ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ନୂତନ ଅଦାଲତ

ଭୁବନେଶ୍ବର : ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ୩୪ଟି ନୂତନ ଅଦାଲତ ପ୍ରତିଷ୍ଠା କରିବେ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକ ଅଦାଲତ ପ୍ରତିଷ୍ଠା ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ଉଚ୍ଚ ନ୍ୟାୟାଳୟର ଅନୁମୋଦନ ପାଇବା ପରେ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବ। କମିଟିରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ଏବଂ ଆଇନ ସଚିବ ପ୍ରତାପ କୁମାର ପାତ୍ର ପ୍ରମୁଖ ରହିଛନ୍ତି।

ଏହି କମିଟି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିଠାରେ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ପ୍ରତିଷ୍ଠା ପାଇଁ ଅନୁମୋଦନ କରିଥିବା ବେଳେ ଅନ୍ୟ ୭ଟି ଜିଲ୍ଲା ଓ ସେସନ କୋର୍ଟ ପ୍ରତିଷ୍ଠାକୁ ମଞ୍ଜୁରୀ ଦେଇଛନ୍ତି। ଏଥିରେ ଭୁବନେଶ୍ୱରରେ ଦୁଇଟି, ବାଲେଶ୍ୱର ଜିଲ୍ଲାର ସୋରୋ ଓ ଜଳେଶ୍ୱରରେ ଗୋଟିଏ ଲେଖାଏଁ, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, କୋରାପୁଟ ଏବଂ ଗଜପତି ଜିଲ୍ଲାର ଆର.ଉଦୟଗିରି ରହିଛି। ସେହିପରି ୫ଟି ସିଭିଲ ଜଜ କୋର୍ଟ(ସିନିଅର ଡିଭିଜନ)କୁ ଅନୁମୋଦନ କରାଯାଇଛି। ନୟାଗଡ଼ ଜିଲ୍ଲାର ରଣପୁର, କଟକ ଜିଲ୍ଲାର ନରସିଂହପୁର ଓ ବଡ଼ମ୍ବା, ଗଞ୍ଜାମ ଜିଲ୍ଲାର ସୋରଡ଼ା ଓ ସୋନପୁର ଜିଲ୍ଲାର ରାମପୁରଠାରେ ପ୍ରତିଷ୍ଠା ହେବ। ୧୧ଟି ସ୍ଥାନରେ ସିଭିଲ ଜଜ୍‌ କୋର୍ଟ (ଜୁନିଅର ଡିଭିଜନ) ସ୍ଥାପନ କରାଯିବ। ଏଗୁଡିକ ବଲାଙ୍ଗୀର ଜିଲ୍ଲାର ତୁଷରା, ଢେଙ୍କାନାଳ, ବାଲେଶ୍ୱର ଜିଲ୍ଲାର ସୋରୋ, ସିମୁଳିଆ, ବାହାନାଗା, ଜଳେଶ୍ୱର, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, ଦେବଗଡ଼ ଜିଲ୍ଲାର ବାରକୋଟ, ଜଗତସିଂହପୁର ଜିଲ୍ଲାର ନାଉଗାଁ ଏବଂ କନ୍ଧମାଳ ଜିଲ୍ଲାର କେ.ନୂଆଗାଁ ଏବଂ ଖଜୁରୀପଡ଼ାରେ ପ୍ରତିଷ୍ଠା ହେବ। ଏହାସହ ୧୦ଟି ବାଣିଜ୍ୟିକ ଅଦାଲତ ପ୍ରତିଷ୍ଠା ପାଇଁ ମଧ୍ୟ ସ୍ଥିର ହୋଇଛି। କଟକ ସଦର, ଭୁବନେଶ୍ୱର, ପୁରୀରେ ଦୁଇଟି, ବାଲେଶ୍ୱର ସଦର, ବଲାଙ୍ଗୀର ସଦର, କେନ୍ଦ୍ରାପଡ଼ା ସଦର, ଜୟପୁର, ରାଉରକେଲା ଓ ଗୋଟିଏ ଲିଭ୍ ରିଜର୍ଭ ଅଦାଲତ ହେବ।

ବୈଠକରେ ଏସବୁ ଅଦାଲତ ପ୍ରତିଷ୍ଠା ପାଇଁ ୨୧.୨୬ କୋଟି ଟଙ୍କାର ବଜେଟକୁ ଅନୁମୋଦନ କରାଯାଇଛି। ଅତିରିକ୍ତ ଜିଲ୍ଲା ଓ ସେସନ ଅଦାଲତ ପାଇଁ ୫.୨୦ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ସିଭିଲ ଜଜ୍ ଅଦାଲତ (ସିନିଅର ଡିଭିଜନ) ପାଇଁ ୩.୬୦କୋଟି, ସିଭିଲ ଜଜ୍ (ଜୁନିଅର ଡିଭିଜନ) ବାଣିଜ୍ୟିକ ଅଦାଲତ ପାଇଁ ୬.୩୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ୪ଟି ବାଣିଜ୍ୟିକ ଅଦାଲତ ଭୁବନେଶ୍ୱର, କଟକ, ସମ୍ବଲପୁର ଓ ବ୍ରହ୍ମପୁରଠାରେ ପ୍ରତିଷ୍ଠାକୁ ଅନୁମୋଦନ କରିଥିବା ବେଳେ ନୟାଗଡ ଜିଲ୍ଲାର ଓଡ଼ଗାଁରେ ସିଭିଲ ଜଜ୍ କୋର୍ଟ (ସିନିଅର ଡିଭିଜନ)କୁ ଅନୁମୋଦନ କରାଯାଇଛି। ଓଡ଼ିଶା ହାଇକୋର୍ଟଙ୍କ ଅନୁମୋଦନ ପରେ ମଞ୍ଜୁରୀ ପାଇଥିବା ଏହି ଅଦାଲତ ପର୍ଯ୍ୟାୟ କ୍ରମେ ପ୍ରତିଷ୍ଠା ହେବ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର