ବଦଳିବ ସ୍ବାସ୍ଥ୍ୟ ଭିତ୍ତିଭୂମି: ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଲେ ରାଜ୍ୟ ସରକାର; ନିର୍ମାଣ ହେବ ୩୩୮ ଡାକ୍ତରଖାନା ଓ ସ୍ବାସ୍ଥ୍ୟ କେନ୍ଦ୍ର

ଭୁବନେଶ୍ବର: ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି‌ରେ ଉନ୍ନତି ଆସିବ। ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଲୋକଙ୍କୁ ସହଜରେ ସ୍ବାସ୍ଥ୍ୟ ସେବା ମିଳିବ। ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ ଥିବା ଅସୁବିଧାକୁ ଦୂର କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ଏଥି ପାଇଁ ସରକାର ଆଗାମୀ ଦିନରେ ୩୩୮ଟି ଉପଖଣ୍ଡ ଡାକ୍ତରଖାନା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି) ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି) ନିର୍ମାଣ କରିବେ। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି।

ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୨ଟି ଉପଖଣ୍ଡ ଡାକ୍ତରଖାନା, ୨୦ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ୩୦୬ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ହେବ। ଏକକାଳୀନ ନୂତନ ଭାବେ ୩୩୮ଟି ଡାକ୍ତରଖାନା ଓ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ହେବା ପରେ ବିଶେଷ ଭାବେ ଗ୍ରାମାଞ୍ଚଳର ଲୋକେ ବହୁ ଉପକୃତ ହେବେ।

ତେବେ ୩୩୮ଟି ଡାକ୍ତରଖାନା ଓ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକର ନିର୍ମାଣ ହେଲା ପରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆସିବା ସହିତ ଯୁବକ-ଯୁବତୀଙ୍କୁ ନିଯୁକ୍ତିର ସୁଯୋଗ ମିଳିପାରିବ। ଡାକ୍ତର, ମେଡିକାଲ ଅଧିକାରୀ, ଫାର୍ମାସିଷ୍ଟ, ଷ୍ଟାଫ୍‌ ନର୍ସ ଓ ୪ର୍ଥ କର୍ମଚାରୀଙ୍କୁ ନିଯୁକ୍ତି ମିଳିବ।

 

ସମ୍ବନ୍ଧିତ ଖବର