ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ସ୍ଥିତି ଏମିତି ହୋଇଛି ଯେ, ପର୍ଯ୍ୟାୟକ୍ରମେ ୩୪ଟି ସ୍ଲୁଇସ୍‌ ଗେଟ୍ ଖୋଲାଯାଇଛି। ଆଜି ସକାଳ ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୬.୭୩ ଫୁଟ୍ ରହିଥିବା ବେଳେ ଜଳଭଣ୍ଡାରକୁ ୪ ଲକ୍ଷ ୩୯, ୩୩୩ କ୍ୟୁସେକ ଜଳ ପ୍ରବେଶ କରୁଥିଲା ସମୟରେ ଜଳଭଣ୍ଡାରରୁ ୩, ୪୮,୭୬୦ କ୍ୟୁସେକ ନିଷ୍କାସିତ ହେଉଥିଲା। ତେବେ, ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଇବା ପରେ ସକାଳ ୯ଟାରେ ୪ଟା ସ୍ଲୁଇସ୍‌ ଗେଟ୍ ଖୋଲାଯାଇଥିଲା। ମଧ୍ୟାହ୍ନ ସାଢ଼େ ୧୨ଟାରେ ପୁଣି ୪ଟି ଏବଂ ଅପରାହ୍‌ଣ ୪ଟାରେ ଆହୁରି ୨ଟି ଗେଟ୍ ଖୋଲାଯାଇଥିଲା। ସନ୍ଧ୍ୟା ୭ଟାରେ ପୁଣି ଆହୁରି ୪ଟି ଗେଟ୍ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Advertisment

ଏଭଳି ସର୍ବମ‌ୋଟ ୩୪ଟି ଗେଟ୍ ଖୋଲାଯାଇଥିବା ବେଳେ ଜଳ ପ୍ରବେଶ ମାତ୍ରା ଆହୁରି ବଢ଼ିବା‌ ଆଶଙ୍କା ରହିଛି। ଆସନ୍ତାକାଲି ସ୍ଥିତି ଦେଖିବା ପରେ ଗେଟ୍ ଖୋଲାଯିବ କି ନାହିଁ, ତାହା ସ୍ଥିର କରାଯିବ ବୋଲି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ସୂଚନା ମିଳିଛି। ସନ୍ଧ୍ୟା ୭ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୭.୦୬ ଫୁଟ୍ ରହିଥିବା ବେଳେ ଅଧିକ ଗେଟ୍ ଖୋଲାଯିବା ପରେ ରାତି ୯ଟାରେ ଜଳସ୍ତର ୬୧୬.୮୭ ଫୁଟ୍‌କୁ ଖସି ଆସିଛି। ଏହି ସମୟରେ ଜଳଭଣ୍ଡାରକୁ ୪,୩୯,୨୯୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ସର୍ବମୋଟ ୫, ୬୩,୮୦୬ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ସେଥିରୁ ୩୪ଟି ଗେଟ୍‌ ଜରିଆରେ ୫,୨୪,୨୧୨ କ୍ୟୁସେକ ଏବଂ ପାୱାର ଚାନେଲ ଦେଇ ୩୬,୬୨୭ କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଇଥିଲା। ଗତ ୨୪ ଘଣ୍ଟା(ସକାଳ ୮ଟା ସୁଦ୍ଧା) ମଧ୍ୟରେ ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ୨୪ ମିମି ଓ ତଳ ମୁଣ୍ଡରେ ୪୫.୧୨ ମିମି ବର୍ଷା ରେକର୍ଡ କରାଯାଇଛି। ତ‌େବେ, ଆଜି ଦିନ ସାରା ମଧ୍ୟ ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ଛତିଶଗଡ଼ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି।