ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ଜୋଙ୍କ ଓ ବେଲଟୁକୁରୀ ପୁଲିସ୍‌ ବୁଧବାର ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ୨ଟି ସ୍ଥାନରୁ ୩୫ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏଥିସହ ୨ ଜଣ ଦଲାଲଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ସର୍ଦ୍ଦାର ଫେରାର୍ ଥିବା ପୁଲିସ୍‌ ସୂଚନା ଦେଇଛି।

Advertisment

ପ୍ରକାଶ ଯେ, ବୁଧବାର ରାତିରେ ଖରିଆର ରୋଡ଼ ଜୋଙ୍କ ପୁଲିସ୍ ଖରିଆର ରୋଡ଼ ରେଳ ଷ୍ଟେସନରୁ ଏକ ଗାଡ଼ିରୁ ଧରମବନ୍ଧା ଥାନା ଭରୁଆମୁଣ୍ଡା ସହ ଛତିଶଗଡ଼ର ୨୦ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏକ ମିନି ଟ୍ରକ୍‌ରେ ୨୦ ଜଣ ଶ୍ରମିକ ଚାଲାଣ ହେଉଥିଲେ। ସେଥିରେ ୧୩ ଜଣ ପୁରୁଷ, ୭ ଜଣ ମହିଳା ଏବଂ ୪ ଜଣ ଶିଶୁ ରହିଥିଲେ। ଏହି ଘଟଣାରେ ସଂପୃକ୍ତ ଦୁଇ ଜଣ ସର୍ଦ୍ଦାର ଛତିଶଗଡ଼ କୋମାଖାନ ଥାନା ଅଞ୍ଚଳର ଅନନ୍ତରାମ ଚକ୍ରଧାରୀ ଓ ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଅଞ୍ଚଳର ଆନନ୍ଦ ଚକ୍ରଧାରୀଙ୍କ ସହ ଡ୍ରାଇଭର କୋମାଖାନର ରାଧେଶ୍ୟାମ ଦୁବେଙ୍କୁ ପୁଲିସ୍ ଗିରଫ କରିଛି। ଉତ୍ତରପ୍ରଦେଶ ରାଜ୍ୟର ଏକ ଇଟାଭାଟିରେ କାମ କରିବାକୁ ସେମାନଙ୍କୁ ନିଆଯାଉଥିବା ଶ୍ରମିକମାନେ କହିଛନ୍ତି। ଏନେଇ ଜୋଙ୍କ ଥାନା ପୁଲିସ୍ ଦୁଇଟି ଗାଡ଼ି ଜବତ କରିବା ସହ ମାମଲା ରୁଜୁକରି ଅଧିକ ତଦନ୍ତ ଜାରି ରଖିଛି। ଉଦ୍ଧାର ଶ୍ରମିକଙ୍କୁ ଜିଲ୍ଲା ଶ୍ରମ ବିଭାଗକୁ ହସ୍ତାନ୍ତର କରାଯିବା ପରେ ଆବଶ୍ୟକ ସୁବିଧା କରାଯାଇ ସେମାନଙ୍କ ଘରମାନଙ୍କୁ ପଠାଇ ଦିଆଯାଇଛି।

publive-image

ଜୋଙ୍କ ଥାନା ଅଧିକାରୀ କୈଳାସ ଚନ୍ଦ୍ର ସେଠୀଙ୍କ ନେତୃତ୍ବରେ ହୋଇଥିବା ଏହି ଚଢ଼ଉରେ ଏସ୍‌ଆଇ ବବିତା ମହାଭୋଇ, ହାବିଲଦାର କୈଳାସ ଚନ୍ଦ୍ର ଭୋଇ, ଖଗେଶ୍ବର ମାଝୀ, କନେଷ୍ଟବଳ ପ୍ରଦୀପ ପାଣିଗ୍ରାହୀ, ନାରଦ ସୁନା, ଦେବୀଲାଲ ବାଗ ପ୍ରମୁଖ ସାମିଲ ଥିଲେ। ସେହିପରି ବେଲଟୁକୁରି ଥାନା ଅଧିକାରୀ କ୍ଷୀରୋଦ ଚନ୍ଦ୍ର ବାଗଙ୍କ ନେତୃତ୍ବରେ ଏସ୍ଆଇ ବିକ୍ରମ ସିଂହ ଗଡ଼ତିଆ ଓ ପୁଲିସ୍‌ ଟିମ୍‌ ପାଟ୍ରୋଲିଂ କରୁଥିବା ବେଳେ କୌଣସି ସୂତ୍ରରୁ ଖବରପାଇ ଭାନପୁର ଚାରିଛକରେ ଚଢ଼ଉ କରି ଏକ ବୋଲେରୋ (ଓଡ଼ି ୨୬ସି ୮୬୩୯)ରୁ ୧୩ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ଦାଦନ ସର୍ଦ୍ଦାର ଜୋଙ୍କ ଥାନା ଅଧୀନ ଡୁମେରପାଣି ଗାଁର ଦିନେଶ ସାହୁଙ୍କ ମୁନ୍‌ସୀ ମୋହିତ ସାହୁଙ୍କ ସହ ଶ୍ରମିକଙ୍କୁ ଉତ୍ତରପ୍ରଦେଶ ଚାଲାଣ କରାଯାଉଥିବା କହିଥିଲେ। ଏହି ଘଟଣାରେ ପୁଲିସ୍ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ଡ୍ରାଇଭର ବେଦବ୍ୟାସ ସାହୁ ଓ ମୋହିତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅନ୍ୟପକ୍ଷରେ ଘଟଣା ପରେ ମୁଖ୍ୟ ସର୍ଦ୍ଦାର କୁହାଯାଉଥିବା ଦିନେଶ ସାହୁ ଫେରାର୍ ଥିବା ଜଣାପଡ଼ିଛି। ତୁରନ୍ତ ମୁଖ୍ୟ ସର୍ଦ୍ଦାର ଦିଦେଶଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ କ୍ଷୀରୋଦ ଚନ୍ଦ୍ର ବାଗ ସୂଚନା ଦେଇଛନ୍ତି।