ଭୁବନେଶ୍ବର: ରାଜ୍ୟରେ ଆଜି ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଅପରାହ୍ଣ ୫ଟା ସୁଦ୍ଧା ରାଜ୍ୟରେ ୬୦% ମତଦାନ ହୋଇଛି। ବିଳମ୍ବିତ ରାତିରେ ଏହା ଉପରେ ସ୍ପଷ୍ଟ ଚିତ୍ର ଆସିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ବରଗଡ଼, ବଲାଙ୍ଗୀର, କନ୍ଧାମଳ, ଆସ୍କା ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ସମେତ ଏହା ଅଧୀନରେ ଥିବା ୩୫ଟି ବିଧାନସଭା ଆସନରେ ଆଜି ମତଦାନ ହୋଇଥିଲା। ୩୦୫ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି। ୫ଟି ଲୋକସଭା ଆସନରେ ୪୦ଜଣ ପ୍ରାର୍ଥୀ ଓ ୩୫ଟି ବିଧାନସଭା ଆସନ ପାଇଁ ୨୬୫ଜଣ ଏଥର ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କ ବାଦ୍ ଅନେକ ହାଇପ୍ରୋଫାଇଲ ନେତା ଆଜି ପରୀକ୍ଷା ଦେଇଛନ୍ତି। ଆସନ୍ତା ମାସ ଜୁନ୍ ୪ ତାରିଖରେ ମତଦାନର ଫଳାଫଳ ଆସିବ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି, ଅପରାହ୍ଣ ୫ଟା ସୁଦ୍ଧା ପ୍ରାୟ ୬୦% ମତଦାନ ହୋଇଛି। ଆସନ୍ତାକାଲି ଲୋକସଭା କ୍ଷେତ୍ର ଓ ବିଧାନସଭାରେ କେତେ ପ୍ରତିଶତ ଲେଖାଏ ଭୋଟିଂ ହୋଇଛି ତାହାର ସବିଶେଷ ତଥ୍ୟ ମିଳିବ। ଭଞ୍ଜନଗର, ଦାରିଙ୍ଗିବାଡ଼ିରେ ପ୍ରବଳ ବର୍ଷା ପାଇଁ କିଛି ସମୟ ପାଇଁ ମତଦାନ ବାଧାପ୍ରାପ୍ତ ହୋଇଥିଲା। ପ୍ରାୟତଃ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଛି। ମତଦାନ ପାଇଁ ସବୁବର୍ଗର ଭୋଟରଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ବିଶେଷକରି ଯୁବ ଓ ମହିଳା ଭୋଟରମାନେ ବହୁସଂଖ୍ୟାରେ ଭୋଟ୍ ଦେଇଛନ୍ତି। ତୃତୀୟ ଲିଙ୍ଗୀମାନେ ମଧ୍ୟ ଭୋଟ୍ ଦେବାକୁ ଆସିଛନ୍ତି। ସମସ୍ତଙ୍କୁ ମତଦାନର ଭଲ ଅଭିଜ୍ଞତା ଦେବାକୁ ପ୍ରଚେଷ୍ଟା କରାଯାଇଛି। ପୁଲିଂ ବୁଥ୍ରେ ଆଶା, ଭ୍ରାମ୍ୟମାଣ ହେଲ୍ଥ ୟୁନିଟ୍ ଉପସ୍ଥିତ ରହିଥିଲେ।
ଏହି ପର୍ଯ୍ୟାୟରେ ବହୁସଂଖ୍ୟାରେ ମହିଳା ପୁଲିଂ କର୍ମଚାରୀ ଅଂଶଗ୍ରହଣ କରିଛନ୍ତି। ଆରମ୍ଭରୁ ସେମାନେ ଏଥିପାଇଁ ଅନିଚ୍ଛୁକ ଥିଲେ ହେଁ ସେମାନଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦିଆଯାଇଥିଲା। ପ୍ରଥମଥର ଲାଗି ଯେଉଁମାନେ ଏଥିରେ ସାମିଲ ହୋଇଥିଲେ ସେମାନଙ୍କୁ ଅତିରିକ୍ତ ତାଲିମ୍ ପ୍ରଦାନ କରାଯାଇଛି।
ସେ ଆହୁରି ମଧ୍ୟ କହିଥିଲେ ଯେ ପ୍ରଥମ ପର୍ଯ୍ୟାୟରେ ୪ଜି ସଂଯୋଗକୁ ନେଇ କିଛିଟା ସମସ୍ୟା ହୋଇଥିଲା। ମାତ୍ର ଏଥର ୱେବକାଷ୍ଟିଂ ଭଲ ରହିଛି। ଯେଉଁଠାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭୋଟ୍ଦାନ ଚାଲିବ ସେଠାକୁ ଅତିରିକ୍ତ ପୁଲିଂ କର୍ମଚାରୀଙ୍କୁ ପଠାଯାଇଛି। ପ୍ରତ୍ୟେକ ବୁଥରେ ସ୍ବେଚ୍ଛାସେବୀମାନେ ଉତ୍ସାହର ସହ କାର୍ଯ୍ୟ କରିଛନ୍ତି। କାଁ ଭାଁ ସ୍ଥାନରେ ପୁଲିଂ କର୍ମଚାରୀଙ୍କୁ ସ୍ଥାନାନ୍ତର କରିବାର ଆବଶ୍ୟକତା ପଡ଼ିଥିବା ସେ କହିଛନ୍ତି। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ତିରୁମାଲା ନାୟକଙ୍କ ତତ୍ତ୍ବାବଧାନରେ ନିର୍ବାଚନ ପରିଚାଳନା ସମ୍ବନ୍ଧୀୟ ଅଭିଜ୍ଞତା ଥିବା ବରିଷ୍ଠ ଅଧିକାରୀମାନେ ୱେବକାଷ୍ଟିଂ ଜରିଆରେ ନିର୍ବାଚନ ଉପରେ କଡ଼ା ନଜର ରଖିଥିଲେ। ରିପୋର୍ଟ ପ୍ରସ୍ତୁତ ବେଳକୁ ବିଭିନ୍ନ ବୁଥରୁ ପୁଲିଂ ପାର୍ଟିମାନେ ରିସିଭିଂ କେନ୍ଦ୍ରକୁ ଫେରି ଆସିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/vote.jpg)