କେନ୍ଦୁଝର : ଚଢ଼ା ଦରରେ ଲୁହାପଥର ଖଣି ଲିଜ୍ ନେବା ପରେ ମଡେଲ ମାଇନ୍ ଡେଭଲପମେଣ୍ଟ ଆଣ୍ଡ ପ୍ରଡକ୍ସନ ଏଗ୍ରିମେଣ୍ଟ (ଏମ୍ଡିପିଏ) ଚୁକ୍ତିନାମା ଅନୁସାରେ କାର୍ଯ୍ୟ କରୁନାହାନ୍ତି ଖଣି କମ୍ପାନି। କିଛିଦିନ ତଳେ ଲୁହାପଥର ଷ୍ଟକ୍ କରିବା ଏବଂ ଏହାର ଗ୍ରେଡେସନ୍ ଏପଟ ସେପଟ କରିବା କାରଣରୁ ଜେଏସ୍ଡବ୍ଲ୍ୟୁ ଓ ଆର୍ସେଲର ମିତ୍ତଲକୁ ଖଣି ନିର୍ଦ୍ଦେଶାଳୟ ରୟାଲଟି ସଂଗ୍ରହ କରିବା ପାଇଁ ଡିମାଣ୍ଡ ନୋଟିସ କରିଥିବାବେଳେ ଏବେ ଚୁକ୍ତିନାମା ଅନୁସାରେ ଆର୍ସେଲର ମିତ୍ତଲ ଠାକୁରାଣୀ ଲୁହାପଥର ଖଣିରୁ ଲୁହାପଥର ଉତ୍ତୋଳନ କରୁନଥିବା ଅଭିଯୋଗ ଆସିଛି। ଫଳରେ ରାଜ୍ୟ ରାଜକୋଷ ପ୍ରାୟ ୩୩୭ କୋଟି ଟଙ୍କା କ୍ଷତି ସହିଥିବା ଜଣାଯାଇଛି। ଏଥିପାଇଁ ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ଆର୍ସେଲର ମିତ୍ତଲକୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି।
ଖଣି ନିଲାମ ବେଳେ ଠାକୁରାଣୀ ଲୁହାପଥର ଖଣିକୁ ଆର୍ସେଲର ମିତ୍ତଲ ୧୦୭.୫୫ ପ୍ରତିଶତ ପ୍ରିମିୟମ ଦେଇ ହାତେଇ ନେଇଥିଲା। ଠାକୁରାଣୀ ଲୁହାପଥର ଖଣି ପାଇବା ପରେ ମଡେଲ ମାଇନ୍ ଡେଭଲପମେଣ୍ଟ ଆଣ୍ଡ ପ୍ରଡକ୍ସନ ଏଗ୍ରିମେଣ୍ଟ (ଏମ୍ଡିପିଏ)ରେ ମିତ୍ତଲ କମ୍ପାନି କର୍ତ୍ତୃପକ୍ଷ ସ୍ବାକ୍ଷର କରି ଖଣିଜ ଉତ୍ତୋଳନ ଆରମ୍ଭ କରିଥିଲେ। ଏମ୍ଡିପିଏ ଅନୁସାରେ ବର୍ତ୍ତମାନ ଖଣିଜ ଉତ୍ତୋଳନ ହେଉନଥିବାରୁ ରାଜ୍ୟ ରାଜକୋଷକୁ ପ୍ରାୟ ୩୩୭ କୋଟି ଟଙ୍କା କ୍ଷତି ପହଞ୍ଚିଛି। ଏମ୍ଡିପିଏ ଏବଂ ଏମ୍ସି ରୁଲ୍ ୧୨(ଏ) ଉଲ୍ଲଂଘନ କରିଥିବା ନେଇ କମ୍ପାନିକୁ କାରଣଦର୍ଶାଅ ନୋଟିସ ଜାରି କରିଛି ଖଣି ନିଦ୍ଦେର୍ଶାଳୟ। ମିତ୍ତଲକୁ ହୋଇଥିବା କାରଣଦର୍ଶାଅ ନୋଟିସ ନଂ-୬୬୭୮/୨୫.୯.୨୦୨୦ରେ ଦର୍ଶାଯାଇଛି ଯେ, କମ୍ପାନି ଖୋଲାଖୋଲି ଭାବେ ଏମ୍ଡିପିଏ ଏବଂ ଏମ୍ସି ରୁଲ୍ ୧୨(ଏ) ଉଲ୍ଲଂଘନ କରିଛି। ପ୍ରଥମ ଦୁଇବର୍ଷ ପର୍ଯ୍ୟନ୍ତ ଅତି କମ୍ରେ ୮୦ ପ୍ରତିଶତ ଲୁହାପଥର ଉତ୍ତୋଳନ ହୋଇ ଡେସ୍ପ୍ୟାଚ୍ କରାଯିବାକୁ ଚୁକ୍ତିନାମାରେ ଉଲ୍ଲେଖ ଥିଲେ ବି ତାହା ହେଉନାହିଁ। ଏନେଇ ପୂର୍ବରୁ ବାରମ୍ବାର ମିତ୍ତଲକୁ ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି ଲେଖି ଅବଗତ କରାଯିବା ସହ ଏଥିରେ ସୁଧାର ଆଣିବାକୁ କୁହାଯାଇଥିଲା। ଏମିତିକି ଅଗଷ୍ଟ ୨୧ ତାରିଖରେ ଚିଠି ନଂ-୫୬୭୯, ସେପ୍ଟେମ୍ବର ୧ ତାରିଖରେ ଚିଠି ନଂ-୫୯୭୭ ଏବଂ ସେପ୍ଟେମ୍ବର ୨ ତାରିଖରେ ଚିଠି ନଂ-୬୦୮୯ରେ ମିତ୍ତଲ କର୍ତ୍ତୃପକ୍ଷଙ୍କୁ ତାଗିଦ କରାଯାଇ ଖଣିଜ ଉତ୍ତୋଳନ ଏବଂ ଡେସ୍ପ୍ୟାଚ୍ ବଢ଼ାଇବାକୁ କୁହାଯାଇଥିଲା। ମାତ୍ର ଏଥିରେ କୌଣସି ସୁଫଳ ମିଳିନଥିଲା।
ସେପ୍ଟେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଠାକୁରାଣୀ ଖଣିରୁ ସମୁଦାୟ ୯୮୯,୯୦୩.୭୯ ମେଟ୍ରିକ ଟନ୍ ଲୁହାପଥର ଉତ୍ତୋଳନ ଏବଂ ଡେସ୍ପ୍ୟାଚ ହେବା କଥା। ମାତ୍ର ବାରମ୍ବାର ତାଗିଦ ସତ୍ତ୍ବେ ମାତ୍ର ୧୦୬,୮୪୫.୫୯ ମେଟ୍ରିକ ଟନ୍ ଲୁହାପଥର ଡେସ୍ପ୍ୟାଚ୍ ହୋଇଛି। ଯାହା ଧାର୍ଯ୍ୟ ଲକ୍ଷ୍ୟଠାରୁ ୮୮୩,୦୫୮.୨୦ ମେଟ୍ରିକ ଟନ୍ କମ। ଏହାଦ୍ବାରା ଏମ୍ସିଆର୍ ରୁଲ୍-୧୨ (ଏ) ଏବଂ ଏମ୍ଡିପିଏ ଚୁକ୍ତିନାମା ଉଲ୍ଲଂଘନ ହୋଇଛି। ଏଥିପାଇଁ କମ୍ପାନି କର୍ତ୍ତୃପକ୍ଷଙ୍କୁ ଖଣି ନିର୍ଦ୍ଦେଶାଳୟ କାରଣଦର୍ଶାଅ ନୋଟିସ ଜାରି କରି ୧୫ ଦିନ ମଧ୍ୟରେ ଉତ୍ତର ରଖିବାକୁ ସମୟ ଦେଇଛି। ଅନ୍ୟପକ୍ଷରେ ଖଣି ନିର୍ଦ୍ଦେଶାଳୟ ସହିତ ଜଡ଼ିତ ଜଣେ ଅଧିକାରୀଙ୍କ କହିବା ଅନୁସାରେ, ମିତ୍ତଲ ନିର୍ଦ୍ଧାରିତ ପରିମାଣର ଲୁହାପଥର ଉତ୍ତୋଳନ ଏବଂ ପ୍ରେରଣ ନକରିବା କାରଣରୁ ରାଜ୍ୟ ରାଜକୋଷକୁ ବିପୁଳ କ୍ଷତି ପହଞ୍ଚିଛି। ଏକ ହିସାବ ଦେଇ ସେ କହିଛନ୍ତି, ଠାକୁରାଣୀ ଖଣିରୁ ସମୁଦାୟ ୯୮୯,୯୦୩.୭୯ ମେଟ୍ରିକ ଟନ୍ ଲୁହାପଥର ଉତ୍ତୋଳନ ଓ ଡେସ୍ପ୍ୟାଚ ହେବା କଥା। ମାତ୍ର ଇତିମଧ୍ୟରେ ୧୦୬,୮୪୫.୫୯ ମେଟ୍ରିକ ଟନ୍ ଲୁହାପଥର ଡେସପ୍ୟାଚ୍ ହୋଇଛି। ମଡେଲ ମାଇନ୍ ଡେଭଲପମେଣ୍ଟ ଆଣ୍ଡ ପ୍ରଡକ୍ସନ ଏଗ୍ରିମେଣ୍ଟ (ଏମ୍ଡିପିଏ) ଅନୁସାରେ, ଯେତେ କମ ପରିମାଣର ଡେସ୍ପ୍ୟାଚ ହୋଇଥିବା ତା ଉପରେ ଆଇବିଏମ୍ ମୂଲ୍ୟ ଧାର୍ଯ୍ୟ କରାଯାଇ ୨୪ ପ୍ରତିଶତ ଜରିମାନା ହେବ। ଲୁହାପଥର (୩୦:୭୦ ଫାଇନସ୍)ର ଆଇବିଏମ୍ ମୂଲ୍ୟ ୨୮୯୯ ଟଙ୍କା ଥିବାବେଳେ ମିତ୍ତଲ ଏବେ ସୁଦ୍ଧା ୮୮୩,୦୫୮.୨୦ ମେଟ୍ରିକ ଟନ୍ ଲୁହାପଥର ଡେସ୍ପ୍ୟାଚ କରିନାହିଁ। ଆଇବିଏମ୍ ମୂଲ୍ୟ ଆଧାରରେ ଏହାର ଜରିମାନା ପରିମାଣ ହେଉଛି ୬୧.୪ କୋଟି ଟଙ୍କା। ସେହିପରି ଡେସ୍ପ୍ୟାଚ ହୋଇପାରିନଥିବା ୮୮୩,୦୫୮.୨୦ ମେଟ୍ରିକ ଟନ୍ ଲୁହାପଥର ଉପରେ ପ୍ରିମିୟମ ହେଉଛି ୨୭୫.୩୦ କୋଟି ଟଙ୍କା। ତେଣୁ ମୋଟ ଜରିମାନା ଏବଂ ପ୍ରିମିୟମକୁ ମିଶାଇଲେ ସମୁଦାୟ ୩୩୬.୭୩ କୋଟି ଟଙ୍କା ରାଜସ୍ବ ଆସିବା କଥା। ଚୁକ୍ତିନାମା ଅନୁସାରେ, ମିତ୍ତଲ ଆବଶ୍ୟକ ଖଣିଜ ଡେସପ୍ୟାଚ୍ କରିନଥିବାରୁ ରାଜ୍ୟ ରାଜକୋଷକୁ ୩୩୬.୭୩ କୋଟି ଟଙ୍କା କ୍ଷତି ପହଞ୍ଚିଛି ବୋଲି ସମ୍ପୃକ୍ତ ଅଧିକାରୀ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଏ ସଂପର୍କରେ ଖଣି ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଉମେଶ ଜେନାଙ୍କୁ ପଚାରିବାରୁ, ଚାରିଦିନ ତଳେ କାରଣଦର୍ଶାଅ ନୋଟିସ ଜାରି ହୋଇଛି। ଏଯାଏ କମ୍ପାନି କତ୍ତୃର୍ପକ୍ଷଙ୍କ ଉତ୍ତର ଆସିନାହିଁ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/mines.jpg)