାର ନେଇ ବାହାର ରାଜ୍ୟରୁ ୩୦୦ ଗ୍ୟାଙ୍ଗ୍ ଆସିଛନ୍ତି ଓ ଯୁଦ୍ଧାକଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ ଆଗେଇଚାଲିଛି। କଟକର ଜଗତପୁର ଶିଳ୍ପାଞ୍ଚଳକୁ ଛାଡ଼ିଦେଲେ ବାକି ସବୁ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ପୁନଃଅବସ୍ଥାପିତ ହୋଇଛି। ଆସନ୍ତାକାଲି ସୁଦ୍ଧା ଭୁବନେଶ୍ବର ସହରର ୮୦% ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ମିଳିବ। ଆସନ୍ତା ୧୨ ତାରିଖ ସୁଦ୍ଧା ଶତପ୍ରତିଶତ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବ ବୋଲି ସେସୁ ଲକ୍ଷ୍ୟ ରଖିଥିବା ପୁଣି ଥରେ ଶ୍ରୀ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର