ଭୁବନେଶ୍ୱର : ବର୍ତ୍ତମାନ ଆମ ଦେଶର ଗଣତନ୍ତ୍ର ବିପଦରେ। ଅସହିଷ୍ଣୁତା ଓ ଭିନ୍ନ ମତକୁ ନ ଶୁଣିବାର ମାନସିକତା ଦିନକୁ ଦିନ ଉଗ୍ର ହେଉଛି। ସବୁ କ୍ଷେତ୍ରରେ ଅସହିଷ୍ଣୁତା ବାରି ହୋଇପଡ଼ୁଛି। ଗଣତନ୍ତ୍ରକୁ ଦୃଢ଼ କରୁଥିବା ସମ୍ବିଧାନସମ୍ମତ ଅନୁଷ୍ଠାନଗୁଡ଼ିକୁ ଭାଙ୍ଗି ଦିଆଯାଉଛି ଅଥବା ଦୁର୍ବଳ କରିଦିଆଯାଉଛି। ଅସହିଷ୍ଣୁତା ଓ ଗଣତନ୍ତ୍ର ଏକ ସଙ୍ଗେ ତିଷ୍ଠିବା ଅସମ୍ଭବ ବୋଲି କହିଛନ୍ତି ପ୍ରଖ୍ୟାତ ସାମ୍ବାଦିକ ତଥା ରାଜ୍ୟସଭାର ପୂର୍ବତନ ସଦସ୍ୟ ପଦ୍ମଭୂଷଣ ଏଚ୍ କେ ଦୁଆ।
ଆଜି ଜୟଦେବ ଭବନରେ ଆୟୋଜିତ ‘ସମ୍ବାଦ’ର ତ୍ରୟସ୍ତ୍ରିଂଶତ୍ ବାର୍ଷିକ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶ୍ରୀ ଦୁଆ ବର୍ତ୍ତମାନ ରାଜନୀତିରେ ଅବକ୍ଷୟକୁ ନେଇ ଭୀଷଣ କ୍ଷୋଭ ପ୍ରକାଶ କରିଥିଲେ। ସେ କହିଥିଲେ, ଦେଶ ସ୍ୱାଧୀନତାର ୭୦ ବର୍ଷ ପରେ ବି ରାଜନୈତିକ ଜୀବନର ଅଧୋଗତି ଚିନ୍ତାଜନକ। ଖୁବ୍ କମ୍ ରାଜନେତାଙ୍କୁ ବାଦ୍ ଦେଲେ ଅନ୍ୟମାନେ ଦେଶର ପରିସ୍ଥିତି ନେଇ ଆଦୌ ଚିନ୍ତିତ ନୁହଁନ୍ତି। ଭାରତ ପରି ଏକ ବିଶାଳ ଗଣତନ୍ତ୍ର ବିଭିନ୍ନ କାରଣରୁ ବର୍ଷ ବର୍ଷ ଧରି ଦୃଢ଼ ହୋଇଆସିଛି। ତାହା ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଭିନ୍ନ ମତକୁ ଶାସକ ଗୋଷ୍ଠୀ ଶୁଣିବା। ଇତିହାସରେ ବହୁ ବିଶିଷ୍ଟ ଶାସକ ଭିନ୍ନମତକୁ ସବୁବେଳେ ସମ୍ମାନ ଦେଇଥିବାର ନଜିର ରହିଛି। ଭିନ୍ନମତକୁ ସମ୍ମାନ ଦେବା ହିଁ ଗଣତନ୍ତ୍ରର ଧର୍ମ। କିନ୍ତୁ ବର୍ତ୍ତମାନ ଭିନ୍ନମତ ପୋଷଣ କରୁଥିବା ବ୍ୟକ୍ତିଙ୍କୁ ‘ଜାତି ତଥା ରାଷ୍ଟ୍ର ଦ୍ରୋହୀ’ ବୋଲି ଆଖ୍ୟା ଦିଆଯାଉଛି। ଯିଏ ଭିନ୍ନ ମତ ଦେଲା, ତାଙ୍କୁ ବିଭିନ୍ନ ଉପାୟରେ ଭୟଭୀତ କରାଯାଉଛି। ଏପରିକି ସରକାରୀ ଅଧିକାରୀ ପାଟି ଖୋଲିଲେ ବଦଳିର ଭୟ ଦେଖାଯାଉଛିି।
ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ନୀତିକୁ ତୀବ୍ର ସମାଲୋଚନା କରି ଶ୍ରୀ ଦୁଆ କହିଥିଲେ, ସରକାରଙ୍କ କିଛି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି କାରଣରୁ ସାରା ଦେଶର ସବୁ ବର୍ଗର ଲୋକ ଭୀଷଣ ଭାବେ ପ୍ରଭାବିତ ହୋଇଛନ୍ତି। ତାହା ମଧ୍ୟରୁ ଗୋଟିଏ ହେଲା ବିମୁଦ୍ରାକରଣ। କ୍ୟାବିନେଟ୍, ଆର୍ବିଆଇ ସମସ୍ତଙ୍କୁ ଅଣଦେଖା କରାଯାଇ ସନ୍ଧ୍ୟାରେ ହଠାତ୍ ବିମୁଦ୍ରାକରଣ ପାଇଁ ନିଷ୍ପତ୍ତି ନିଆଗଲା। ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍କୁ ଅତର୍କିତ ଭାବେ ଅଚଳ କରିଦିଆଗଲା। କୁହାଗଲା ଯେ ଆତଙ୍କବାଦ, କଳାଧନ ଓ ଦୁର୍ନୀତି ରୋକିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି। କିନ୍ତୁ ଏହା ମଧ୍ୟରୁ କେଉଁଟାକୁ ସରକାର ରୋକିଲେ, ତାହାର ହିସାବ କେହି ପାଇଲେ ନାହିଁ। ସାମାନ୍ୟ କିଛି ଫାଇଦା ପାଇଁ ସବୁ ନାଗରିକଙ୍କୁ ଦଣ୍ଡ ଦେବା ନିଶ୍ଚିତ ଉଦ୍ବେଗର ବିଷୟ। ବିମୁଦ୍ରାକରଣ ନିଷ୍ପତ୍ତିକୁ ଇନ୍ଦିରା ଗାନ୍ଧୀଙ୍କ ଜରୁରିକାଳୀନ ପରିସ୍ଥିତି ସହ ତୁଳନା କରିଥିଲେ ଶ୍ରୀ ଦୁଆ। ସେ ଆହୁରି କହିଥିଲେ, ସମାନ ସ୍ଥିତି ସୃଷ୍ଟି ହୋଇଛି ଜିଏସ୍ଟି ଲାଗୁ କ୍ଷେତ୍ରରେ। ସଂଘୀୟ ବ୍ୟବସ୍ଥାରେ ସହଯୋଗ ଓ ସମନ୍ଵୟ ନାଁରେ ଜିଏସ୍ଟି ଲାଗୁ କରାଗଲା। କିନ୍ତୁ ଜିଏସ୍ଟି ଦ୍ୱାରା ସାଧାରଣ ଲୋକ କିପରି ପ୍ରଭାବିତ ହେଉଛନ୍ତି, ତାହା ସ୍ପଷ୍ଟ ହୋଇଗଲାଣି। ସବୁର ଦରଦାମ ଭୟଙ୍କର ଭାବେ ବଢିଯାଇଛି।
ଗଣମାଧ୍ୟମର ମଧ୍ୟ କଣ୍ଠରୋଧ କରାଯାଉଥିବା ଉଲ୍ଲେଖ କରି ଶ୍ରୀ ଦୁଆ କହିଥିଲେ, ସରକାର ଭିତରେ କ’ଣ ଚାଲିଛି ତାହା ଜାଣିବା ଲୋକଙ୍କର ମୌଳିକ ଅଧିକାର। ଏ ଦିଗରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ ଗଣମାଧ୍ୟମ ବି ଚାପରେ ରହିଛନ୍ତି। ଗଣମାଧ୍ୟମର ସ୍ୱାଧୀନତା ଆଜି ଦିନରେ ସଙ୍କଟ ଭିତରକୁ ଚାଲିଆସିଛି। ଏ ଦିଗରେ ପ୍ରତିଟି ଗଣମାଧ୍ୟମ ସଂସ୍ଥା ଏବେ ଗଭୀର ଭାବେ ଚିନ୍ତା କରିବା ଦରକାର।
ଦେଶରେ ଏମିତି ସ୍ଥିତି ଲାଗି ରହିଥିଲେ ବି ନାଗରିକ ସମାଜ, ସାଧାରଣ ଲୋକ, ବୁଦ୍ଧିଜୀବୀ କେହି ପାଟି ନ ଫିଟାଇବା ନେଇ ଶ୍ରୀ ଦୁଆ ଚିନ୍ତାପ୍ରକଟ କରିଥିଲେ। ଦେଶର ଭବିଷ୍ୟତ ନେଇ ସେ କହିଲେ, ସମ୍ବିଧାନ ପ୍ରଣେତାମାନେ ବେଶ୍ ଚିନ୍ତା କରି ଗଣତନ୍ତ୍ରର ଆବଶ୍ୟକତା ଚାହିଁ ସମ୍ବିଧାନରେ ସମସ୍ତ ବ୍ୟବସ୍ଥା ରଖିଥିଲେ। ତାହାକୁ ଭଙ୍ଗ କରାଯାଇପାରିବ ନାହିଁ। ତାହାକୁ ପାଥେୟ କରି ଆଗକୁ ଯିବାକୁ ହେବ। ପରସ୍ପର ପ୍ରତି ସହନଶୀଳତା, ଏକତ୍ର ରହିବାର ମନୋଭାବ, ଭିନ୍ନ ମତକୁ ସମ୍ମାନ ଦେବାର ମାନସିକତାକୁ ନେଇ ଶାନ୍ତିକୁ ଗୁରୁତ୍ୱ ଦେଇ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ। ତାହା ହିଁ ହେବ ‘ନିଉ ଇଣ୍ଡିଆ’।
ଉତ୍ସବରେ ମାଗାସେସ୍ ପୁରସ୍କାର ବିଜେତା ତଥା ବିଶିଷ୍ଟ ପରିବେଶବିତ୍ ପଦ୍ମଭୂଷଣ ଚଣ୍ଡୀ ପ୍ରସାଦ ଭଟ୍ଟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ଦେଶରେ ପ୍ରତ୍ୟେକ ବର୍ଷ ବନ୍ୟା, ବାତ୍ୟା ଭଳି ପ୍ରଳୟ ଆସୁଛି। ହେଲେ ଏହା ମଣିଷକୃତ ନା ପ୍ରାକୃତିକ ତାହା ଜାଣିବା ଦରକାର। ଆମର ଜୀବନଶୈଳୀ ଏବଂ ପରିବେଶ ଉପରେ ଅତ୍ୟାଚାର ଯୋଗୁଁ ଦିନକୁ ଦିନ ପ୍ରଳୟର ମାତ୍ରା ବଢ଼ି ଚାଲିଛି। ଜଙ୍ଗଲ, ପାହାଡ଼, ନଦୀ ସବୁ ସହରୀକରଣ ଦ୍ୱାରା ପ୍ରଭାବିତ ହେଲାଣି। ମଣିଷ ବଞ୍ଚିବା ପାଇଁ ଏଗୁଡ଼ିକର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ତାହାକୁ କେହି ହୃଦୟଙ୍ଗମ କରୁନାହାନ୍ତି। ଯାହାର ପ୍ରଭାବ ଆମେ ପ୍ରତିଦିନ ଅନୁଭବ କରୁଛୁ।
ଶ୍ରୀ ଭଟ୍ଟ ଆହୁରି କହିଥିଲେ ଯେ ମଣିଷ ନିଜକୁ ବଞ୍ଚାଇ ରଖିବା ପାଇଁ ଯେପରି ସ୍ୱାସ୍ଥ୍ୟସେବାକୁ ଉନ୍ନତ କରୁଛି ସେହିଭଳି ଜଙ୍ଗଲ ଓ ପରିବେଶକୁ ବଞ୍ଚାଇବା ପାଇଁ ଆମକୁ କିଛି ବ୍ୟବସ୍ଥା କରିବାକୁ ହେବ। ଜଙ୍ଗଲ, ପାହାଡ଼, ବନସ୍ପତି, ନଦୀ ବଞ୍ଚିଲେ ମଣିଷ ବଞ୍ଚିବ। ମାନବ ଜାତିର କଲ୍ୟାଣ ପାଇଁ ଆମକୁ ଗଛ ଲଗାଇବାକୁ ହେବ। ଗଛ ବଢ଼ିଲେ ତାପମାତ୍ରା କମିବ। ଏହି ବାର୍ତ୍ତାକୁ ଗଣମାଧ୍ୟମ ଲୋକଙ୍କ ନିକଟରେ ପହଞ୍ଚାଇବା ଦରକାର। ଜଳ, ଜଙ୍ଗଲ, ଜମି, ପାହାଡ଼ ଓ ଜନତା ମଧ୍ୟରେ ସମନ୍ଵୟ ରକ୍ଷା କରିବାରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ଉଚିତ୍। ଘର ହେଉ କିନ୍ତୁ ଜଙ୍ଗଲ କଟା ନ ଯାଉ। ଏକଥା ଯେତେବେଳେ ଲୋକ ଅନୁଭବ କରିବେ ସେତେବେଳେ ଆମେ ଆମ ପାରିପାର୍ଶ୍ୱିକ ପରିବେଶକୁ ବଞ୍ଚାଇ ପାରିବା।
ଶ୍ରୀ ଭଟ୍ଟ ଏହି ଅବସରରେ ଯୁବାବସ୍ଥାରୁ କିପରି ଜଙ୍ଗଲ, ପାହାଡ଼, ନଦୀ ଓ ପରିବେଶ ବଞ୍ଚାଇବାକୁ ସଂଗ୍ରାମ ଜାରି ରଖିଛନ୍ତି ସେହି ଅନୁଭୂତି ବଖାଣିଥିଲେ। ନଦୀ ଅବକ୍ଷୟ ସଂପର୍କରେ ସୂଚନା ଦେଇ ସେ କହିଥିଲେ, ଗଙ୍ଗା, ବ୍ରହ୍ମପୁତ୍ର, ମହାନଦୀ ଦେଶର ତିନିଟି ପ୍ରମୁଖ ନଦୀ ହୋଇଥିଲେ ହେଁ ଏହାର ଅବକ୍ଷୟ ହେବା ଆରମ୍ଭ ହେଲାଣି। କେତେବେଳେ ନଦୀ ଶୁଖିଲା ପଡ଼ୁଛି ତ କେତେବେଳେ ଭୟଙ୍କର ପ୍ରଳୟ ଆସୁଛି। ସହରୀକରଣ ଏବେ ନଦୀ ଶଯ୍ୟାରେ ପହଞ୍ଚିଥିବାବେଳେ ଏହା ଉପରେ ତୁରନ୍ତ ରୋକ୍ ଲାଗିବା ଦରକାର। ନଚେତ୍ ଭବିଷ୍ୟତର ଭୟଙ୍କର ପ୍ରଳୟକୁ ଏଡ଼ାଇ ହେବନି।
ଉତ୍ସବରେ ଅଧ୍ୟକ୍ଷତା କରି ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ଖବରକାଗଜର କାମ କେବଳ ଖବର ଛାପିବା ନୁହେଁ। ଲୋକଙ୍କୁ ଲୋକଙ୍କ ସହ ଯୋଡ଼ିବା ଓ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ବାଟ ବାହାର କରିବା। ବିଭିନ୍ନ ଅନୁଷ୍ଠାନ ଓ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ‘ସମ୍ବାଦ’ ଏହି ଦାୟିତ୍ୱ ତୁଲାଇବା ପାଇଁ ଯଥାସମ୍ଭବ ଉଦ୍ୟମ ଜାରି ରଖିଛି। ନିଜକୁ ନିରପେକ୍ଷ ବୋଲି ‘ସମ୍ବାଦ’ କେବେ ଦାବି କରି ନାହିଁ। ନିରପେକ୍ଷତା ଏକ ଫମ୍ପା ଆଓ୍ଵାଜ୍। ଏହା ସମ୍ଭବ ବି ନୁହେଁ। ପକ୍ଷଭୁକ୍ତ ହୋଇ ନିଜ ପକ୍ଷକୁ ଦୃଢ଼ ଭାବେ ରଖିବାରେ ‘ସମ୍ବାଦ’ ବିଶ୍ୱାସ କରେ। ଆରମ୍ଭ ଦିନରୁ ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ‘ସମ୍ବାଦ’ ପକ୍ଷଭୁକ୍ତ ହୋଇଛି। ନିଜକୁ ଚତୁର୍ଥ ସ୍ତମ୍ଭ ଭାବେ ନୁହେଁ, ଭିନ୍ନ ଏକ ସ୍ତମ୍ଭ ଭାବେ ନିଜକୁ ଉପସ୍ଥାପନ କରିବା ପାଇଁ ଉଦ୍ୟମ କରିଛି। ଗଣତନ୍ତ୍ରର ପ୍ରଥମ ତିନି ସ୍ତମ୍ଭ ଠାରୁ ନିରାପଦ ଦୂରତ୍ୱରେ ରହି ସେମାନଙ୍କର କାର୍ଯ୍ୟକୁ ଆଲୋଚନା, ସମାଲୋଚନା ଓ ତର୍ଜମା କରୁଛି। ସେମାନଙ୍କର ଅହଙ୍କାର ଆସିଲେ, ତାହା ଉପରେ ଅଙ୍କୁଶ ବି ଲଗାଉଛି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ‘ସମ୍ବାଦ’ର ୩୩ ବର୍ଷର ଯାତ୍ରାରେ ସାମିଲ୍ ହୋଇଥିବା ପାଠକ, ବିଜ୍ଞାପନଦାତା ଓ ପୃଷ୍ଠପୋଷକମାନଙ୍କୁ କୃତଜ୍ଞତା ଜଣାଇଥିଲେ। ଉତ୍ତମ ସହକର୍ମୀ ନ ମିଳିଲେ ସଫଳ ଅନୁଷ୍ଠାନ ଗଠନ କରିବା ସମ୍ଭବ ନୁହେଁ। ତେଣୁ ଠିକ୍ ସହକର୍ମୀ ମିଳିଥିବାରୁ ‘ସମ୍ବାଦ’ ଏତେ ସଫଳତା ପାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ। ‘ସମ୍ବାଦ’ର ସମ୍ପାଦକ(ଫିଚର୍) ଗୌରହରି ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସଭା ପ୍ରାରମ୍ଭରେ ବିବେକାନନ୍ଦ ରାଉତ ଓ ସାଥୀ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରିଥିଲେ। ଏହି ଅବସରରେ ‘ସମ୍ବାଦ’ର ବାର୍ଷିକ ବିଶେଷାଙ୍କ ଉନ୍ମୋଚନ କରାଯାଇଥିଲା। ଆଜିର ଉତ୍ସବରେ ରାଜ୍ୟର ବହୁ ବରିଷ୍ଠ ରାଜନେତା, ବୁଦ୍ଧିଜୀବୀ, ସାମାଜିକ କର୍ମୀ ପ୍ରମୁଖ ଯୋଗଦାନ କରିଥିଲେ।