୩୪୦ଜଣଙ୍କୁ ପଦୋନ୍ନତି ଦେବାକୁ ସୁପାରିସ

ଭୁବନେଶ୍ବର : ଆଜି ପଦୋନ୍ନତି ଅଦାଲତର ଦ୍ବିତୀୟ ଦିନରେ ଗ୍ରାମ୍ୟ ଉନ୍ନୟନ, ଇସ୍ପାତ ଓ ଖଣି, ବିଦ୍ୟାଳୟ ଓ ଗଣଶିକ୍ଷା, ସାଧାରଣ ଉଦ୍ୟୋଗ, ଅବକାରୀ, ସୂଚନା ଓ ଲୋକ ସଂପର୍କ, ଜଳସମ୍ପଦ, ପୂର୍ତ୍ତ, ଶକ୍ତି, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଇ‌େଲକ୍ଟ୍ରୋନିକ୍ସ ଓ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ଆପତ୍ତି ଅଭିଯୋଗର ଶୁଣାଣି ହୋଇଥିଲା।

ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆସି ବସିଥିବା ପଦୋନ୍ନତି ଅଦାଲତରେ ୪୮୧ଟି ଅଭିଯୋଗର ଶୁଣାଣି କରାଯାଇଥିବାବେଳେ ୩୪୦ଟି ଆବେଦନକୁ ଅଦାଲତ ପଦୋନ୍ନତି ନିମନ୍ତେ ବିବେଚନା କରିଛନ୍ତି। ଦୁଇ ଦିନରେ ୮୧୮ଟି ଆବଦେନର ଶୁଣାଣି କରାଯାଇଥିବା ବେଳେ ସେଥିରୁ ମୋଟ୍ ୬୮୪ଟି ଆବେଦନକୁ ପଦୋନ୍ନତି ପାଇଁ ଗ୍ରହଣ କରାଯାଇଛି।

ଗତ କାଲି ଭଳି ଆଜି ମଧ୍ୟ ୬ ଜଣ ଅତିରିକ୍ତ ମୁଖ୍ୟ ସଚିବ ବିଭିନ୍ନ ସ୍ଥାନରେ ଶୁଣାଣି କରିଥିଲେ। ନିକୁଞ୍ଜ କିଶୋର ସୁନ୍ଦରାୟ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ, ରାଜ କୁମାର ଶର୍ମା ଗୋପବନ୍ଧୁ ପ୍ରଶାସନିକ ଏକାଡେମି, ଦେଓ ରଂଜନ ସିଂହ କଳିଙ୍ଗ ଷ୍ଟାଡିୟମ ସମ୍ମିଳନୀ କକ୍ଷ, ମୋନା ଶର୍ମା ଇଡ୍‌କୋ ସମ୍ମିଳନୀ କକ୍ଷ, ଅନୁ ଗର୍ଗ କୃଷି ଭବନ ଅଡିଟୋରିୟମ ଏବଂ ସତ୍ୟବ୍ରତ ସାହୁ ଏସ୍ଆଇଆର୍‌ଡି ସମ୍ମିଳନୀ କକ୍ଷରେ ଅଭିଯୋଗର ଶୁଣାଣି କରିଥିଲେ। ଅପରପକ୍ଷେ ଆସନ୍ତାକାଲି ଶେଷ ଦିନରେ ଜଙ୍ଗଲ ଓ ପରିବେଶ, କ୍ରୀଡ଼ା ଓ ଯୁବସେବା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, ସମବାୟ, ବାଣିଜ୍ୟ ଓ ପରିବହନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ପର୍ଯ୍ୟଟନ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ଗୃହ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ଶିଳ୍ପ, ସୂକ୍ଷ୍ମ କ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ଆପତ୍ତି ଅଭିଯୋଗର ଶୁଣାଣି କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର