ଭୁବନେଶ୍ବର: ଓଡ଼ିଶାରେ ନାରୀ ନିର୍ଯାତନା ଚିନ୍ତାଜନକ ଭାବେ ବଢ଼ିଚାଲିଛି। ଦୁଷ୍କର୍ମ, ଯୌନ ନିର୍ଯାତନା ନିୟମିତ ଘଟଣା ହୋଇଥିବା ବେଳେ ଏବେ ଛାତ୍ରୀ ତଥା ନାବାଳିକାଙ୍କ ପ୍ରତି ଅସାମାଜିକଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ପରିଣାମ ସ୍ବରୂପ ଗତ ୫ ମାସ ମଧ୍ୟରେ ରାଜ୍ୟର ୩୩ଜଣ ଛାତ୍ରୀ ଗର୍ଭବତୀ ହୋଇଛନ୍ତି। ୨୬ଜଣ ନାବାଳିକା ମାତୃତ୍ବ ଲାଭ କରିଛନ୍ତି। ୬୧ଜଣ ନାବାଳିକା ଓ ୪୦ଜଣ ମହିଳା ଚାଲାଣର ଶିକାର ହୋଇଛନ୍ତି। ସେହିପରି ୫ ମାସ ମଧ୍ୟରେ ନାବାଳିକା ବିବାହ ମଧ୍ୟ ଚିନ୍ତାଜନକ ଭାବେ ବଢ଼ିଚାଲିଛି। ୩୧ଜଣ ନାବାଳିକା ବିବାହ କରିଛନ୍ତି। ୧୮ ବର୍ଷ ବୟସ ହୋଇ ନ ଥିଲେ ମଧ୍ୟ ଅଭିଭାବକ ନିଜ ଝିଅମାନଙ୍କୁ ବିବାହ କରାଇ ଦେଇଛନ୍ତି। ସରକାରୀ ଭାବେ ଏତିକି କୁହାଯାଉଥିବା ବେଳେ ବେସରକାରୀ ଭାବେ ସଂଖ୍ୟା ଅଧିକ ହେବ ବୋଲି ସାମାଜିକ କର୍ମୀମାନେ କହିଛନ୍ତି। କେବଳ ସେତିକି ନୁହେଁ, ୫ ମାସ ମଧ୍ୟରେ ୧୦ଜଣ ମହିଳା ନିଜ ଦେହରେ ନିଆଁ ଲଗାଇ ଆତ୍ମଦାହ କରିଥିବା ବେଳେ ୩ଜଣ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସାରା ରାଜ୍ୟରେ ୮୪୭ଟି ଦୁଷ୍କର୍ମ ମାମଲା ହୋଇଥିବା ବେଳେ ୩,୮୬୧ଟି ଯୌନ ଶୋଷଣ ମାମଲା ପଞ୍ଜିକୃତ ହୋଇଛି। ୩୭ଜଣ ମହିଳା ଗଣଦୁଷ୍କର୍ମର ସମ୍ମୁଖୀନ ହୋଇଥିବା ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।
ମହିଳା, ଯୁବତୀ ଓ ଛାତ୍ରୀଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାର ଇତିମଧ୍ୟରେ ଏକାଧିକ ଯୋଜନା ପ୍ରସ୍ତୁତ କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାର ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ମହିଳାଙ୍କ ସୁରକ୍ଷା ବୃଦ୍ଧି କରିବାକୁ ଓଡ଼ିଶା ପୁଲିସର ବିଭିନ୍ନ ପ୍ରକଳ୍ପ ପାଇଁ ସୁଭଦ୍ରା ସୁରକ୍ଷା ଯୋଜନା ଅଧୀନରେ ବଜେଟ୍ ବ୍ୟବସ୍ଥା ହୋଇଛି। ଇଆରଏସ୍ଏସ୍-୧୧୨ ସହ ସମନ୍ବିତ କରି ଏକ ମହିଳା ସୁରକ୍ଷା ଆପ୍ ବିକାଶ ହେଉଛି। ରାଜ୍ୟର ସମ୍ବେଦନଶୀଳ ସାର୍ବଜନୀନ ସ୍ଥାନରେ ସିସିଟିଭି ଲଗାଇବା, ଗତିଶୀଳତା ଉନ୍ନତ କରିବାକୁ ଡିଜିଟାଲ ଉପକରଣ ଓ ଯାନବାହନ ଯୋଗାଇ ଆଇୟୁସିଏଡବ୍ଲ୍ୟୁକୁ ସୁଦୃଢ଼ ଏବଂ ସମସ୍ତ ପୁଲିସ ଅଧିକାରୀଙ୍କୁ ସଫ୍ଟସ୍କିଲ୍ ଓ ଲିଙ୍ଗ ସମ୍ବେଦନଶୀଳତା ଉପରେ ତାଲିମ ଦେଇ ସେମାନଙ୍କ ଦକ୍ଷତା ବିକାଶ କରିବାକୁ ପ୍ରସ୍ତାବ ରଖାଯାଇଥିବା ସେ କହିଛନ୍ତି।
୧୦ଜଣ ମହିଳା ନିଜ ଦେହରେ ନିଆଁ ଲଗାଇଛନ୍ତି
୨୬ ନାବାଳିକାଙ୍କ ମାତୃତ୍ବ ଲାଭ, ୩୧ ଜଣଙ୍କ ବିବାହ
ବିକଶିତ ହେଉଛି ମହିଳା ସୁରକ୍ଷା ଆପ୍
ସମ୍ବେଦନଶୀଳ ସାର୍ବଜନୀନ ସ୍ଥାନରେ ଲାଗିବ ସିସିଟିଭି
ସୂଚନା ଅନୁଯାୟୀ, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଧାରା ୧୯୩(୨) ଅନୁଯାୟୀ ମହିଳା ଓ ଶିଶୁ ସମ୍ବନ୍ଧୀୟ ମାମଲାର ତଦନ୍ତ ଦୁଇ ମାସ ମଧ୍ୟରେ ଶେଷ ହୋଇ କୋର୍ଟରେ ଚାର୍ଜସିଟ୍ ଦାଖଲ ହେଉଛି। ରାଜ୍ୟରେ ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧର ସମ୍ବେଦନଶୀଳ ମାମଲାଗୁଡ଼ିକୁ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଦ୍ବାରା ଶୀଘ୍ର ତଦନ୍ତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମହିଳାଙ୍କ ବିରୋଧରେ ହେଉଥିବା ଅପରାଧର ଗୁରୁତ୍ବପୂର୍ଣ୍ଣ ଓ ସମ୍ବେଦନଶୀଳ ମାମଲାଗୁଡ଼ିକର ତଦନ୍ତ ପାଇଁ ୨୯ଟି ଜିଲ୍ଲାରେ ଅପରାଧର ତଦନ୍ତକାରୀ ୟୁନିଟ୍ କାର୍ଯ୍ୟ କରୁଛି। ପ୍ରତି ପୁଲିସ ଜିଲ୍ଲାରେ ସ୍ବତନ୍ତ୍ର ଜୁଭେନାଇଲ୍ ପୁଲିସ ୟୁନିଟ୍ କାର୍ଯ୍ୟ କରୁଛି, ଯାହାର ନେତୃତ୍ବ ଜଣେ ଡିଏସ୍ପି ରୢାଙ୍କ ଅଧିକାରୀ ନେଉଛନ୍ତି।
ନିଖୋଜ ଶିଶୁ ଓ ମାନବ ଚାଲାଣ ସମସ୍ୟାର ସମାଧାନ ପାଇଁ ପ୍ରତି ଜିଲ୍ଲାରେ ଜଣେ ଡିଏସ୍ପି/ଇନ୍ସପେକ୍ଟରଙ୍କ ଦାୟିତ୍ବରେ ଆଇଏଏଚ୍ଟିୟୁ ପ୍ରତିଷ୍ଠା ହୋଇଛି। ୬୪୯ଟି ପୁଲିସ ଷ୍ଟେସନରେ ଜଣେ ଏସ୍ଆଇ/ଏଏସ୍ଆଇଙ୍କ ଅଧୀନରେ ମହିଳା ଓ ଶିଶୁ ଡେସ୍କ କାର୍ଯ୍ୟ କରୁଛି। ୭୧ଟି ଶିଶୁ ଅନୁକୂଳ ପୁଲିସ ଷ୍ଟେସନ କାର୍ଯ୍ୟ କରୁଛି। ପ୍ରତି ଷ୍ଟେସନକୁ ୩ ଲକ୍ଷ ଟଙ୍କା ଲେଖାଏ ଦିଆଯାଉଛି। ମହିଳା ଓ ଶିଶୁଙ୍କ ବିରୋଧରେ ସାଇବର ଅପରାଧ ତଦନ୍ତ ପାଇଁ ସିଆଇଡି-ସିବି ଅଧୀନରେ ‘ଶିଶୁ ଓ ମହିଳା ଅନ୍ଲାଇନ୍ ଅପବ୍ୟବହାର ମନିଟରିଂ ୟୁନିଟ୍’ କାର୍ଯ୍ୟ କରୁଛି। ୨୪ଟି ସ୍ବତନ୍ତ୍ର ପୋକ୍ସୋ କୋର୍ଟ ରହିଛି। ଜାତୀୟ ସ୍ତରରେ ଆବେଦନ ଦାଖଲ କ୍ଷେତ୍ରରେ ଓଡ଼ିଶା ତୃତୀୟ ସ୍ଥାନରେ ଏବଂ ପୀଡ଼ିତା କ୍ଷତିପୂରଣ ସଂଖ୍ୟା ଦୃଷ୍ଟିରୁ ୪ର୍ଥ ସ୍ଥାନରେ ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।