କ୍ରାଇମବ୍ରାଞ୍ଚର ଅର୍ଥ‌ନୈତିକ ଅପରାଧ ଶାଖା : ୫ ବର୍ଷରେ ୩୩୬ ଅଭିଯୁକ୍ତ ଗିରଫ

୧୦୭ କୋଟି ୫୨ ଲକ୍ଷ ଟଙ୍କାର ବ୍ୟାଙ୍କ ବାଲାନ୍ସ, ୫୪ କୋଟି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ

ଭୁବନେଶ୍ବର : ରାଜ୍ୟରେ ଠକେଇ ଅପରାଧ ସଂଖ୍ୟା ବଢ଼ି ବଢ଼ି ଚାଲିଛି। କେଉଁଠି ଜମି ଦେବା ନାଁରେ ଠକେଇ ତ କେଉଁଠି ଅଧିକ ସୁଧ ଦେବାର ଲୋଭ ଦେଖାଇ କୋଟି କୋଟି ଟଙ୍କାର ଠକେଇ। ଗତ ୫ବର୍ଷ ମଧ୍ୟରେ କ୍ରାଇମ୍‌ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ୩୩୬ ଜଣଙ୍କୁ ଗିରଫ କରିବା ସହ ୧୦୭କୋଟି ୫୨ଲକ୍ଷ ଟଙ୍କାର ବ୍ୟାଙ୍କ ବାଲାନ୍ସ ଓ ୫୪ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରି ସାରିଲାଣି। ଆଗାମୀ ଦିନରେ ଏଭଳି ଗିରଫଦାରୀ ଆହୁରି ଅଧିକ ହେବ ବୋଲି କ୍ରାଇମ ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, ରାଜ୍ୟରେ ଚିଟଫଣ୍ଡ, ବ୍ୟାଙ୍କ ଠକେଇ, ଇନ୍ସ୍ୟୁରାନ୍ସ ଠକେଇ ଓ ବିଲଡର୍‌ମାନଙ୍କ ଠକେଇ ବଢ଼ିବା ପରେ ରାଜ୍ୟ ସରକାର ୨୦୧୨ମସିହାରେ କ୍ରାଇମ୍‌ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଖୋଲିଥିଲେ। ୧ କୋଟିରୁ ଅଧିକ ଟଙ୍କାର ଠକେଇ ହୋଇଥିଲେ ଘଟଣାର ତଦନ୍ତ ଅର୍ଥନୈତିକ ଅପରାଧ କରିବ ବୋଲି ସ୍ଥିର ହୋଇଥିଲା। ଏହି ଅଧାରରେ ୨୦୧୬ ମସିହାରେ ଅର୍ଥନୈତିକ ଅପରାଧ ଶାଖା ୨୧ଟି ମାମଲା ରୁଜୁ କରିବା ସହିତ ୩୦ ମାମଲାର ଫଇସଲା ହୋଇଥିଲା, ୧୨୭ଜଣ ଗିରଫ ହୋଇଥିଲେ। ୨୦୧୭ ମସିହାରେ ୨୭ଟି ମାମଲା ରୁଜୁ କରାଯାଇଥିବା ବେଳେ ୩୩ଟି ମାମଲା ଫଇସଲା ହୋଇଥିଲା, ୮ଜଣ ଗିରଫ ହୋଇଥିଲେ। ସେହିପରି ୨୦୧୮ ମସିହାରେ ୨୮ଟି ମାମଲା ରୁଜୁ କରାଯାଇଥିବା ବେଳେ ୪୭ଟି ମାମଲା ଫଇସଲା ହୋଇଥିଲା, ୧୦୨ଜଣ ଗିରଫ ହୋଇଥିଲେ। ଚଳିତ ବର୍ଷ ୧୦ଟି ମାମଲା ରୁଜୁ କରାଯାଇଛି, ୧୦ଟି ମାମଲାର ଫଇସଲା ହୋଇଛି, ୭ଜଣ ଗିରଫ ହୋଇ ସାରିଛନ୍ତି ବୋଲି କ୍ରାଇମ ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଜବତ ହୋଇଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମଧ୍ୟରେ ନଗଦ ଟଙ୍କା ୪ ଲକ୍ଷ ୧୦ ହଜାର ଟଙ୍କା, ୩୫ଟି ଦାମୀ କାର ୭୪୭/୧୩୪୭ ଡିସିମିଲ ଜମି, ୨୨ଟି ବହୁତଳ ପ୍ରାସାଦ, ହୋଟେଲ ଆଦି ରହିଛି। ଏହି ୫ବର୍ଷ ମଧ୍ୟରେ କ୍ରାଇମ ବ୍ରାଞ୍ଚ ସେଭେନ ହିଲ୍ସ ପ୍ରାଇଭେଟ ଲିମି‌ଟେଡ୍‌, ଆପୋଲୋ ଇନଫ୍ରା‌ଟେକ୍, ଭିବଗ୍ୟୁର ଗ୍ରୁପ ଅଫ କମ୍ପାନି, ଗାୟତ୍ରୀ ଇଣ୍ଡିଆ ଲିମିଟେଡ୍‌ ଆଦି ସଂସ୍ଥାର ପରିଚାଳନା ନିର୍ଦେଶକ ଓ ନିର୍ଦେଶକମାନଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର