ରାଜ୍ୟରେ ଥିବା ଜେଲ୍ଗୁଡିକରେ ୭୩ ଡାକ୍ତର ପଦରୁ ୩୩ ଖାଲି
ଭୁବନେଶ୍ୱର : ବିଚିତ୍ର ସ୍ଥିତିରେ ରହିଛି ଜେଲ୍ରେ ସ୍ବାସ୍ଥ୍ୟସେବା। ଅନେକ ସମୟରେ ଜେଲ୍ଗୁଡ଼ିକରେ ଉତ୍ତମ ସ୍ବାସ୍ଥ୍ୟସେବାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଏବେ ୭୩ ଡାକ୍ତର ପଦରୁ ୩୩ ଖାଲି ପଡ଼ିଛି। ନିକଟ ଅତୀତରେ ଏ ନେଇ ବିଜ୍ଞାପନ ପ୍ରକାଶ ପାଇଥିଲା। ହେଲେ ମାତ୍ର ୨୦ଟି ପଦ ପାଇଁ ଆବେଦନ ହୋଇଥିଲା। ୧୩ଟି ପଦ ପାଇଁ କେହି ଆବେଦନ କଲେ ନାହିଁ। ଫଳରେ ଏହି ୧୩ ପଦ ଏବେ ଖାଲି ପଡ଼ିଛି। ଏହି ପଦ ପାଇଁ ପୁଣି ଥରେ ପିଜ୍ଞାପନ ପ୍ରକାଶ ପାଇବ ଏବଂ ଡାକ୍ତର ନିଯୁକ୍ତି ଦିଆଯିବ। ବଡ଼ କଥା ହେଉଛି ଦୂର ଦୂରାନ୍ତରେ ଥିବା କାରାଗାରକୁ ଡାକ୍ତରମାନେ ଯିବାକୁ ଚାହୁନଥିବାରୁ ଏଭଳି ସ୍ଥିତି ଉପୁଜୁଛି। ସର୍ବେକ୍ଷଣ ମୁତାବକ, ସମସ୍ତେ କେବଳ ସହରାଞ୍ଚଳରେ ରହିବା ପାଇଁ ଚାହୁଛନ୍ତି। ପୂରଣ ହୋଇଥିବା ପଦଗୁଡ଼ିକ ସହରାଞ୍ଚଳରେ ହିଁ ରେ ରହିଛି। ବାକି ୧୩ଟି ପଦ ଦୂରଦୂରାନ୍ତରେ ରହିଛି। ଏବେ ଏଗୁଡ଼ିକ ପୂରଣ ହେବ କି ନାହିଁ ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ରାଜ୍ୟରେ ୮୭ ଜେଲ୍ରେ ୧ହଜାର ୯ଶହ କଏଦୀ ରହିବା କ୍ଷମତା ରହିଛି। ଏହି ସବୁ କଏଦୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଅଦ୍ୟାବଧୀ ୧୭ ଜେଲ୍ରେ ରେଗୁଲାର୍ ଡାକ୍ତର ରହିଛନ୍ତି। ସେଥିରେ ୪ଟିରେ ମାନସିକ ରୋଗୀଙ୍କ ଡାକ୍ତର ରହିଛନ୍ତି। ଡାକ୍,ତର ଅଭାବ ରହୁଥିବାରୁ ଖାଲି ପଡ଼ିଥିବା ପଦଗୁଡ଼ିକରେ ଠିକା ଆୟୁଷ୍ ଡାକ୍ତର ନିଯୁକ୍ତି ପାଇଁ ସରକାର ମନସ୍ଥ କରିଛନ୍ତି। ସେହି ପ୍ରକ୍ରିୟାରେ ନିଯୁକ୍ତି ବେଳେ ସମସ୍ୟା ହୋଇଛି। ଡାକ୍ତରମାନେ ଅପହଞ୍ଚ ଇଲାକାକୁ ଯିବାକୁ ଚାହୁନାହାନ୍ତି। ଫଳରେ କଏଦୀମାନଙ୍କର ଉତ୍ତମ ସ୍ବାସ୍ଥ୍ୟସେବାକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପଟେ କଏଦୀମାନଙ୍କୁ ଚିକିତ୍ସା ପରିବା ପାଇଁ କାରବାର ବିଭାଗକୁ ଅନ୍ୟ ସରକାରୀ ଡାକ୍ତରଖାନାରେ ନିର୍ଭର କରିବାକୁ ପଡ଼ୁଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକତା ରହୁଛି। କଏଦୀ ଚିକିତ୍ସା ପାଇଁ ଡାକ୍ତରଖାନାରେ ରହିଲେ କଡ଼ା ପହରା ଦେବାକୁ ପଡ଼ୁଛି। ସେହିଭଳି ଏମାନେ ସାଧାରଣ ହସ୍ପିଟାଲ୍ରେ ଚିକିତ୍ସା ହେଲେ ଏହି ସବୁ ହସ୍ପିଟାଲରେ ରୋଗିଙ୍କ ସଂଖ୍ୟା ବଢ଼ୁଛି। ଫଳରେ ଡାକ୍ତରଙ୍କ ଉପରେ ଚାପ ପଡ଼ୁଥିବା ବେଳେ ଅନ୍ୟରୋଗିମାନଙ୍କ ଚିକିତ୍ସା ପ୍ରଭାବିତ ହେଉଛି। ସର୍ବେକ୍ଷଣ ମୁତାବକ, ସାଧାରଣତଃ ବନ୍ଦୀମାନେ ମାନସିକ ରୋଗର ଶିକାର ହୋଇଥାନ୍ତି। କେତେକ ଅଭିଯୁକ୍ତ ଭିନ୍ନ ଭିନ୍ନ ରୋଗ ନେଇ ଜେଲ୍ ଆସିଥାନ୍ତି। କିଛଇ ଦିନ ରହିବା ପରେ ଏହି ରୋଗ ସମ୍ବନ୍ଧରେ ଜଣାପଡ଼ିଥାଏ। ଉପଯୁକ୍ତ ସମୟରେ ଉପଯୁକ୍ତ ଚିକିତ୍ସା ନ ହେବାରୁ ଏହା ବ୍ୟାପିଥାଏ। ଫଳରେ ନିରୋଗ ଥିବା ଅନ୍ୟ ଜଣେ କଏଦୀ ମଧ୍ୟ ସଂକ୍ରମିତ ହୋଇଥାଏ। ଡାକ୍ତର ଅଭାବ କାରଣରୁ ରୋଗ ବଢ଼ି ବଢ଼ି ଯାଇଥାଏ। ଏବେ ଡାକ୍ତରଙ୍କର ଏଭଳି ଅଭାବ କଏଦୀମାନଙ୍କ ପାଇଁ କାଳ ହୋଇଛି। ଯଥାଶୀଘ୍ର କାରାଗାରରେ ଡାକ୍ତର ପଦ ପୂରଣ ନ ହେଲେ ସମସ୍ୟା ଆହୁରି ବଢ଼ିବ ବୋଲି ଜଣେ ଅବସରପ୍ରାପ୍ତ କାରଗାର ନିର୍ଦ୍ଦେଶକ କହିଛନ୍ତି।