ରାଉରକେଲା: ପ୍ରକୃତିକୁ ଭଲ ପାଉଥିବା ପାହାଡ଼ତଳର ଚୁଟିଆଟୋଲାବାସୀ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା। ଆଗାମୀପିଢ଼ି ପାଇଁ ସୁନ୍ଦର ପୃଥିବୀଟିଏ ଗଢ଼ିତୋଳିବାକୁ ନେଇଛନ୍ତି ସଂକଳ୍ପ। ବର୍ଷେ କି ଦୁଇବର୍ଷ ନୁହେଁ, ୩୪ ବର୍ଷ ସଂଘର୍ଷ କରି ଲଣ୍ଡା ମନିଷାକମାର ପାହାଡ଼କୁ କରିଛନ୍ତି ସବୁଜ। ଏଥିପାଇଁ କୁଆରମୁଣ୍ଡା ବ୍ଲକ୍ ମନିଷାକମାର ପାହାଡ଼ତଳ ଚୁଟିଆଟୋଲାର ୧୦୨ ପରିବାରକୁ କରିବାକୁ ପଡ଼ିଛି ଅକ୍ଳାନ୍ତ ପରିଶ୍ରମ। ଯେଉଁ ପାହାଡ ଚତୁଃପାର୍ଶ୍ବରେ ରହୁଥିବା ବସ୍ତିବାସିନ୍ଦା ଦିନେ ଅସହ୍ୟ ତାତି ଅନୁଭବ କରୁଥିଲେ, ସେମାନେ ଏବେ ଥଣ୍ଡାପବନ ପାଉଛନ୍ତି। ଲଣ୍ଡା ମନିଷାକମାର ପାହାଡ଼କୁ ସବୁଜ କରିବାକୁ ନେତୃତ୍ବ ନେଇଥିଲେ ଚୁଟିଆଟୋଲାର ପରିବେଶପ୍ରେମୀ ଝିର୍ଗା ଏକ୍କା ଓ ତାଙ୍କର କିଛି ସାଥୀ। ତାଙ୍କର ସଫଳ ଉଦ୍ୟମ ପାଇଁ ଚୁଟିଆଟୋଲାବାସିନ୍ଦାଙ୍କୁ ରାଉରକେଲା ବନଖଣ୍ଡ ସହ ବିଭିନ୍ନ ମହଲରୁ ପ୍ରଶଂସା ସହ ପୁରସ୍କାର ପ୍ରଦାନ କରାଯାଇଛି। କୁଆରମୁଣ୍ଡା ବ୍ଲକ୍ ଅଧୀନ ମନିଷାକମାର ପାହାଡ଼ ଶଙ୍ଖନଦୀ କୂଳରୁ ବୀରମିତ୍ରପୁର ରେଳଲାଇନ ପର୍ଯ୍ୟନ୍ତ ପ୍ରାୟ ୨ କିମି ବ୍ୟାପିଛି। ୩୪ ବର୍ଷ ତଳେ ଅର୍ଥାତ୍ ୧୯୯୧ରେ ଏହି ପାହାଡ଼ରେ ଗଛଟିଏ ନଥିଲା। ଶୀତଋତୁରେ ଦୂରଦୂରାନ୍ତରୁ ବହୁ ପର୍ଯ୍ୟଟକ ଏହାର ପାଦଦେଶକୁ ବଣଭୋଜି କରିବାକୁ ଆସୁଥିଲେ। ବିଦେଶୀ ପର୍ଯ୍ୟଟକ ବୁଲିବା ସହ ଫଟୋ ସୁଟ୍ ମଧ୍ୟ କରୁଥିଲେ। ଝିର୍ଗା ଓ ତାଙ୍କ ବସ୍ତିର ସ୍ବର୍ଗତ ରମେଶ ଏକ୍କା, ଦୀନବନ୍ଧୁ କିସାନ, ଜୟନ୍ତୀ କିସାନ, ରାଇବୋ କିସାନ ଲଣ୍ଡାପାହାଡ଼ରେ ସବୁଜିମା ଭରିବାକୁ ସଂକଳ୍ପ ନେଇଥିଲେ। ବସ୍ତିରେ ବୈଠକ ବସିଲା। ଝିର୍ଗା ଓ ତାଙ୍କର କିଛି ସହଯୋଗୀ ସୁସ୍ଥ ଜୀବନଯାପନ ପାଇଁ ଗଛର ମହତ୍ତ୍ବ ସମ୍ପର୍କରେ ବୁଝାଇଥିଲେ। ବସ୍ତିର ୧୦୨ ପରିବାର ବୁଝିବା ପରେ ତାଙ୍କ ପ୍ରସ୍ତାବକୁ ସମର୍ଥନ କରିଥିଲେ।
ପ୍ରଥମେ ପାହାଡ଼ ଚତୁଃପାର୍ଶ୍ବରେ ୫୦ଟି ଚାରାରୋପଣ କରି ତା’ର ରକ୍ଷଣାବେକ୍ଷଣ କଲେ। ପ୍ରତିବର୍ଷ ୨୦୦ରୁ ୩୦୦ କରି ଚାରା ଲଗାଇଲେ। ୩-୪ ବର୍ଷ ପରେ ଲଣ୍ଡାପାହାଡ଼ ଧୀରେ ଧୀରେ ସବୁଜ ହେବାକୁ ଲାଗିଲା। ପାହାଡ଼ରେ ଗଛଗୁଡ଼ିକର ସୁରକ୍ଷା ପାଇଁ ଗାଁର ଜଣେ ଯୁବକ ଏମିଲ୍ ଟୁଟିଙ୍କୁ ଜଗାଇଲେ। ପ୍ରତ୍ୟେକ ଘରୁ ସେତେବେଳେ ଟଙ୍କାଟିଏ କରି ୧୦୨ ଘରୁ ମାସିକ ୧୦୨ ଟଙ୍କା ଆଦାୟ କରି ଏମିଲ୍ଙ୍କୁ ଦେଉଥିଲେ। ଏଥିସହ ପାଳିକରି ଏମିଲ୍ଙ୍କୁ ଖାଇବାକୁ ମଧ୍ୟ ଦେଉଥିଲେ। ଏମିଲ୍ ଟଙ୍କା ସହ ଖାଇବାକୁ ପାଉଥିବାରୁ ୭ ବର୍ଷ ଧରି ଗଛଗୁଡ଼ିକୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଜଗି ରହୁଥିଲେ। ସେ ଛାଡ଼ିଦେବା ପରେ ଝିର୍ଗା ଓ ତାଙ୍କ ସହଯୋଗୀଙ୍କ ଚିନ୍ତା ବଢ଼ିଥିଲା। ବସ୍ତିରେ ପୁଣି ଏକ ସଭାକଲେ। ସଭାରେ ପ୍ରତିଦିନ ବସ୍ତିର ୬-୭ ଜଣ କରି ପାହାଡ଼କୁ ଜଗିବାକୁ ନିଷ୍ପତ୍ତି ହେଲା। ସେହି ଅନୁଯାୟୀ ପ୍ରତିଦିନ ବସ୍ତିର ୭ ପୁରୁଷ, ମହିଳା ମନିଷାକମାର ପାହାଡ଼କୁ ଜଗିଲେ। ଏଭଳି ମହତ୍କାର୍ଯ୍ୟରେ ବସ୍ତିବାସିନ୍ଦାଙ୍କୁ ସହଯୋଗର ହାତ ବଢ଼ାଇଥିଲା ରାଉରକେଲା ବନବିଭାଗ ଓ ସ୍ଥାନୀୟ ଅଞ୍ଚଳର କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ। ଫଳରେ ଚୁଟିଆଟୋଲିବାସୀଙ୍କ ଉତ୍ସାହ ଆହୁରି ବଢ଼ିଥିଲା। ଦୁଇକିମି ପରିଧି ମଧ୍ୟରେ ରହିଥିବା ଲଣ୍ଡାପାହାଡ଼ ବିଭିନ୍ନ ପ୍ରକାର ଗଛରେ ପରିପୂର୍ଣ୍ଣ ହୋଇଯାଇଥିଲା। ଝିର୍ଗା ଏକ୍କା କହିଛନ୍ତି, ମନିଷାକମାର ପାହାଡ଼ ଆଜି ସବୁଜ ଜଙ୍ଗଲରେ ପରିପୂର୍ଣ୍ଣ। ୨୦୧୨ରେ ଏହି ଜଙ୍ଗଲ ହାତୀମାନଙ୍କର ସୁରକ୍ଷିତ ଆଶ୍ରୟସ୍ଥଳ ଥିଲା। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି।
Advertisment

Sambad is now on WhatsApp
Join and get latest news updates delivered to you via WhatsApp