ହୀରାକୁଦ ଜଳଭଣ୍ଡାରରୁ ୩୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ଜାରି, ମହାନଦୀରେ ବନ୍ୟା ବଢ଼ାଉଛି ଚିନ୍ତା

ଭୁବନେଶ୍ବର/ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ କରୁଛି।‌ ଜଳଭଣ୍ଡାରେ ଯେତିକି ଜଳ ରହିବା କଥା, ତା’ଠାରୁ ଅଧିକ ପାଣିକୁ ନିଷ୍କାସିତ କରାଯାଉଛି। ହୀରାକୁଦ ଜଳଭଣ୍ଡାରରୁ ଗତକାଲି ଠାରୁ ୩୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ବାମ ପାର୍ଶ୍ବରୁ ୨୬ଟି ଓ ଦକ୍ଷିଣ ପାର୍ଶ୍ବରୁ ୮ଟି ସ୍ଲୁଇସ ଗେଟ ଦେଇ ଜଳ ନିଷ୍କାସନ କରାଯାଉଥିବା ଜଣାଯାଇଛି।

ହୀରାକୁଦ ଜଳଭଣ୍ଡାରର ନିୟନ୍ତ୍ରଣ କକ୍ଷ ତରଫରୁ ପ୍ରକାଶ ଯେ, ରବିବାର ସନ୍ଧ୍ୟା ୬ଟାରେ ଡ୍ୟାମ୍‌କୁ ହାରାହାରି ୭,୩୫,୧୮୭ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିଲା। ସେହିପରି ଜଳଭଣ୍ଡାରରୁ ବିଭିନ୍ନ ରାସ୍ତାରେ ୫,୬୩,୫୭୩ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ଏଥିରୁ ସ୍ଲିପୱେ ମାଧ୍ୟମରେ ୫,୨୫,୦୨୮ କ୍ୟୁସେକ, ପାୱାର ଚେନାଲରେ ୩୫,୮୭୨ କ୍ୟୁସେକ, ଚାଷପାଇଁ କେନାଲରେ ୨୪୨୧ କ୍ୟୁସେକ, ବିଏମ୍‌ସ ମାଧ୍ୟମରେ ୨୨୦୦ କ୍ୟୁସେକ, ଏସଏମ୍‌ସି ପାଇଁ ୨୦୦ କ୍ୟୁସେକ, ସମ୍ବଲପୁର ପାଇଁ ୨୧ କ୍ୟୁସେକ, ଶିଳ୍ପ ପାଇଁ ୨୫୨ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲ।

ଫଟୋ: ସମ୍ବାଦ (ନରେଶ, ସମ୍ବଲପୁର)

ତେବେ ହୀରାକୁଦ ଜଳଭଣ୍ଡାରରୁ ୩୪ଟି‌ ଗେଟ୍‌ ମାଧ୍ୟମରେ ମହାନଦୀକୁ ୫,୬୦,୯୦୦ କ୍ୟୁସେକ ଜଳ ଛଡ଼ାଯିବା ଦ୍ବାରା ତଳିଆ ଅଞ୍ଚଳର ଲୋକଙ୍କ ପାଇଁ ଚିନ୍ତା ବଢ଼ିଛି। କାରଣ ହୀରାକୁଦ ତଳିଆ ଅଞ୍ଚଳରେ ଜିରା, ସୁକତେଲ, ତେଲ, ବାଘ ଆଦି ପ୍ରମୁଖ ନଦୀର ଜଳ ପ୍ରବାହିତ ହେଉଥିବାରୁ ଲୋକଙ୍କୁ ଏବେ ବନ୍ୟା ଚିନ୍ତା ଘାରିଛି। ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ଼, କଟକ ଜିଲ୍ଲା ଦେଇ ପ୍ରବାହିତ ମହାନଦୀର କୂଳରେ ବସବାସ କରୁଥିବା ଜନବସତିକୁ ଏବେ ଭାଲୋଣି ପଡ଼ିଛି। କାରଣ ଛତିଶଗଡ଼ରୁ ଯଦି ବର୍ଷା ଜଳ ଅଧିକ ଆସେ, ତାହେଲେ ହୀରାକୁଦ ଡ୍ୟାମରୁ ଅଧିକ ଗେଟ୍‌ ଖୋଲାଯିବ।

ଲଗାଣ ବର୍ଷାରେ ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ ହୋଇରହିଛନ୍ତି । ଆଉ କିଛି ସ୍ଥାନରେ ନଦୀ ଜଳସ୍ତର ବଢୁଥିବାରୁ ବିଭିନ୍ନ ଗାଁ ଗୁଡିକରେ ଜଳପଶି ଅସ୍ତବ୍ୟସ୍ତ ହୋଇପଡ଼ିଛି ଜୀବନ। ସମ୍ବଲପୁରରେ ହୀରାକୁଦ କଲୋନିରେ ୩ ଫୁଟ ପାଣି ରହିଛି। ଏଠାକାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇ ରିଲିଫ ଯୋଗାଇ ଦିଆଯାଉଛି। ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର ଟିକରପଡା ପଞ୍ଚାୟତରେ ବନ୍ୟା ପ୍ରଭାବ ଦେଖିବାକୁ ମିଳିଛି। ଏହି ପଞ୍ଚାୟତର ୪ଟି ଗାଁ ଏବେ ଜଳବନ୍ଦି ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାୟ ୧୦୦ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ସେହିପରି କଟକ ଜିଲ୍ଲା ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକା ମନ୍ଦିର ଭିତରେ ବନ୍ୟାପାଣି ପଶିଛି।

ସମ୍ବନ୍ଧିତ ଖବର