ସମ୍ବଲପୁର: ୨୦୨୯ ସାଧାରଣ ନିର୍ବାଚନରେ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷିତ ହେବା ଏକ ପ୍ରକାର ସ୍ପଷ୍ଟ ହେଲାଣି। ସବୁ ଦଳ ଏହାକୁ ସମର୍ଥନ କରୁଛନ୍ତି। କିନ୍ତୁ ଚଳିତ ନିର୍ବାଚନରେ ୩୩% ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବାକୁ କୌଣସି ପ୍ରମୁଖ ଦଳର ହାତ ଗଲାନି। ବିଧାନସଭା ନିର୍ବାଚନ ପାଇଁ ବିଜେଡି ସର୍ବାଧିକ ୩୫ ଜଣ ମହିଳାଙ୍କ ପ୍ରାର୍ଥୀଙ୍କୁ ଟିକେଟ ଦେଇଥିଲା ବେଳେ ବିଜେପି ୧୨ ଓ କଂଗ୍ରେସ ୨୧ ମହିଳାଙ୍କୁ ମଇଦାନକୁ ଓହ୍ଲାଇଛି। ତେବେ ଲୋକସଭାରେ ବିଜେଡି ତା’ର ଘୋଷଣା ମୁତାବକ ୩୩% ଆସନ ଅର୍ଥାତ ୭ଟିରେ ମହିଳା ପ୍ରାର୍ଥୀ ଦେଇଛି। କିନ୍ତୁ ବିଜେପି ଓ କଂଗ୍ରେସ ଏଥିରେ ପଛରେ ପଡ଼ିଯାଇଛନ୍ତି। ବିଜେପି ୪ଟି ଓ କଂଗ୍ରେସ ୨ଟି ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିଛି। ୨୦୨୩ ମସିହାରେ ଦଳମତ ନିର୍ବିଶେଷରେ ସବୁ ରାଜନୈତିକ ଦଳଙ୍କ ସମର୍ଥନରେ ୩୩% ଆସନ ମହିଳାଙ୍କ ପାଇଁ ସଂରକ୍ଷିତ କରିବାକୁ ସଂସଦରେ ବିଲ୍‌ ପାରିତ ହୋଇଥିଲା। ଦେଶ ତଥା ରାଜ୍ୟର ଆଇନ ପ୍ରଣୟନରେ ମହିଳାଙ୍କ ଭାଗୀଦାରିତା ବଢ଼ାଇବାକୁ ଏହାର ଆବଶ୍ୟକତା ନିହାତି ଥିଲା। କାରଣ ସ୍ବାଧୀନତାର ଏତେ ବର୍ଷ ପରେ ମଧ୍ୟ ୨୦୧୯ ନିର୍ବାଚନରେ ମାତ୍ର ୧୪ ପ୍ରତିଶତ ମହିଳା ଲୋକସଭାକୁ ପହଞ୍ଚି ପାରିଥିଲେ। ଗତ ନିର୍ବାଚନରେ ପ୍ରମୁଖ ଦଳଗୁଡ଼ିକରେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ଆଦୌ ଉତ୍ସାହଜନକ ନଥିଲା।

Advertisment

ଓଡ଼ିଶାରେ ୨୦୧୯ ବିଧାନସଭା ନିର୍ବାଚନ ତୁଳନାରେ ୨୦୨୪ରେ ପ୍ରମୁଖ ତିନି ଦଳରେ ମହିଳାଙ୍କ ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ସତ। କିନ୍ତୁ ଏବେ ବି ତାହା ୩୩%ଠାରୁ ଯଥେଷ୍ଟ କମ୍। ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ୨୦, ବିଜେପି ୧୧ ଓ କଂଗ୍ରେସ ୧୨ ଜଣ ମହିଳାଙ୍କୁ ଟିକେଟ ଦେଇଥିଲା। ତୁଳନାତ୍ମକ ଭାବେ ଦେଖିଲେ ବିଜେଡିରେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ଆଖିଦୃଶିଆ ଭାବେ ବୃଦ୍ଧି ପାଇଛି। କିନ୍ତୁ ସେଥିରୁ ଅନେକ ପ୍ରାର୍ଥୀ ପାରିବାରିକ ସୂତ୍ରରେ ଟିକେଟ ପାଇଛନ୍ତି। କିଛି ଆସନରେ ସ୍ବାମୀଙ୍କ ଜାଗା ନେଇଛନ୍ତି ପତ୍ନୀମାନେ। ‌ଏପରିକି ରାଜନୀତିରେ ଆଦୌ ସକ୍ରିୟ ନଥିବା କିଛି ପତ୍ନୀ ଏଥର ସ୍ବାମୀଙ୍କ ବଦଳରେ ପ୍ରାର୍ଥୀ ହୋଇଛନ୍ତି। ଆଉ ସେଠାରେ ପ୍ରଚାରର ମଙ୍ଗ ଧରିବା ସହ ସମ୍ପୂର୍ଣ୍ଣ ନିର୍ବାଚନ ପରିଚାଳନା କରୁଛନ୍ତି ସ୍ବାମୀମାନେ। ରାଜନୈତିକ ସମୀକ୍ଷକମାନେ ଏହାକୁ ନକାରାତ୍ମକ ଦୃଷ୍ଟିରେ ଦେଖିବା ସହ ରାଜନୀତିରେ ମହିଳା ସଶକ୍ତୀକରଣ ବୋଲି କହିବାକୁ କୁଣ୍ଠାବୋଧ କରୁଛନ୍ତି। ପାରିବାରିକ ରାଜନୀତିକୁ ସଚେତନ ନାଗରିକମାନେ ଗ୍ରହଣ କରୁନାହାନ୍ତି ସତ। ତେବେ ବାପା ପରେ ପୁଅ ହେବାରେ ଯେଉଁ ଧାରା ଥିଲା, ଏଥର ‌‌ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। କିଛି ବରିଷ୍ଠ ରାଜନେତାଙ୍କ କନ୍ୟା ମଇଦାନକୁ ଓହ୍ଲାଇଛନ୍ତି। ତିନି ଦଳରେ ଏହା ଦେଖିବାକୁ ମିଳିଛି। ନବ ଦାସଙ୍କ ଝିଅ ଦୀପାଳି ଦାସ(ଝାରସୁଗୁଡ଼ା), ବିଜୟ ରଞ୍ଜନ ସିଂହ ବରିହାଙ୍କ ଝିଅ ବର୍ଷା ସିଂହ ବରିହା(ପଦ୍ମପୁର), ନିତ୍ୟାନନ୍ଦ ପ୍ରଧାନଙ୍କ ଝିଅ ଲତିକା ପ୍ରଧାନ(କବିସୂର୍ଯ୍ୟନଗର) ପ୍ରମୁଖ ପୁନର୍ବାର ମଇଦାନକୁ ଓହ୍ଲାଇଛନ୍ତି। ଏହା ବାଦ୍ ପୁଣି ଭାଗ୍ୟ ପରୀକ୍ଷା କରିବାକୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ଅମିତା ବିଶ୍ବାଳ(ଝାରସୁଗୁଡ଼ା) ଓ ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନିତା ଶୁଭଦର୍ଶିନୀ(ଆସିକା ଲୋକସଭା)। ପ୍ରଥମ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି କିଶୋର ଚନ୍ଦ୍ର ସିଂହଦେଓଙ୍କ ଝିଅ ସୁଲକ୍ଷଣା ଗୀତାଞ୍ଜଳି(ସାନଖେମୁଣ୍ଡି), ଭୁଜବଳ ମାଝୀଙ୍କ ଝିଅ ଲିପିକା ମାଝୀ(ଡାବୁଗାଁ), ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର(ବ୍ରହ୍ମଗିରି), ଦେବେନ୍ଦ୍ର ଶର୍ମାଙ୍କ ଝିଅ ଦେବସ୍ମିତା ଶର୍ମା(ଆଳି), ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍‌ଦୌସ୍‌(କଟକ-ବାରବାଟୀ) ଏବଂ ହରପ୍ରସାଦ ସାହୁଙ୍କ ଝିଅ ରଞ୍ଜିତା ସାହୁ(ଆସିକା ଲୋକସଭା)।

ସାମାଜିକ କର୍ମକର୍ତ୍ତା ବିଶ୍ବପ୍ରିୟ କାନୁନ୍‌ଗୋଙ୍କ ଅନୁସାରେ, ପାରିବାରିକ ରାଜନୀତିରୁ ଆରମ୍ଭ ହେଲେ ମଧ୍ୟ ମହିଳାଙ୍କୁ ଟିକେଟ ଦିଆଯିବା ପ୍ରକ୍ରିୟା ଆରମ୍ଭ ହେବା ମଧ୍ୟ ସ୍ବାଗତଯୋଗ୍ୟ ପଦକ୍ଷେପ ଅଟେ। ଆଜି ପର୍ଯ୍ୟନ୍ତ ସାଧାରଣତଃ ଓଡ଼ିଶା ରାଜନୀତିରେ ସ୍ତ୍ରୀ କିମ୍ବା ପୁଅମାନେହିଁ ରାଜନେତାଙ୍କ ଉତ୍ତରାଧିକାରୀ ଥିଲେ। କିନ୍ତୁ ଗତ କିଛି ବର୍ଷ ନିର୍ବାଚନରେ ଏହି ସ୍ଥିତିରେ ପରିବର୍ତ୍ତନ ହୋଇଛି। ଚଳିତ ବର୍ଷ ଅନେକ ରାଜନେତାଙ୍କ ଝିଅ ନିର୍ବାଚନ ମଇଦାନରେ ଅଛନ୍ତି। ସାମାଜିକ କର୍ମକର୍ତ୍ତା ସ୍ନେହ ମିଶ୍ରଙ୍କ ଅନୁସାରେ, ମହିଳାଙ୍କୁ ଟିକେଟ ଦେବା ନାମରେ ଚଳିତ ବର୍ଷ ଯେଉଁଭଳି ଭାବରେ ପ୍ରମୁଖ ରାଜନୈତିକ ଦଳ ସକ୍ରିୟ ରାଜନୀତି କରୁଥିବା ମହିଳାଙ୍କ ବଦଳରେ ରାଜନୀତିର ପାଖ ମାଡ଼ୁ ନଥିବା ନେତାଙ୍କ ପତ୍ନୀ ଓ ମା’ଙ୍କୁ ଟିକେଟ ଦେଉଛନ୍ତି, ଏହା ମହିଳା କର୍ମକର୍ତ୍ତାଙ୍କ ପ୍ରତି ଅନ୍ୟାୟ ଅଟେ। ଏପରି କରିବା ଦ୍ବାରା ମହିଳାଙ୍କୁ ଉପଯୁକ୍ତ ପ୍ରତିନିଧିତ୍ବ ମିଳି ପାରୁନାହିଁ।