୩ ଦିନରେ ଆଇସିୟୁ‌ରେ ବଢ଼ିଲେ ୩୩୬ ରୋଗୀ

ଭୁବନେଶ୍ବର : ରାଜ୍ୟରେ ଧୀରେ ଧୀରେ ଆଇସିୟୁରେ କୋଭିଡ୍‌ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଗତ ୩ ଦିନରେ ରାଜ୍ୟରେ ୩୩୬ଜଣ ସଂକ୍ରମିତ ଆଇସିୟୁରେ ଭର୍ତି ହୋଇଛନ୍ତି। ରାଜ୍ୟରେ ଚିକିତ୍ସାଧୀନ ଥିବା ୩୦ ପ୍ରତିଶତ ରୋଗୀ ଏବେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଗତ ୨୦ତାରିଖରେ ରାଜ୍ୟରେ ୪୧୨ଜଣ ରୋଗୀ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ମାତ୍ର ଗତକାଲି ସୁଦ୍ଧା ଏହି ସଂଖ୍ୟା ୭୪୮ରେ ପହଞ୍ଚି ଯାଇଛି। ଏଥିରେ ଘରୋଇ ହସ୍ପିଟାଲରେ ୬୦୮ଜଣ ଓ ସରକାରୀ ବ୍ୟବସ୍ଥାରେ ୧୪୦ଜଣ ରୋଗୀ ରହିଛନ୍ତି। କେବଳ ଘରୋଇ ହସ୍ପିଟାଲରେ ୧୦୩ ଓ ସରକାରୀରେ ୨୫ଜଣଙ୍କୁ ମିଶାଇ ସମୁଦାୟ ୧୨୮ଜଣ ଆଇସିୟୁ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି।

ଝାରସୁଗୁଡ଼ାରେ ଭେଣ୍ଟିଲେଟରରେ ଆଉ ଜାଗା ନାହିଁ। ଗତକାଲି ସୁଦ୍ଧା ଝାରସୁଗୁଡ଼ାରେ ଥିବା ୧୭ଟି ଆଇସିୟୁ ଓ ଭେଣ୍ଟିଲେଟରରେ ୧୭ଜଣ ରୋଗୀ ଅଛନ୍ତି। ରାଜ୍ୟରେ ଉପଲବ୍ଧ ଥିବା ଆଇସିୟୁ ଭେଣ୍ଟିଲେଟର ମଧ୍ୟରୁ ୧୬ ପ୍ରତିଶତ ଭେଣ୍ଟିଲେଟରରେ ରୋଗୀ ରହିଥିବା ଜଣାପଡ଼ିଛି। କଟକସ୍ଥିତ ଅଶ୍ବିନୀ ହସ୍ପିଟାଲରେ ‌୧୮ଟି ଭେଣ୍ଟିଲେଟରରୁ ୧୨ଜଣ ରୋଗୀ ରହିଛନ୍ତି। ପୁରୀର ଆଇଡିଏଚ୍‌ରେ ଥିବା ୧୧ଟି ଭେଣ୍ଟିଲେଟରରୁ ୬ଜଣ, କେନ୍ଦୁଝର ରାଙ୍କି କୋଭିଡ୍‌ ହସ୍ପିଟାଲରେ ୧୨ଭେଣ୍ଟିଲେଟରରୁ ୫ ଓ ଖୋର୍ଧାରେ ୩୫୦ ଭେଣ୍ଟିଲେଟର ମଧ୍ୟରୁ ୬୮ରେ ରୋଗୀ ରହିଛନ୍ତି। ରାଜ୍ୟରେ ୨୦ହଜାର ୩୪୭ କୋଭିଡ୍‌ କେୟାର ସେଣ୍ଟର ବା ସିସିସିରେ ଅକ୍ସିଜେନ୍ ବ୍ୟବସ୍ଥା ହୋଇଥିବା ବେଳେ ତହିଁରେ ୫୬୪ଜଣ ରୋଗୀ ଅଛନ୍ତି ଯାହାକି ସମୁଦାୟ ସିସିସିର ୩ ପ୍ରତିଶତ। ସେହିପରି ରାଜ୍ୟରେ ସରକାରୀ ଓ ଘରୋଇ ବ୍ୟବସ୍ଥାରେ ୮୭୮୨ ସାଧାରଣ ଶଯ୍ୟା ଥିବା ବେଳେ ଏଥିରେ ୨୧୪୦ ରୋଗୀ ରହିଛନ୍ତି। ସରକାରୀ ବ୍ୟବସ୍ଥାରେ ୪୦୫୪ ସାଧାରଣ ଶଯ୍ୟାରୁ ୧୩୮୧(୩୪%) ଓ ଘରୋଇ ବ୍ୟବସ୍ଥାରେ ୪୭୨୮ ସାଧାରଣ ଶଯ୍ୟାରେ ୭୫୯(୧୬%) ରୋଗୀ ଅଛନ୍ତି। ସମୁଦାୟ ଭାବେ ୨୪ ପ୍ରତିଶତ ରୋଗୀ ସାଧାରଣ ଶଯ୍ୟାରେ ରହି ଚିକିତ୍ସିତ ହେଉଛନ୍ତି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ କହିବା କଥା, ରାଜ୍ୟରେ ହସ୍ପିଟାଲରେ ଉପଲବ୍ଧ ହେଉଥିବା ଶଯ୍ୟାର ମାତ୍ର ୧୦ ପ୍ରତିଶତ ରୋଗୀ ସାଧାରଣ ଶଯ୍ୟା ଓ ଆଇସିୟ‌ୁରେ ଚିକିତ୍ସିତ ହେଉଛନ୍ତି। ଅଧିକାଂଶ ରୋଗୀ ଘରେ ରହିଛନ୍ତି। ତେଣୁ ରାଜ୍ୟରେ ହସ୍ପିଟାଲରେ ଅକ୍ସିଜେନ୍‌ର ଚାହିଦାକୁ ପୂରଣ କରିବାରେ ଓଡ଼ିଶା ସଫଳ ହେବ। ବିଭିନ୍ନ ଜିଲ୍ଲାକୁ କିଭଳି ଅକ୍ସିଜେନ୍ ଯୋଗାଣ ଠିକ୍ ହୋଇପାରିବ ତାହା ଉପରେ ଯଥେଷ୍ଟ ଗୁରୁତ୍ବ ଦିଆଯାଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର