ଭୁବନେଶ୍ବର: ରାଜ୍ୟରେ ପ୍ରତିଦିନ କେଉଁଠି ନା କେଉଁଠି ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି । ଜାତୀୟ ରାଜପଥଠାରୁ ଆରମ୍ଭ କରି ସର୍ଭିସ ରୋଡ ପର୍ଯ୍ୟନ୍ତ, ଏମିତି ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା ହେଉଥିବାର ଦେଖିବାକୁ ମିଳୁଛି । ଖାସକରି ରାସ୍ତାରେ ଥିବା ବ୍ଲାକସ୍ପଟଗୁଡିକରେ ଏହି ଦୁର୍ଘଟଣା ସଂଖ୍ୟା ଅଧିକରୁ ଅଧିକ ଘଟୁଛି । ତେବେ ରାଜ୍ୟରେ ଏବେ କେତେ ସଂଖ୍ୟକ ବ୍ଲାକ ସ୍ପଟ ରହିଛି ସେ ବାବଦରେ ବିଧାନସଭାରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବିଧାୟକ ନାଉରୀ ନାୟକଙ୍କ ପ୍ରଶ୍ନର ଉତ୍ତରରେ ପଦ୍ମନାଭ କହିଛନ୍ତି, ରାଜ୍ୟରେ ୨୦୧୯ ମସିହା ସୁଦ୍ଧା ୩୩୫ଟି ବ୍ଲାକସ୍ପଟ ରହିଛି । ଏହାଛଡା ୨୦୧୫ରୁ ୨୦୧୯ ଯାଏଁ ରାଜ୍ୟରେ ଥିବା ବ୍ଲାକସ୍ପଟର ହିସାବ ଦେଇଛନ୍ତି ପଦ୍ମନାଭ ବେହେରା।

Advertisment

୨୦୧୫ରେ ରାଜ୍ୟରେ ବ୍ଲାକସ୍ପଟ ସଂଖ୍ୟା ୨୫୧ ରହିଥିବା ବେଳେ ୨୦୧୬ରେ ଏହି ସଂଖ୍ୟା ୨୮୬ ରହିଥିଲା । ସେହିଭଳି ୨୦୧୭ରେ ଏହା ବୃଦ୍ଧି ପାଇ ୪୩୫ରେ ପହଞ୍ଚିଥିବା ବେଳେ ୨୦୧୮ରେ ଏହା ହ୍ରାସ ପାଇ ୨୭୫କୁ ଖସିଥିଲା । ତେବେ ୨୦୧୯ରେ ଏହି ବ୍ଲାକସ୍ପଟ ସଂଖ୍ୟା ବୃଦ୍ଧି ପାଇ ୩୩୫ରେ ପହଞ୍ଚିଛି ।

ଏହି କ୍ରମରେ କଟକରେ ସର୍ବାଧିକ ୩୪ଟି ବ୍ଲାକସ୍ପଟ ରହିଥିବା ବେଳେ ଜଗତସିଂହପୁରରେ ଆଦୌ ବ୍ଲାକସ୍ପଟ ନ ଥିବା କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା । ଏଠାରେ ସୂଚନାଯୋଗ୍ୟ ଯେ, ୩ ବର୍ଷରେ ୫୦୦ ମିଟର ଅଞ୍ଚଳରେ ୫ଟି ଦୁର୍ଘଟଣା କିମ୍ବା ୧୦ଟି ସଡକ ଦୁର୍ଘଟଣା ମୃତ୍ୟୁ ଘଟିଲେ ତାହାକୁ ବ୍ଲାକସ୍ପଟ କୁହାଯାଏ ।