ବାସି ଖାଦ୍ୟ ଖାଇ ୩୪ ପିଲା ଅସୁସ୍ଥ

ଖୁଣ୍ଟୁଣୀ : ଏକାଦଶାହ ଭୋଜିର ବଳକା ବାସିଖାଦ୍ୟ ଖାଇ ଆଜି କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ କଣ୍ଡରେଇ ପଞ୍ଚାୟତ ପାର୍ବତୀପୁର ଜନଜାତି ବସ୍ତି‌େର ୩୪ରୁ ଅଧିକ ଶିଶୁ ଓ ଛୋଟ ପିଲା ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅସୁସ୍ଥଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ପାର୍ବତୀପୁର ଜନଜାତି ବସ୍ତିର କାଣ୍ଡ ପୂର୍ତ୍ତିଙ୍କ ବାପା ବେନସିଂ ପୂର୍ତ୍ତିଙ୍କ ୧୧ଦିନ ତଳେ ମୃତ୍ୟୁ ଘଟିଥିଲା। ଗତକାଲି ତାଙ୍କର ଏକାଦଶାହ ଭୋଜି ଥିଲା। ଆଜି ସକାଳେ ଭୋଜିରୁ ବଳି ଯାଇଥିବା ଭାତ, ଡାଲମା, କୁକୁଡ଼ା ଓ ଛେଳି ମାଂସକୁ ବନ୍ଧୁବାନ୍ଧବ ଓ ସାହିପଡ଼ିଶା ଛୋଟଛୋଟ ପିଲାଙ୍କୁ ଡାକି ଖାଇବାକୁ ଦିଆଯାଇଥିଲା। ଏହାକୁ ଖାଇବାର କିଛି ସମୟ ପରେ ପିଲାମାନେ ଅସୁସ୍ଥ ଅନୁଭବ କରିବା ସହିତ ବାନ୍ତି କରିଥିଲେ। ଗ୍ରାମବାସୀ ଭୟଭୀତ ହୋଇ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଖବର ପାଇ ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଟିମ୍‌ ସମସ୍ତଙ୍କୁ ଡାକ୍ତରଖାନା ନେଇଥିଲେ। ଚିକିତ୍ସିତ ହେବା ପରେ ୨୯ଜଣଙ୍କୁ ଘରକୁ ପଠାଇ ଦିଆଯାଇଛି। ତେବେ ଗୁରୁତର ଅସୁସ୍ଥ ଥିବା ମେଞ୍ଜ ବିରୁଆ, ସୀତା ଗାଗରାଇ, ହରି ପୂର୍ତ୍ତି, ରିବିକା ତିୟୁ ଓ ସସ୍ମିତା ବିରୁଆ ସେଠାରେ ଚିକିତ୍ସାଧୀନ ଅଛନ୍ତି। ସନ୍ଧ୍ୟାସୁଦ୍ଧା ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର