ବାରିପଦା/ଶାମାଖୁଣ୍ଟା/ପୋଡ଼ାଅସ୍ତିଆ: ମୟୂରଭଞ୍ଜ ଜିଲ୍ଲାରେ ହାତୀ ଆକ୍ରମଣରେ ଆଉ ଜଣକର ଜୀବନ ଯାଇଛି। ମୃତକ ହେଲେ ଶାମାଖୁଣ୍ଟା ବ୍ଲକ୍ ଦାଡ଼ଦୁଡ଼ ଅଞ୍ଚଳର ମଧୁସୂଦନ ପାଣ୍ଡେ (୫୦)। ସେ ଶୌଚ ହେବାକୁ ବିଲକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ୨ଦିନ ପୂର୍ବେ ବଡ଼ସାହି ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ପ୍ରାଣ ହରାଇଥିବା ବେଳେ ୨ଜଣ ଆହତ ହୋଇଥିଲେ। ଆଜି ଆଉ ଜଣକର ମୃ୍ତ୍ୟୁ ପରେ ଲୋକଙ୍କ ସୁରକ୍ଷା ନେଇ ହରଡ଼ଘଣାରେ ପଡ଼ିଛି ବନ ବିଭାଗ। ଝାଡ଼ଖଣ୍ଡରୁ ଆସିଥିବା ୩୩ ଟିକିଆ ହାତୀପଲ ପାଇଁ ଏବେ ବଡ଼ସାହି, ବାରିପଦା, ଶାମାଖୁଣ୍ଟା, ଗୋପବନ୍ଧୁନଗର, ବେତନଟୀ ଓ ରାସଗୋବିନ୍ଦପୁର ବ୍ଲକ୍ ଅଞ୍ଚଳର ୧୩ ଲକ୍ଷରୁ ଅଧିକ ଲୋକଙ୍କ ନିଦ ହଜିଯାଇଛି।
ଆଉ ଜଣକୁ ଦଳିଦେଲା ଦନ୍ତା
ବାରିପଦା ସହର ଉପକଣ୍ଠରେ ବୁଲୁଛନ୍ତି
ଝାଡ଼ଖଣ୍ଡ ସୀମାକୁ ଘଉଡ଼ାଇବାକୁ ଯୋଜନା
ନିୟୋଜିତ ହେଲେ ୨୮୦ କର୍ମଚାରୀ
ଆଜି ସକାଳୁ ବାରିପଦା ସହରଠାରୁ ମାତ୍ର ୨ କିମି ଦୂର ଶାମାଖୁଣ୍ଟା ବ୍ଲକ୍ର ଶିରିସବଣିସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ନିକଟରେ ୩୩ଟି ହାତୀ ଦଳଦଳ ହୋଇ ବୁଲୁଥିଲେ। ଏହି ଦଳର ଏକ ଦନ୍ତା ମଧୁସୂଦନଙ୍କୁ ଦଳି ଦେଇଥିଲା। ସହର ଉପକଣ୍ଠରେ ହାତୀପଲଙ୍କ ଉତ୍ପାତ ଯୋଗୁଁ ଆତଙ୍କ ଖେଳିଯାଇଛି। ହାତୀପଲ ସହର ଭିତରକୁ ପଶିଲେ ସେମାନଙ୍କୁ ଘଉଡ଼ାଇବା ଓ ଲୋକଙ୍କୁ ସୁରକ୍ଷା ଦେବା ସହଜ ହେବନି। ତେଣୁ ହାତୀପଲଙ୍କୁ ସହରଠାରୁ ଦୂରେଇ ରଖିବାକୁ ଯୋଜନା ପ୍ରସ୍ତୁତ କରିଛି ବନ ବିଭାଗ। ୧୩୦ ବନ କର୍ମଚାରୀ ଓ ୧୫୦ ଗଜସାଥୀଙ୍କ ଜରିଆରେ ଏହି ହାତୀପଲଙ୍କୁ ଝାଡ଼ଖଣ୍ଡକୁ ତଡ଼ିବାକୁ ଆରମ୍ଭ ହୋଇଛି ଅପରେସନ୍। ବାରିପଦା ସହର ଉପକଣ୍ଠ ଦାଡ଼ଦୁଡ଼, ବହାଦୁରପୁର, ପାଣ୍ଡୁରା ଦେଇ ବୁଢ଼ାବଳଙ୍ଗ ନଦୀ ଅତିକ୍ରମ କରିବା ପରେ ଏବେ ଜ୍ୟୋତିପୁର ଜଙ୍ଗଲରେ ଅଛନ୍ତି ହାତୀପଲ। ସେଠାରୁ ବାହାରି ଆଜି ରାତିସୁଦ୍ଧା ଦେଉଳି-ଶଙ୍ଖଭଙ୍ଗା ଦେଇ ଜାତୀୟ ରାଜପଥ ଅତିକ୍ରମ କରିବାର ସମ୍ଭାବନା ଥିବାବେଳେ ସେମାନଙ୍କୁ ଝାଡ଼ଖଣ୍ଡ ଆଡ଼କୁ ବାଟ କଢ଼ାଇ ନେବାପାଇଁ ଏହି କର୍ମଚାରୀମାନେ ସଜାଗ ଅଛନ୍ତି। ଏହି ଦଳରେ ୨୨ଟି ଛୋଟ ହାତୀ ରହିଥିବାରୁ ଘଉଡ଼ାଇବା ସହଜ ହେଉନି। ଏନେଇ ଡିଏଫ୍ଓ ଏ.ଉମା ମହେଶଙ୍କ କହିଛନ୍ତି ଯେ ଏହି ୩୩ ଟିକିଆ ହାତୀପଲ ୪ ମାସ ହେଲା ମୟୂରଭଞ୍ଜରେ କ୍ଷୟକ୍ଷତି କରୁଛନ୍ତି। ସେମାନେ ଆଜି ରାତିରେ ଦେଉଳି ଦେଇ ଜାତୀୟ ରାଜପଥ ଅତିକ୍ରମ କରିବେ। ଏହାପରେ ସେମାନଙ୍କୁ ରାସଗୋବିନ୍ଦପୁର ଦେଇ ଝାଡ଼ଖଣ୍ଡ ସୀମାକୁ ଘଉଡ଼ାଇ ଦିଆଯିବ।