କଥା, କାର୍ଯ୍ୟ ଓ ଚିନ୍ତାରେ ହିଂସା ତ୍ୟାଗ କର: ମୁଖ୍ୟମନ୍ତ୍ରୀ

୩୩ତମ ସ୍ୱାଧୀନତା ସଂଗ୍ରାମୀ ଦିବସ ମହୋତ୍ସବ

ଭୁବନେଶ୍ବର : ସାରା ବିଶ୍ବ ଚଳିତବର୍ଷ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛି। ଅହିଂସା ବାପୁଙ୍କ ବିଶ୍ବକୁ ଶ୍ରେଷ୍ଠ ଦାନ। ଅହିଂସା ମାଧ୍ୟମରେ ହିଁ ବିଶ୍ବର ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ। ଅହିଂସାକୁ ଜୀବନର ମୂଳମନ୍ତ୍ର କରିବା ସହିତ କଥା, କାର୍ଯ୍ୟ ଓ ଚିନ୍ତାରେ ହିଂସା ତ୍ୟାଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ କରିଛନ୍ତି।

ଆଜି ସହିଦ ସ୍ମାରକୀ ସ୍ବାଧୀନତା ସଂଗ୍ରାମୀ ସଦନ ଟ୍ରଷ୍ଟ ପକ୍ଷରୁ ସ୍ବାଧୀନତା ସଂଗ୍ରାମୀ ପଡ଼ିଆରେ ୩୩ତମ ସ୍ବାଧୀନତା ସଂଗ୍ରାମୀ ଦିବସ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ, କେବଳ ସ୍ବାଧୀନତା ଗାନ୍ଧୀଜୀଙ୍କ ଲକ୍ଷ୍ୟ ନ ଥିଲା। ଏକ ଶୋଷଣମୁକ୍ତ ସୁସ୍ଥ ସମାଜ ଓ ସ୍ବାବଲମ୍ବୀ ଅର୍ଥନୀତି ତାଙ୍କର ଲକ୍ଷ୍ୟ ରହିଥିଲା। ବାପୁଙ୍କ ଡାକରାରେ ସ୍ବାଧୀନତା ସଂଗ୍ରାମୀମାନେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେବାର ସୌଭାଗ୍ୟ ପାଇଥିଲେ। ଏବେ ବାପୁଙ୍କ ୧୫୦ତତମ ଜୟନ୍ତୀ ପାଳନର ସୁଯୋଗ ମଧ୍ୟ ପାଇଛନ୍ତି। ସ୍ବାଧୀନ ଭାରତ ପାଇଁ ଅମର ସଂଗ୍ରାମୀମାନଙ୍କ ତ୍ୟାଗକୁ ଏ ଜାତି କେବେ ଭୁଲିପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ, ସମ୍ବିଧାନ ହେଉଛି ଆମର ଗୀତା, ଭାଗବତ। ତେ‌ବେ ଦେଶର ସ୍ବାଧୀନତା ସଂଗ୍ରାମରେ ଯେଉଁମାନଙ୍କର ଆଦୌ ଭୂମିକା ନ ଥିଲା ସେମାନେ ଏବେ ସମ୍ବିଧାନକୁ ପୁନର୍ବାର ଲେଖିବା ପାଇଁ ଉଦ୍ୟମ କରୁଛନ୍ତି। ଗାନ୍ଧୀଙ୍କ ଅହିଂସା ମାର୍ଗକୁ ଆପଣାଇବା ସହିତ ଦେଶର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା, ନାରୀ ସୁରକ୍ଷା ଓ ବେକାରୀ ସମସ୍ୟା ଦୂର କରିବା ଦିଗରେ ସମସ୍ତେ ଆଗେଇ ଆସିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ।

ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ, ସ୍ବାଧୀନତା ସଂଗ୍ରାମୀମାନେ ହେଉଛନ୍ତି ଦେଶପ୍ରେମର ପ୍ରତୀକ। ସାରା ବିଶ୍ବ ଏବେ ବାପୁଙ୍କ ୧୫୦ତମ ଜୟନ୍ତୀ ପାଳୁଥିବା ବେଳେ ସରକାରଙ୍କ ପକ୍ଷରୁ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ବାପୁଙ୍କ ପ୍ରମୁଖ ଉକ୍ତିଗୁଡ଼ିକୁ ଭାଷାନ୍ତର କରାଯାଇ ସଚିବାଳୟରେ ସ୍ଥାନ ଦିଆଯାଇଛି। ଏହାସହ ଖଣ୍ଡଗିରିଠାରେ ଶାଶ୍ବତ ଗାନ୍ଧୀ କେନ୍ଦ୍ର ଖୁବଶୀଘ୍ର ଲୋକାର୍ପିତ ହେବ ବୋଲି ଶ୍ରୀ ପଣ୍ଡା କହିଥିଲେ। ପ୍ରାରମ୍ଭରେ ସହିଦ ସ୍ମାରକୀ ସ୍ବାଧୀନତା ସଂଗ୍ରାମୀ ସଦନ ଟ୍ରଷ୍ଟର ଅଧ୍ୟକ୍ଷ ତଥା ସାଂସଦ ଭର୍ତ୍ତୃହରି ମହତାବ କହିଲେ, ବ୍ରିଟିସ ବିରୋଧରେ ଲଢ଼େଇ କରି ସହିଦ ହୋଇଥିବା ସଂଗ୍ରାମୀମାନଙ୍କ ଅଞ୍ଚଳରୁ ମାଟି ଅଣାଯାଇ ସହିଦ ସ୍ମୃତି ସ୍ତମ୍ଭ ନିର୍ମାଣ କରାଯାଉଛି। ଏପ୍ରିଲ ମାସ ଭିତରେ ସ୍ମୃତି ସ୍ତମ୍ଭ ନିର୍ମାଣ କାର୍ଯ୍ୟ ଶେଷ ହେବ। ଆସାମ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାରରେ ସ୍ବାଧୀନତା ସଂଗ୍ରାମୀଙ୍କ ଦାୟଦମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଉଛି। ରାଜ୍ୟରେ ନବରଙ୍ଗପୁରରେ ଏହା ଆରମ୍ଭ ହୋଇଥିବା ବେଳେ ଏହାକୁ ରାଜ୍ୟବ୍ୟାପୀ କରାଯିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମହତାବ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସାଂସଦ ରମେଶ ଚନ୍ଦ୍ର ମାଝି, ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ ଓ ସ୍ବାଧୀନତା ସଂଗ୍ରାମୀ ସର୍ବଭାରତୀୟ ସଭାପତି ଆର.କୁଲକର୍ଣ୍ଣି ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ‘ସ୍ମରଣିକା’ ଓ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୦ତମ ବାର୍ଷିକୀ ଜାତୀୟ ଉତ୍ସବର ‘ଲୋଗୋ’ ଉନ୍ମୋଚିତ ହୋଇଥିଲା। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧ ଅବସରରେ ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ବୁଲି ଦେଖିଥିଲେ। ମହୋତ୍ସବରେ ଅଭ୍ୟର୍ଥନା କମିଟିର ସଂପାଦକ ବିରୁପାକ୍ଷ ତ୍ରିପାଠୀ, ଉପେନ୍ଦ୍ର ପାଢ଼ୀ ଓ ଅନ୍ୟମାନେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର