ଗୋଟିଏ ଦିନରେ ସର୍ବାଧିକ ୩୪ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ଗୋଟିଏ ଦିନରେ ମୋଟ ୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ୨୪ ଜଣ, ମୟୂରଭଂଜରୁ ୪ ଜଣ, ଭୁବନେଶ୍ୱର (ଖୋର୍ଦ୍ଧା ଜିଲ୍ଲା)ରୁ ୩ ଜଣ, ବାଲେଶ୍ୱର ଜିଲ୍ଲାରୁ ୨ ଜଣ ଓ ଜଗତସିଂହପୁର ଜିଲ୍ଲାରୁ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଏପ୍ରିଲ ୫ ତାରିଖରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ଆଜି ୫ଟି ଜିଲ୍ଲାରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ କେବଳ ଜଣେ ମହିଳା ହୋଇଥିବା ବେଳେ ୩୩ ଜଣ ହେଉଛନ୍ତି ପୁରୁଷ । ସେହିଭଳି ୨୦ ଜଣ ସୁରତରୁ ଫେରିଥିବା ବେଳେ ଜଣେ ପଶ୍ଚିମବଙ୍ଗରୁ ଫେରିଥିବା ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୩ ଜଣଙ୍କ ବାବଦରେ କିଛି କୁହାଯାଇ ନାହିଁ । ଏଥି ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ରେ ପହଞ୍ଚିଛି ।

ଖୋର୍ଦ୍ଧା ଜିଲ୍ଲାରେ ଏଯାଏଁ ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୩୨ ଜଣ ସୁସ୍ଥ ହୋଇଥିବା ବେଳେ ୧୬ ଜଣଙ୍କ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ତେବେ ୨ ଜଣ ଜୀବନ ହରାଇଛନ୍ତି । ଗଂଜାମ, ମୟୂରଭଂଜ ଓ ଜଗତସିଂହପୁର ଜିଲ୍ଲାର ସମସ୍ତ କରୋନା ଆକ୍ରାନ୍ତ ସକ୍ରିୟ ଅଛନ୍ତି । କିନ୍ତୁ ବାଲେଶ୍ୱର ଜିଲ୍ଲାରୁ ୫ ଜଣ ଆକ୍ରାନ୍ତ କେବଳ ସୁସ୍ଥ ଅଛନ୍ତି ।

ଗଂଜାମ ଜିଲ୍ଲାରୁ ମୋଟ ୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ସନ୍ଧ୍ୟାରେ ୭ ଜଣ ଓ ଆଜି ସକାଳୁ ମଧ୍ୟ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏମାନେ ସମସ୍ତେ ସୁରତରୁ ଫେରିଛନ୍ତି । ପୂର୍ବରୁ ଏହି ଜିଲ୍ଲାରେ ୪ ଜଣ ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ସୂଚନାଯୋଗ୍ୟ, ରାଜ୍ୟରେ ଗତକାଲି ମଧ୍ୟରାତ୍ରୀ ସୁଦ୍ଧା ୫୦ ହଜାର ୫୧୪ଟି ଆରଟି ପିସିଆର ନମୁନା ପରୀକ୍ଷା ହୋଇଛି । ୧୮ଟି ଜିଲ୍ଲାରୁ ମୋଟ ୨୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ସର୍ବାଧିକ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୫୦ ଜଣ, ବାଲେଶ୍ୱର ଜିଲ୍ଲାରୁ ୨୭ ଜଣ, ଗଂଜାମ ଜିଲ୍ଲାରୁ ୨୮ ଜଣ, ଭଦ୍ରକ ଜିଲ୍ଲାରୁ ୨୧ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨ ଜଣ, ଜଗତସିଂହପୁର ଜିଲ୍ଲାରୁ ୫ ଜଣ, ମୟୂରଭଂଜ ଜିଲ୍ଲାରୁ ୪ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ ଜଣ, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, କଟକ ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତଦ ବ୍ୟତୀତ କୋରାପୁଟ, ଦେବଗଡ଼, ଢେଙ୍କାନାଳ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧୫୫ ଜଣ ସକ୍ରିୟ ଆକାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । କରୋନା ସଂକ୍ରମଣରେ କେବଳ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛନ୍ତି ।

ସମ୍ବନ୍ଧିତ ଖବର