କପି କରି ଧରାପଡ଼ିଲେ ୩୩ ପରୀକ୍ଷାର୍ଥୀ, ବଦଳିଲେ କେନ୍ଦ୍ର ଅଧୀକ୍ଷକ

ତେଲକୋଇ/ରାଇସୁଆଁ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ରାଇସୁଆଁ ସରକାରୀ ଆଶ୍ରମ ବିଦ୍ୟାଳୟ ମାଟ୍ରିକ ପରୀକ୍ଷା କେନ୍ଦ୍ରରେ କପି କରୁଥିବା ବେଳେ ୩୩ଜଣ ଛାତ୍ରଛାତ୍ରୀ ବୋର୍ଡର ସ୍ବତନ୍ତ୍ର ସ୍କ୍ୱାଡ୍‌ ହାତରେ ଧରାପଡ଼ିଛନ୍ତି। ଆଜି ସାମାଜିକ ବିଜ୍ଞାନ ପରୀକ୍ଷା ଥିଲା। କେନ୍ଦୁଝର ଡିଆଇଇଟି ପ୍ରଶିକ୍ଷକ ଶିବପ୍ରସାଦ ପଣ୍ଡା ଓ ଅବସରପ୍ରାପ୍ତ ଅଧ୍ୟକ୍ଷ ଅକ୍ଷୟ କୁମାର ରଣାଙ୍କୁ ନେଇ ଗଠିତ ସ୍ବତନ୍ତ୍ର ସ୍କ୍ବାଡ୍‌ ଅଚାନକ କେନ୍ଦ୍ରରେ ଚଢ଼ଉ କରି ଛାତ୍ରଛାତ୍ରୀଙ୍କ ନିକଟରୁ କପି ଜବତ କରିଥିଲେ। ସେହିପରି ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ ନେବା ମନା ଥିବାବେଳେ କେନ୍ଦ୍ରର ଉପଅଧୀକ୍ଷକ ଶାନ୍ତନୁ ପ୍ରଧାନ ଅଫିସରେ ତାଙ୍କ ମୋବାଇଲ ରଖିଥିବା ସ୍କ୍ବାଡ୍‌ ଦେଖିବାକୁ ପାଇଥିଲେ।

ଏହି କେନ୍ଦ୍ରରେ ୧୯୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିଲେ। କପି କରୁଥିବା ବେଳେ ୩୩ଜଣ ଛାତ୍ରଛାତ୍ରୀ ସ୍କ୍ବାଡ୍‌ ହାତରେ ଧରାପଡ଼ିଥିବା ତେଲକୋଇ ନୋଡାଲ ସେଣ୍ଟରର ଅଧୀକ୍ଷକ ଶଙ୍କର୍ଷଣ ନାୟକ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ଜୟନ୍ତ ଦାସ ଏବଂ ଉପଅଧୀକ୍ଷକ ଶାନ୍ତନୁ ପ୍ରଧାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସୁପାରିସ କରାଯାଇଛି। ସ୍କ୍ବାଡ୍‌ ରିପୋର୍ଟ ଆଧାରରେ ତେଲକୋଇ ବ୍ଲକ୍‌ କୃଷ୍ଣପୁର ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ହୃଦାନନ୍ଦ ସାହୁଙ୍କୁ ଏହି କେନ୍ଦ୍ରର ଅଧୀକ୍ଷକ ଦାୟିତ୍ୱ ଦିଆଯାଇଛି। ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୟନ୍ତ ଦାସଙ୍କୁ ପଚାରିବାରୁ, କେତେକ ଛାତ୍ରଛାତ୍ରୀ କପି କରୁଥିବା ବେଳେ ସ୍କ୍ୱାଡ୍‌ ହାତରେ ଧରା ପଡିଛନ୍ତି। ବୋର୍ଡ କର୍ତ୍ତୃପକ୍ଷ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର