ହୀରାକୁଦର ୩୪ ଗେଟ୍‌ ଖୋଲା

ସମ୍ବଲପୁର : ମାଡ଼ି ଆସୁଛି ବଡ଼ ବନ୍ୟା। ଛତିଶଗଡ଼ରେ ପ୍ରବଳ ବର୍ଷା ବିତ୍ପାତ ଯୋଗୁଁ ସ୍ଥିତି ଜଟିଳ ରୂପ ଧାରଣ କରିଛି। ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ବଢ଼ିବଢ଼ି ଚାଲିଛି। ଆଉ ଏହାର ପ୍ରଭାବ ହୀରାକୁଦ ଜଳଭଣ୍ଡାର ତଳମୁଣ୍ଡରେ ପଡ଼ିବା ଆଶଙ୍କା ପ୍ରକାଶ ପାଇଛି। ଆଜି ଅଗଷ୍ଟ ୧୫ ସନ୍ଧ୍ୟା ୬ଟାରୁ ରାତି ୧୨ଟା ମଧ୍ୟରେ ମୁଣ୍ଡଳିଠାରେ ଜଳପ୍ରବାହ ୧୧ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ପହଞ୍ଚିବା ନେଇ ଜଳସଂପଦ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏଭଳି ସ୍ଥିତିରେ ହୀରାକୁଦ ତଳମୁଣ୍ଡରେ ଥିବା କେତେକ ଜିଲ୍ଲାରେ ବନ୍ୟା ବିଭୀଷିକା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।

ଶନିବାର ସକାଳ ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୬.୭୩ ଫୁଟ୍ ରହିଥିବା ବେଳେ ଜଳଭଣ୍ଡାରକୁ ୪ ଲକ୍ଷ ୩୯, ୩୩୩ କ୍ୟୁସେକ ଜଳ ପ୍ରବେଶ କରୁଥିଲା। ତ‌େବେ, ରବିବାର ସକାଳ ୬ଟାରେ ଜଳଭଣ୍ଡାରକୁ ଜଳପ୍ରବେଶ ମାତ୍ରା ବୃଦ୍ଧି ପାଇ ୫,୪୧,୯୮୮ କ୍ୟୁସେକରେ ପହଞ୍ଚି ଥିଲା। ମଧ୍ୟାହ୍ନ ୧୨ଟାରେ ଜଳଭଣ୍ଡାରକୁ ୬,୩୦,୦୧୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ସନ୍ଧ୍ୟା ୬ଟାରେ ଏହା ବଢ଼ି ୭, ୩୫,୧୮୭ରେ ପହଞ୍ଚିଛି। ଏପଟେ ଜଳଭଣ୍ଡାରର ଜଳସ୍ତର ମଧ୍ୟ ବଢ଼ିଚାଲିଛି। ସନ୍ଧ୍ୟା ୬ଟାରେ ଜଳସ୍ତର ୬୧୭.୩୩ ଫୁଟ୍‌ ରହିଥିଲା। ସେହି ସମୟରେ ଜଳଭଣ୍ଡାରରୁ ୫, ୬୩,୫୭୩ କ୍ୟୁସେକ ନିଷ୍କାସିତ ହୋଇଥିଲା। ୩୪ଟି ସ୍ଲୁଇସ୍ ଗେଟ୍‌ଦେଇ ୫,୨୫,୦୨୮ କ୍ୟୁସେକ ଓ ପାୱାର ଚାନେଲ ଦେଇ ୩୫,୮୭୨ କ୍ୟୁସେକ ଜଳ ଜଳଭଣ୍ଡାରରୁ ମହାନଦୀକୁ ଛଡ଼ାଯାଇଛି। ମହାନଦୀର ତଳମୁଣ୍ଡ‌ରେ ବେଲଗାଁଠାରେ ୩୮,୬୦୦ କ୍ୟୁସେକ, ପର୍ଥଲାଠାରେ ୧,୫୩,୦୯୩ କ୍ୟୁସେକ, ଖଇରମାଲଠାରେ ୯,୪୮,୦୦୦ କ୍ୟୁସେକ, ବରମୂଳଠାରେ ୮,୪୦,୦୦୦ କ୍ୟୁସେକ ଏବଂ ମୁଣ୍ଡଳିଠାରେ ୬,୩୭,୫୮୫ କ୍ୟୁସେକ ଜଳ ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା (ସକାଳ ୮ଟା ସୁଦ୍ଧା) ମଧ୍ୟରେ ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ହାରାହାରି ୪୬.୫୬ ମିମି ଏବଂ ତଳମୁଣ୍ଡରେ ହାରାହାରି ୫୮.୮୨ ମିମି ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ବଢ଼ିଥିଲେ ହେଁ ଗତକାଲି ଭଳି ଆଜି ମଧ୍ୟ ୩୪ଟି ଗେଟ୍‌ରୁ ଅଧିକ ଗେଟ୍‌ ଖୋଲାଯାଇ ନାହିଁ। ଅଧିକ ଗେଟ୍‌ ଖୋଲା ହେଲେ ତଳମୁଣ୍ଡରେ ବନ୍ୟାଜନିତ କ୍ଷୟକ୍ଷତି ବଢ଼ିବା ଆଶଙ୍କା ରହିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ହୋଇଥିବାରୁ ଆହୁରି ୧୩ ଫୁଟ୍ ପର୍ଯ୍ୟନ୍ତ ପାଣି ଏଠାରେ ରଖାଯାଇପାରିବ।

ସମ୍ବନ୍ଧିତ ଖବର