ସୁନ୍ଦରଗଡ଼ ମଶାଣିରେ ଜଳୁଛି ଜୁଇ; ତିନି ଦିନରେ ଦାହ ହେଲା ୩୪ ମୃତଦେହ !

ସୁନ୍ଦରଗଡ଼: ମହାମାରୀ କରୋନାରେ ରାଜ୍ୟର ଦ୍ବିତୀୟ ସର୍ବାଧିକ ସଂକ୍ରମିତ ଜିଲ୍ଲା ସୁନ୍ଦରଗଡ଼ରେ ସ୍ଥିତି ନିୟନ୍ତ୍ରଣକୁ ଆସି ପାରିନାହିଁ। ପ୍ରତିଦିନ ସଂକ୍ରମଣ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି। ଅପ୍ରେଲ ୫ରୁ ୩ ଅଙ୍କରେ ପ୍ରବେଶ କରିଥିବା ସଂକ୍ରମଣ ଏହା ମଧ୍ୟରେ ଚାରି ଅଙ୍କ ଛୁଇଁଲାଣି ସିନା ଆଉ ତଳକୁ ଖସିବାର ନାଁ ନେଉ ନାହିଁ। ଅପ୍ରେଲ ମାସର ଶେଷ ଦିନରେ ତିନି ଅଙ୍କରୁ ଉଠି ୧୧ ଶହ ହୋଇଥିବା ସଂକ୍ରମଣ ବୁଧବାର ପୁଣି ୧୧୩୭ ହୋଇଛି। ଏସ୍ଥିତିରେ ମୃତ୍ୟୁ ସଂଖ୍ୟା ବି କମ୍ ହୋଇ ରହିନାହିଁ।

ରାଉରକେଲା ବାଦ୍ କେବଳ ସୁନ୍ଦରଗଡ଼ ଏନଟିପିସି କୋଭିଡ୍ ସ୍ବାସ୍ଥ୍ୟ କେନ୍ଦ୍ରରୁ ପ୍ରତିଦିନ ସଂଖ୍ୟାଧିକ ମୃତଦେହ ଦାହ ସଂସ୍କାର ପାଇଁ ମଶାଣିକୁ ଆସୁଛି। ଚାରି ମଶାଣି ବନ୍ଧୁ ସକାଳୁ ମଧ୍ୟ ରାତ୍ରି ଯାଏ ଶବ ସତ୍କାର କରୁଥିବା ପ୍ରକାଶ କରିଛନ୍ତି। ଏହିକ୍ରମରେ ଗତ ମେ’ ୨ରୁ ତିନିଦିନ ମଧ୍ୟରେ ୩୪ ଶବ ପୋଡ଼ିଥିବା ସୂଚନା ମିଳିଛି। ୨ ତାରିଖରେ ୧୨, ୩ରେ ୧୨ ଓ ୪ ତାରିଖରେ ୧୦ଟି ମୃତଦେହର ଦାହ ସଂସ୍କାର କରିଛନ୍ତି ମଶାଣି ବନ୍ଧୁ। ସବୁଯାକ ମୃତଦେହ ଏନଟିପିସି କୋଭିଡ୍ କେନ୍ଦ୍ରରୁ ଆସିଥିବା ବେଳେ ସ୍ଥିତି ଯେ ଉଦବେଗଜନକ ତା’ର ଏକ ସ୍ପଷ୍ଟ ସୂଚନା ଦେଉଥିବା ସାଧାରଣରେ ପ୍ରକାଶ ପାଇଛି।

ମହାମାରୀ କରୋନାର ଦ୍ବିତୀୟ ଲହରରେ ଅପ୍ରେଲ ୧୪ରୁ ଏନଟିପିସି କୋଭିଡ୍ କେନ୍ଦ୍ରରେ ମୃତ୍ୟୁର ଧାର ଆରମ୍ଭ ହୋଇଥିଲା। ୧୪ରେ ଜଣକର ମୃତ୍ୟୁ ହୋଇଥିବା ବେଳେ ପରେ ପରେ ଏହା ଦୈନିକ ୨, ୪, ୮ ହୋଇ ଏବେ ସର୍ବାଧିକ ୧୨ରେ ପହଞ୍ଚିଛି। ୧୪ରୁ ମେ’ ମଧ୍ୟରେ କେବଳ ସୁନ୍ଦରଗଡ଼ ମଶାଣିରେ ମୃତଦେହ ଦାହ ସଂସ୍କାର କରାଯାଇଥିବା କହିଛନ୍ତି ମଶାଣି ବନ୍ଧୁ। ଅପ୍ରେଲ ୧୪ରେ ୧, ୧୫, ୧୬, ୧୭ ଓ ୧୮ ତାରିଖରେ ୨ଟି ଲେଖାଏଁ ଶବ ସତ୍କାର ପାଇଁ ପହଞ୍ଚିଥିଲା। ଅର୍ଥାତ ଏହି ୪ ଦିନରେ ୮ଟି ମୃତଦେହର ଦାହସଂସ୍କାର କରାଯାଇଥିଲା।

ସେହିପରି ୧୯ରେ ଗୋଟିଏ, ୨୦ ଓ ୨୧ରେ ପୁଣି ଗୋଟିଏ ଲେଖାଏଁ ମୃତଦେହ ଆସିଥିବା ବେଳେ ୨୨ରେ ତାହା ୩କୁ ଛୁଇଁଥିଲା। ୨୩ରେ ୫, ୨୪ରେ ପୁଣି ୩, ୨୫ରେ ୬, ୨୬ରେ ୩ ଓ ୨୭ରେ ୪ଟି, ୨୮ରେ ୭, ୨୯ରେ ୬, ୩୦ରେ ୮ଟି ମୃତଦେହ ପୋଡ଼ା ଯାଇଥିଲା। ସେହିପରି ମଇ ୧ରେ ୫ ଓ ୨ ଓ ୩ ତାରିଖରେ ୧୨ଟି ଲେଖାଏଁ ଓ ୪ ତାରିଖରେ ୧୦ଟି ମୃତଦେହ ଦାହ ସଂସ୍କାର କରାଯାଇଥିବା ମଶାଣି ବନ୍ଧୁ ସିଦ୍ଧାନ୍ତ ପଣ୍ଡା ସୂଚନା ଦେଇଛନ୍ତି। ଏତେ ସଂଖ୍ୟକ ଶବ ପୋଡ଼ିବା ପରେ ଏକ ପ୍ରକାର ବିଚଳିତ ହୋଇପଡ଼ିଥିବା ମଶାଣିବନ୍ଧୁମାନେ ଲୋକଙ୍କୁ କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ ପୂର୍ବକ ନିଜ ହାତରେ ନିଜର ଓ ନିଜ ପରିବାରର ସୁରକ୍ଷା କରିବାକୁ ବିନମ୍ର ନିବେଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର