ପୁରୀ: ରଥ ନିର୍ମାଣ କାର୍ଯ୍ୟ ୩୩ତମ ଦିବସରେ ପହଞ୍ଚିଛି। ଆଜି ତିନି ରଥର ମୁଖ୍ୟ ମହାରଣାଙ୍କ ତତ୍ତ୍ୱାବଧାନରେ ଦଣ୍ଡା ଫ୍ରେମର ବିଭିନ୍ନ ଅଂଶଗୁଡ଼ିକର ନମ୍ୱରିଂ ହୋଇ କଳସା ପାଇଁ ମାପ ଚିହ୍ନ ଗାରିଆ ଶେଷ ହୋଇଛି। ଆସନ୍ତାକାଲି ଦଣ୍ଡା ଫ୍ରେମ ଖୋଲାଯାଇ, ପାଞ୍ଚଦଣ୍ଡାରେ ଲାଗିଥିବା ଅଂଶ ଗୁଡ଼ିକର କାପ, କଳଶା ଓ ବିନ୍ଧକାର୍ଯ୍ୟ ସମ୍ପନ୍ନ ହେବ। ଏଥିସହ ଆସନ୍ତାକାଲି ପୂର୍ବାହ୍ନରେ ତିନିରଥ ଚକଅଖ ସଂଯୋଗ ସହ ଚକ ଥାକ ହୋଇ ଦିଗ ନିର୍ଣ୍ଣୟ କାର୍ଯ୍ୟ ସମ୍ପନ୍ନ ହେବ।

Advertisment

ସୋମବାର ତିନି ରଥର ଚାରିଟି ଲେଖାଏଁ ଧ୍ୱଜବତା ନିର୍ମାଣ ଶେଷ ହୋଇଛି। ତିନିରଥର ବେଦି ସିଂହାସନ ଜଗତପୃଷ୍ଠ ସେଣିର ଚଉପଟ କାମ, ତାଳଧ୍ୱଜ ରଥ ଓ ନନ୍ଦିଘୋଷ ରଥର ଦୁଇଟି ପୋଲ ଗୟଳର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦର୍ପଦଳନ ରଥର ମହାରଣା ସେବକମାନେ ଧୂଳିଦଣ୍ଡାର ଚଉପଟ ପରେ ଗୋଲେଇ କାର୍ଯ୍ୟ ଶେଷ କରିଛନ୍ତି। ମହାପ୍ରଭୁଙ୍କ ଅନବସର ଗୃହ ପ୍ରସ୍ତୁତ ପାଇଁ ତାଳଧ୍ୱଜ ରଥର ମୁଖ୍ୟ ମହାରଣାଙ୍କ ତତ୍ତ୍ୱାବଧାନରେ ତିନିଟି ଅଣସର ଗୟଳ ଚଉପଟ ଓ ତାର ଗୋଲେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି। ରୂପକାର ସେବକମାନେ ତିନି ରଥ ନାଟ ଗୋଡ଼ରେ ଖୋଦେଇ ଓ ଚିତ୍ରାଙ୍କନ କାର୍ଯ୍ୟ ଜାରି ରଖିଛନ୍ତି। କରତୀ ସେବକ ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ ଶେଷ ପରେ ଦର୍ପଦଳନ ରଥର ୪୦ ଫୁଟିଆ ଧଉରା ପୋଲ ଗୟଳ କାଠର ଉଭୟ ପାର୍ଶ୍ୱରେ ଚିତାକାର୍ଯ୍ୟ ଜାରି ରଖିଛନ୍ତି। ଓଝା ସେବକ ତିନି ରଥର ଦଣ୍ଡା କଣ୍ଟା, ଗୟଳ କଣ୍ଟା, ଗରଗରା କଣ୍ଟା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଆଜି ୨୦୫ଜଣ ସେବକ ରଥ ନିର୍ମାଣ ସେବା ଯୋଗାଇଛନ୍ତି।