ଦେବଗଡ଼: ତିଲେଇବଣି ବ୍ଲକ ଅନ୍ତର୍ଗତ ବିନ୍ଦିପୁର ଲାଇସେନ୍ସପ୍ରାପ୍ତ ମଦଭାଟିକୁ ଆଜି ଭାଙ୍ଗି ଦେଇଛନ୍ତି ଅସୁରଖୋଳ ଗ୍ରାମର ମହିଳାମାନେ। ଉକ୍ତ ମଦଭାଟିକୁ ଉଚ୍ଛେଦ କରିବାକୁ ପ୍ରଶାସନ ପକ୍ଷରୁ ୭ ଦିନ ସମୟ ଦିଆଯାଇଥିବା ବେଳେ ପ୍ରତିଶ୍ରୁତି ପାଳନ ନ କରିବାରୁ ଗୁରୁବାର ମହିଳାମାନେ ଉକ୍ତ ମଦଭାଟି ଆଗରେ ପ୍ରଥମେ ଧାରଣାରେ ବସିଥିଲେ। ଖବରପାଇ ଦେବଗଡ଼ ତହସିଲଦାର ପଲ୍ଲବୀ ନାୟକ, ଏସ୍‌ଡିପିଓ ପ୍ରତ୍ୟୁଷ ମହାପାତ୍ର, ଦେବଗଡ ଥାନାଧିକାରୀ ସୁରେନ୍ଦ୍ର ନାୟକ, ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପାଞ୍ଜଳି ସାମଲ, ପୂର୍ବ ଜିଲ୍ଲା ପରିଷଦ ସଭାପତି ସୁଷମା ବେହେରା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ମହିଳାଙ୍କୁ ବୁଝାଶୁଝା କରିଥିଲେ। ମାତ୍ର ମଦ ଭାଟି ଅନ୍ୟତ୍ର ସ୍ଥାନାନ୍ତର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଅଡ଼ି ବସିଥିଲେ। କୌଣସି ସମାଧାନ ନ ହେବାରୁ ପରେ ଉତ୍ତ୍ୟକ୍ତ ମହିଳାମାନେ ମଦ ଭାଟିକୁ ଭ‌ାଙ୍ଗି ଦେବା ସହ ୨୦ କୁଇଣ୍ଟାଲରୁ ଅଧିକ ପୋଚ ନଷ୍ଟ କରିଥିଲେ। ଏହା ସହିତ ପାଉଚ ତିଆରି ମେସିନ୍‌କୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ଉକ୍ତ ଘଟଣାରେ ପୁଲିସ ୩୩ ଜଣ ମହିଳା ଓ ପୁରୁଷଙ୍କୁ ଗିରଫ କରିଥିବା ଜଣାପଡିଛି।

Advertisment

publive-image

ପ୍ରାପ୍ତ ସୂଚନାନୁସାରେ ତିଲେଇବଣି ବ୍ଲକ୍‌ର ଜାତୀୟ ରାଜପଥ କଡ଼ରେ ରହିଛି ତିଲେଇବଣି–ବିନ୍ଦପୁର ଲାଇସେନ୍ସପ୍ରାପ୍ତ ଦେଶୀ ମଦ ଭାଟି। ଭାଟିଟି ଅସୁରଖୋଳ ଗ୍ରାମ ନିକଟରେ ଥିବାରୁ ଉକ୍ତ ଗ୍ରାମର ପୁରୁଷମାନେ ହାତ ପାଆନ୍ତାରେ ଦେଶୀ ମଦ ପାଇ ଅତ୍ୟଧିକ ମଦ୍ୟପାନ କରିବା ସହ ଘରେ ମହିଳା ଓ ପିଲାମାନଙ୍କୁ ଗାଳିଗୁଲଜ ଓ ମାଡପିଟ କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ତେଣୁ ଭାଟିକୁ ତୁରନ୍ତ ବନ୍ଦ କରିବାରୁ ସେମାନେ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ, ଏସ୍‌ପି ଓ ଅବକାରୀ ଏସ୍‌ପିଙ୍କ ନିକଟରେ ବାରମ୍ବାର ଦାବି କରି ଆସୁଥିଲେ। କିନ୍ତୁ କୌଣସି ଠୋସ ପଦକ୍ଷେପ ନିଆ ନଯିବାରୁ ଗତ ୫ ତାରିଖ ଦିନ ଅସୁରଖୋଳ ଗ୍ରାମର ଶତାଧିକ ମହିଳା ଠେଙ୍ଗାବାଡ଼ି ଧରି ମଦ ଭାଟିକୁ ଯାଇ ଘରଦ୍ୱାର ଆଂଶିକ ଭାଙ୍ଗିବା ସହ ମଦ ରନ୍ଧା ଚୁଲା, ହଣ୍ଡା, ଓଭର୍‌ହେଡ୍ ପାଣି ଟାଙ୍କି ଓ ବହୁ ସଂଖ୍ୟକ ଡ୍ରମକୁ ଭାଙ୍ଗି ଦେଇଥିଲେ। ଏହା ସହ ମଦ ରାନ୍ଧିବା ପାଇଁ ଡ୍ରମରେ ଥିବା ହଜାର ହଜାର କିଲୋ ମହୁଲ ପୋଚ, କ୍ବିଣ୍ଟାଲ କ୍ବିଣ୍ଟାଲ୍‌ ମହୁଲ ମଧ୍ୟ ନଷ୍ଟ କରିଥିଲେ। ପରେ ସେମାନେ ଭାଟିରେ ଥିବା ଶହ ଶହ ପାଉଚ୍‌ ମଦ ଆଣି ଜାତୀୟ ରାଜପଥ ଉପରେ ଢାଳି ଦେଇଥିଲେ। ସେ ସମୟରେ ଭାଟିକୁ ୭ ଦିନ ମଧ୍ୟରେ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପ୍ରଶାସନ ପ୍ରତିଶ୍ରୁତି ଦେବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଆଜି ମହିଳାମାନେ ପୁଣି ଥରେ ଠେଙ୍ଗାବାଡ଼ି ଧରି ଭାଟି ଆଗରେ ଧାରଣା ଦେବା ସହ ଭଙ୍ଗାରୁଜା କରିଥିଲେ। ମହିଳାମାନେ ଭାଟିରୁ ୫୦ ହଜାର ଟଙ୍କା ଲୁଟି ନେବା ସହ ୪ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ନଷ୍ଟ କରିଥିବା ଭାଟି ମାଲିକ ଦେବଗଡ଼ ଥାନାରେ ଅଭିଯୋଗ କରିଛନ୍ତି।