ମହିଳାଙ୍କ ପାଇଁ ନବୀନ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି : ବିଜେପି

ଭୁବନେଶ୍ବର : ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ବିଧାନସଭାରେ ସଂକଳ୍ପ ପାରିତ ହେବା ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ କୁମ୍ଭୀର କାନ୍ଦଣା ଓ ଭୋଟ୍ ପାଇଁ ନାଟକ ବୋଲି କହିଛି ବିଜେପି। ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, ରାଜ୍ୟର ମହିଳାଙ୍କୁ ବୋକା ବନାଇ ସେମାନଙ୍କ ଭୋଟ୍ ହାତେଇବା ପାଇଁ ନବୀନ ପଟ୍ଟନାୟକ ନାଟକ କରୁଛନ୍ତି। ମହିଳାଙ୍କ ସ୍ଥାନ ସଂରକ୍ଷଣ ନେଇ ‌ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ଛଳନା କରୁଛନ୍ତି। ଯଦି ତାଙ୍କର ଏହି ସଂକଳ୍ପ ପ୍ରତି ନିଷ୍ଠା ଥା’ନ୍ତା, ତାହେଲେ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ସଂଖ୍ୟା‌ର ୧୦ ପ୍ରତିଶତରୁ କମ୍ ମହିଳା ମନ୍ତ୍ରୀ ନ ଥା’ନ୍ତେ। ତାଙ୍କ ମନ୍ତ୍ରିମଣ୍ଡଳରେ ମାତ୍ର ଦୁଇ ଜଣ ମହିଳାଙ୍କୁ କାହିଁକି ସାମିଲ୍ କରାଯାଇଛି? ଏପରିକି ସେମାନଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗ ବି ଦିଆଯାଇ ନାହିଁ। ଏହା ମୁଖ୍ୟମନ୍ତ୍ରୀଙ୍କ ମାନସିକତାକୁ ସ୍ପଷ୍ଟ କରୁଛି।

ଶ୍ରୀ ପୁରୋହିତ ଆହୁରି କହିଛନ୍ତି, ଲୋକସଭା ଓ ବିଧାନସଭାରେ ବିଜେଡି କେବେ ୩୩ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରାଇଛି କି ? ୨୦୦୦ ମସିହାରେ ୮୪ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଦେଇଥିଲା ବେଳେ ସେଥିରୁ ମାତ୍ର ୯ ଜଣ ଥିଲେ ମହିଳା ପ୍ରାର୍ଥୀ। ୨୦୦୪ରେ ଏହି ସଂଖ୍ୟା କମି ୪ରେ ପହଞ୍ଚିଲା। ୨୦୦୯ରେ ୮ ଜଣ ଓ ୨୦୧୪ରେ ୧୫ ଜଣ ବିଜେଡିର ମହିଳା ପ୍ରାର୍ଥୀ ଥିଲେ। ମହିଳା ପ୍ରାର୍ଥୀଙ୍କ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଓ ପ୍ରତିବଦ୍ଧତା ଭିତରେ କେ‌େତ ଫରକ ଅଛି, ତାହା ବେଶ୍ ଅନୁମେୟ। ଆହୁରି ମଧ୍ୟ ଓଡ଼ିଶା ପରି ଶାନ୍ତିପ୍ରିୟ ରାଜ୍ୟରେ ନବୀନଙ୍କ ଶାସନରେ ମହିଳା ଅସୁରକ୍ଷିତ ହୋଇପଡ଼ିଛନ୍ତି। ସରକାରୀ ରିପୋର୍ଟ ଅନୁସାରେ ମହିଳା ବିରୋଧୀ ହିଂସାରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ରହିଛି। ରାଜ୍ୟରେ ନାବାଳିକା ଦୁଷ୍କର୍ମ ମାମଲା ଉଦ୍‌ବେଗଜନକ ସ୍ଥିତିରେ ଥିବା ଖୋଦ୍ ସରକାର ମଧ୍ୟ ସ୍ବୀକାର କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର